ମାସକୁ ମାସ ବ୍ୟାଙ୍କ୍ ଦୌଡ଼ି ଦୌଡ଼ି ପଦ୍ମଶ୍ରୀଙ୍କ ପାଦ ଥକିଗଲାଣି : ପାହାଡ଼ କାଟି ଜଳସେଚନ ବ୍ୟବସ୍ଥା କରିଥିବା ଦୈତାରୀଙ୍କୁ ଏଯାଏ ମିଳିଲାନି ସହାୟତା, ପ୍ରତିଶ୍ରୁତି ରଖିଲେନି ସରକାର

485

କନକ ବ୍ୟୁରୋ : ଦିନ କେଇଟା ପୂର୍ବରୁ ଓଡ଼ିଶାର ଗଣପର୍ବ ଦୁର୍ଗାପୂଜା ସରିଛି। ଏଇ ଦୁର୍ଗା ପୂଜାବେଳେ ଲୁଙ୍ଗି ଗାମୁଛା ଖଣ୍ଡେ କିଣିବାକୁ ମନ ବଳାଇଥିବା ଦୈତାରୀ ଗତ ୬ ତାରିଖରେ ଆସିଥିଲେ କେନ୍ଦୁଝରସ୍ଥିତ ଷ୍ଟେଟବ୍ୟାଙ୍କକୁ। ବ୍ୟାଙ୍କରେ ଥିବା ଜମାଖାତା ଦେଖିଥିଲେ। ଜମାଖାତାରେ ଟଙ୍କା ନ ଥିଲା। ଖାଲି ଅକ୍ଟୋବର ମାସ କଥା ନୁହେଁ, ଗତ ଜୁଲାଇ ମାସଠୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ସବୁ ମାସରେ ଗୋନାସିକା ଘାଟି ଅତିକ୍ରମ କରି ବ୍ୟାଙ୍କରେ ଜମା ଖାତାରେ ଟଙ୍କା ଖୋଜୁଥିବା ଦୈତାରୀ କିନ୍ତୁ ସବୁଥର ନିରାଶ ହେଉଛନ୍ତି। ଗତ ଜୁଲାଇ ମାସରେ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ମାସିକ ୧୦ ହଜାର ଟଙ୍କାର ସହାୟତା ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଆଜିଯାଏ ଏହି ସହାୟତା ଅର୍ଥ ମିଳି ନଥିବାରୁ ଅଭାବୀ ଦୈତାରୀଙ୍କ ତେଲଲୁଣର ସଂସାରକୁ ଏହା ଭାରି ପଡ଼ୁଛି।

କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ତଳ ବୈତରଣୀ ଗାଁର ଦୈତାରୀ ନାଏକ ନିଜଗାଁକୁ ପାଣି ଆଣିବା ପାଇଁ ୪ କିଲୋମିଟର ପାହାଡ଼ କାଟି ଗାଁକୁ ଜଳସେଚନର ବ୍ୟବସ୍ଥା କରିଥିଲେ । ଏଥିନେଇ ଗଣମାଧ୍ୟମରେ ‘ଓଡ଼ିଶା ମାଉଣ୍ଟେନମ୍ୟାନ ଦୈତାରୀ’ ଶୀର୍ଷକରେ ଖବର ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟ ଓ ଦେଶର ସେ ଦୃଷ୍ଟି ଆକର୍ଷଣ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ କେନ୍ଦ୍ର ସରକାର ସମ୍ମାନିତ କରିଥିଲେ। ପଦ୍ମଶ୍ରୀ ସମ୍ମାନ ମିଳିବା ପରେ ମୂଲ ମଜୁରି ଲାଗି ଚଳୁଥିବା ଦୈତାରୀଙ୍କୁ ଆଉ କାମଧନ୍ଦା ମିଳି ନ ଥିଲା। ଯେଉଁଥିପାଇଁ ତାଙ୍କର ପେଟପାଟଣା ସଂସାର ଚଳାଇବା ତାଙ୍କୁ କଷ୍ଟକର ହୋଇ ପଡ଼ିଥିଲା। ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ‌ଦେବାକୁ ଘୋଷଣା କରିଥିଲେ। ଗତ ଜୁଲାଇ ୮ ତାରିଖରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏହି ଘୋଷଣା କରିଥିଲେ। ଏହି କ୍ରମରେ କେନ୍ଦୁଝର ଜିଲ୍ଲାରୁ ପଦ୍ମଶ୍ରୀ ଦୈତାରୀ ନାଏକ ଏହି ଆର୍ଥିକ ସହାୟତା ପାଇବା କଥା। ଇତିମଧ୍ୟରେ ୪ ମାସ ବିତି ଗଲାଣି। ଏଯାଏ ମିଳିନି ସରକାରଙ୍କ ଘୋଷଣା ମୁତାବତ ଆର୍ଥିକ ସହାୟତା।

ପଦ୍ମଶ୍ରୀ ଦୈତାରୀ ନାଏକ କହିଛନ୍ତି, ଅଭାବରେ ଅଛି। ଟଙ୍କା ମିଳିଲେ ଟିକେ ସ୍ଥିତି ସୁଧୁରି ଯାଆନ୍ତା। ମାତ୍ର ଏଯାଏ ମିଳିନାହିଁ। ହୁଏତ ଆଗକୁ କେବେ ମିଳିପାରେ ବୋଲି ସେ ଆଶା ବାନ୍ଧିଛନ୍ତି। ଏ ସଂପର୍କରେ ଆମେ ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁଙ୍କୁ ପଚାରିଥିଲୁ। ସେ କହିଥିଲେ, କେନ୍ଦୁଝର ଜିଲ୍ଲାରୁ ପଦ୍ମଶ୍ରୀ ଦୈତାରୀ ନାଏକ ଓ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଆର୍ଥିକ ସହାୟତା ଦେବାକୁ ସରକାର ସ୍ଥିର କରିଛନ୍ତି। ଏଥିନେଇ ସେମାନଙ୍କର ବର୍ତ୍ତମାନର ଆର୍ଥିକ ସ୍ଥିତି ଏବଂ ବ୍ୟାଙ୍କ ସଂକ୍ରାନ୍ତ ତଥ୍ୟ ଜଣାଇବାକୁ ସରକାର ନିର୍ଦେଶ ଦେଇଛନ୍ତି। ଖୁବ୍‌ଶୀଘ୍ର ଏହା ପଠାଯିବ ବୋଲି ସେ କହିଛନ୍ତି।