ବିବାଦୀୟ ସିନେମା ‘ପଦ୍ମାବତୀ’କୁ ନେଇ କରନୀ ସେନାର ବିକ୍ଷୋଭ ! ବିଭିନ୍ନ ସ୍ଥାନରେ ପୋଡାହେଲା ସିନେମାର ପୋଷ୍ଟର

56

ରିଲିଜ ବାବଦରେ ସସପେନ୍ସ ବଢୁଥିବାବଳେ ‘ପଦ୍ମାବତୀ’କୁ ନେଇ କରନୀ ସେନାର ବିରୋଧ ଜାରି ରହିଛି । ଆଜି ଗୁରୁଗ୍ରାମରେ କରନୀ ସେନାର କର୍ମୀମାନେ ‘ପଦ୍ମବାତୀ’ର ପୋଷ୍ଟର ଜାଳିବା ସହ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିକୁ କଡା ଚ୍ୟାଲେଞ୍ଜ ଦେଇଛନ୍ତି । କରନୀ ସେନାର ଅଭିଯୋଗ ହେଲା, ସିନେମାରେ ଇତିହାସକୁ ଭୁଲ ଭାବେ ଉପସ୍ଥାପିତ କରାଯାଇଛି । ଖିଲିଜୀଙ୍କ ସହ ଯେଉଁ ପ୍ରେମକାହାଣୀ ଲେଖାଯାଇଛି ତାହା ଠିକ୍ ନୁହେଁ । ସିନେମା ରିଲିଜ ହେଲେ ସିନେମା ଘରେ ନିଆଁ ଲାଗିବ ବୋଲି ସେନା ଧମକ ଦେଇଛି ।

padmavatiଏପଟେ ‘ପଦ୍ମାବତୀ’ଙ୍କୁ ନେଇ ଦେଶସାରା ବିବାଦ ବଢୁଥିବାବେଳେ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଆଜି ଏହାର କଡା ଜବାବ ଦେଇଛନ୍ତି । ସେ କହିଛନ୍ତି , ଆଇନ ବ୍ୟବସ୍ଥା ଉପରେ ମୋର ପୁରା ଭରସା ରହିଛି । ସିନେମାକୁ ନେଇ ଦେଶରେ ଯାହାସବୁ ଚାଲିଛି ତାକୁ ଦେଖି ମୋତେ ହସ ଆସୁଛି । ‘ପଦ୍ମାବତୀ’ ପାଇଁ ସେ ଦୁଇ ବର୍ଷ ଦେଇଛନ୍ତି ଏବଂ ସିନେମାକୁ ନେଇ ଯାହା କିଛି ବି ହେଉଛି ସେଥିରେ ସେ ଦୁଃଖିତ ଥିବା କହିଛନ୍ତି ।

‘ପଦ୍ମାବତୀ’ ସିନେମାକୁ ନେଇ ବିବାଦ ତେଜିବାରେ ଲାଗିଥିବା ବେଳେ ଦୀପିକା ପାଦୁକୋନଙ୍କ ସୁରକ୍ଷା ବଢାଇ ଦିଆଯାଇଛି । କରନୀ ସେନା ପକ୍ଷରୁ ତାଙ୍କ ଧମକ ମିଳିବା ପରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସୁରକ୍ଷା ବଢାଇ ଦିଆଯାଇଛି । ପଦ୍ମାବତୀ ସିନେମାର ନିର୍ମାତା ସଂଜୟ ଲୀଲା ଭନସାଲି ଓ ଦୀପିକା ଉଭୟଙ୍କ ବାସଭବନ ସମ୍ମୁଖରେ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ଦୀପିକାଙ୍କ ଘର ସମେତ ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଅଧିକ ପୁଲିସ ମୁତୟନ କରାଯାଇଛି । ଗତ ସପ୍ତାହରେ ସିନେମା ନିର୍ମାତା ସଂଜୟ ଲୀଲା ଭନସାଲିଙ୍କୁ ମଧ୍ୟ ଧମକ ମିଳିଥିଲା ଏହାପରେ ତାଙ୍କର ସୁରକ୍ଷା ମଧ୍ୟ କଡାକଡି କରାଯାଇଛି ।

ପଦ୍ମାବତୀକୁ ନେଇ ବିବାଦ ଚାଲିଥିବା ବେଳେ ସେନସର ବୋର୍ଡ ସିନେମାକୁ ବୈଷୟିକ ତ୍ରୁଟି ଦେଖାଇ ନିର୍ମାତା ପାଖକୁ ଫେରାଇ ଦେଇଛନ୍ତି । ତ୍ରୁଟି ସଂଶୋଧନ ପରେ ଏହାକୁ ଦ୍ୱିତୀୟ ବାର ସମୀକ୍ଷା କରି ସିନେମାକୁ ପ୍ରମାଣପତ୍ର ଦିଆଯିବ ବୋଲି ସେନସର ବୋର୍ଡ କହିଛନ୍ତି । ଡିସେମ୍ବର ୧ ତାରିଖରେ ସଂଜୟଲୀଲା ଭନସାଲୀଙ୍କ ସିନେମା ପଦ୍ମାବତୀର ରିଲିଜ ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ତେବେ ସେନସର ବୋର୍ଡ ବୈଷୟିକ ତ୍ରୁଟି ଦେଖାଇବା ପରେ ଏହାର ରିଲିଜ ଜାନୁୟାରୀ ଆଡକୁ ଘୁଂଚିଯାଇପାରେ ବୋଲି ଚର୍ଚ୍ଚା ହେଉଛି ।