କୁହୁଡ଼ି ପାଇଁ ଘାଟିରୁ ଓଲଟିଲା ବସ୍ : ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ, ବସ୍ ଦୁର୍ଘଟଣାର ତୁରନ୍ତ ତଦନ୍ତ ହେବ ବୋଲି ସୂଚନା ଦେଲେ ପରିବହନ ମନ୍ତ୍ରୀ

154

କନକ ବ୍ୟୁରୋ : ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣାର ତଦନ୍ତ ହେବ । ଗାଡ଼ି କେତେ ବେଗରେ ସେ ନେଇ ତଦନ୍ତ ହେବ । କୁହୁଡି଼ ଓ ବ୍ରେକ୍ ଫେଲ ପାଇଁ ଏପରି ଦୁର୍ଘଟଣା ଘଟିଛି । ବସ୍ ଦୁର୍ଘଟଣା ନେଇ ପ୍ରତିକ୍ରିୟା ରଖିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଗ୍ୟାସ କଟର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିିଛି ।  ଆରଟିଓ ଓ ଏମଭିଆଇ ଦୁର୍ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ନର୍ଦ୍ଦେଶ ଦିଆଯାଇଛି । ବସକୁ ତିନି ଖଣ୍ଡ କରି କାଟି ଉଦ୍ଧାର କରିବାକୁ କୁହାଯାଇଛି । ତପ୍ତପାଣି ଘାଟିକୁ ବ୍ଲାକସ୍ପଟ୍ ଭାବେ ଚିହ୍ନଟ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ସହାୟତା ରାଶି ଘୋଷଣା ହେବ ବୋଲି କହିଛନ୍ତି ।

ଅନ୍ୟପଟେ ୨ ଜଣ ମୃତକଙ୍କ ପରିଚୟ ମିଳିଛି । ରାୟଗଡ଼ା ଜିଲ୍ଲା ଜେକେପୁର ଅଞ୍ଚଳର ବୁଲୁ ବେହେରା ଓ ବିଦୁ ନାୟକ ନାମକ ଜଣେ ମହିଳା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସେପଟେ ଦିଗପହଣ୍ଡି ମେଡ଼ିକାଲର ଚିକିତ୍ସା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆହତ ଯାତ୍ରୀ । ଡାକ୍ତର ନାହିଁନ୍ତି, ଜଣେ ମାତ୍ର ଫାର୍ମାସିଷ୍ଟଙ୍କ ସହାୟତାରେ ଚିକିତ୍ସା ଚାଲିଛି । ସେପଟେ ୧୨ ଜଣ ଯାତ୍ରୀ ଗୁରୁତର ଆହତଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ୩ଜଣ ମହିଳା ଓ ଅନ୍ୟ ୯ଜଣ ପୁରୁଷ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି ।

ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ୫ଟି ଆମ୍ବୁଲାନ୍ସ ଓ ୫ ଦମକଳ ବାହିଦୀ ଦଳ ନିୟୋଜିତ ହୋଇଛନ୍ତି । ଘଞ୍ଚ ଜଙ୍ଗଲ ଓ ପାଣି ପାଇଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ବସ ତଳେ ଚାପି ହୋଇ ଏବେ ବି କିଛି ଲୋକ ଛଟପଟ୍ ହେଉଛନ୍ତି । ଘଟଣାସ୍ଥଳରେ ୫ ଜଣ ଓ ମେଡ଼ିକାଲରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ମିଳିଛି ।

ରାୟଗଡ଼ାର କାଶୀପୁରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ଘରୋଇ ଯାତ୍ରୀବାହୀ ବସ୍ ରାତି ପ୍ରାୟ ୩ଟା ବେଳେ ମୋହନା ବ୍ଲକ୍ ଅନ୍ତର୍ଗତ ତପ୍ତପାଣି ଘାଟିରେ ଓଲଟି ପଡ଼ିଥିଲା । ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତା ଅସ୍ପଷ୍ଟ ହୋଇଯାଇଥିବା କାରଣରୁ ବସଟି ଘାଟିରୁ ତଳକୁ ଖସି ପଡ଼ିଥିଲା । ଏବେ ସୁଦ୍ଧା ଦୁର୍ଘଟଣାରେ ୮ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୪୦ରୁ ଅଧିକ ଆହତ ହୋଇଛି ।