ଆସନ୍ତାକାଲି ‘ପଦ୍ମାବତ୍’ ରିଲିଜ ପୂର୍ବରୁ ଗୁଜୁରାଟ ଏବଂ ୟୁପିରେ ବ୍ୟାପକ ହିଂସା କାଣ୍ଡ : ଦୁଇଶହ ଗାଡ଼ି ପୋଡ଼ିଲେ, ଫିଲ୍ମ ହଲ ଓ ସପିଂ ମଲରେ ଭଙ୍ଗାରୁଜା

40

କନକ ବ୍ୟୁରୋ :  ଆସନ୍ତାକାଲି ସାରା ଭାରତରେ ରିଲିଜ୍ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ଏବଂ ବିବାଦ ଘେରରେ ଛନ୍ଦି ହୋଇଥିବା ଚଳଚ୍ଚିତ୍ର-ପଦ୍ମାବତ୍ । ଫିଲ୍ମ ରିଲିଜ୍ ନେଇ ସୁପ୍ରିମ କୋର୍ଟ ସବୁ ପ୍ରତିବନ୍ଧକ ହଟାଇବା ପରେ ବି ଥମୁନି ଏହାକୁ ନେଇ ବିବାଦ । ରାତି ପାହିଲେ ରିଲିଜ୍ ହେବ, ହେଲେ ଆଜି ମଧ୍ୟ ଫିଲ୍ମ ବିରୋଧରେ ଜୋରଦାର ପ୍ରତିବାଦ ଓ ବିକ୍ଷୋଭ । ଦେଶର ବିଭିନ୍ନ ଅଂଚଳରେ ଆଜି ବ୍ୟାପକ ହିଂସାକାଣ୍ଡ ଓ ପୋଡଜଳା ଦେଖିବାକୁ ମିଳିଛି ।

ଫିଲ୍ମ ହଲ ଓ ସପିଂ ମଲରେ ଭଙ୍ଗାରୁଜା କରାଯାଇଛି । ପ୍ରାୟ ୨୦୦ଟି ଗାଡି ପୋଡି ଦେଇଛନ୍ତି ଆନ୍ଦୋଳନକାରୀ । ହରିୟାଣା, ଗୁଜରାଟ, ରାଜସ୍ଥାନ, ୟୁପି, ବିହାରରେ ବହୁ ସଂଖ୍ୟାରେ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ପୁଲିସ । ଦିଲ୍ଲୀ-ଜୟପୁର ରାସ୍ତାରେ ଟାୟାର ଜାଳି ବିକ୍ଷୋଭ କରାଯାଇଥିବା ବେଳେ ମଥୁରାରେ ରେଳରୋକ କରାଯାଇଛି । ଗତକାଲି ଫିଲ୍ମ ରିଲିଜ୍ କରିବା ବିରୋଧରେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାରଙ୍କ ସାନି-ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ ।

ଗୋଟିଏ ପଟେ ପଦ୍ମାବତ୍ ଚଳଚିତ୍ରକୁ ସୁପ୍ରିମକୋର୍ଟଙ୍କ ସୁରକ୍ଷା ମିଳିଛି, ଅନ୍ୟପଟେ ଫିଲ୍ମ ରିଲିଜ୍ ହେଲେ ଆହୁରି ବ୍ୟାପକ ହିଂସାକାଣ୍ଡ ଘଟିବ ବୋଲି ଧମକ ଦେଇଛନ୍ତି ଆନ୍ଦୋଳନକାରୀ । ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ପରେ ବି ରାଜପୁର ସଂଗଠନ କର୍ଣ୍ଣି ସେନା ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟରେ କୌଣସି ପ୍ରକାର ପରିବର୍ତନ କରିନାହିଁ । ଗୁଜରାଟ, ରାଜସ୍ଥାନ, ବିହାର, ହରିଆଣା, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ଫିଲ୍ମ ହଲ ମାଲିକ ପଦ୍ମାବତ୍ ରିଲିଜ୍ କରିବେ ନାହିଁ ବୋଲି କହିଛି କର୍ଣ୍ଣିସେନା ।