‘ପଦ୍ମାବତ’ର କ୍ରେଜ । ପ୍ରଥମଦିନରେ ଦେଖିଲେ ୧୦ ଲକ୍ଷ ଲୋକ । ବିରୋଧ କଲାଭଳି କିଛିନାହିଁ କହିଲେ ଦର୍ଶକ 

36
କନକ ବ୍ୟୁରୋ : ଦେଶବ୍ୟାପୀ ବିରୋଧ ଓ ହିଂସାତ୍ମକ ପ୍ରତିବାଦ ଭିତରେ ଆଜି ସଂଜୟ ଲୀଲା ବଂଶାଲିଙ୍କ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ପଦ୍ମାବତ’ ରିଲିଜ୍ ହୋଇଛି। ପ୍ରଥମ ଦିନରେ ପ୍ରାୟ ୧୦ ଲକ୍ଷ ଦର୍ଶକ ଏହି ଚଳଚ୍ଚିତ୍ର ଦେଖିଛନ୍ତି। ତେବେ ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଗୋଆରେ ସିନେମା ହଲ୍ ମାଲିକମାନେ ଭୟରେ ଫିଲ୍ମ ରିଲିଜ୍ କରିନାହାନ୍ତି। ଆଜି ଦିଲ୍ଲୀ, ସୁରଟ, ଅହମଦାବାଦ, ଗୁରୁଗ୍ରାମ, ପାଟନା, ନୋଏଡା, ମୁମ୍ବାଇ ସମେତ ବିଭିନ୍ନ ସହରରେ କର୍ଣ୍ଣି ସେନାର ହିଂସାକାଣ୍ଡ ଯୋଗୁଁ ଆତଙ୍କରାଜ ସୃଷ୍ଟି ହୋଇଥିଲା । ହିଂସାରେ ହରିୟାଣା ସର୍ବାଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଗତକାଲି ହରିୟାଣାରେ କର୍ଣ୍ଣି ସେନାର ୫୦ରୁ ଅଧିକ ସମର୍ଥକ ଗୁରୁଗ୍ରାମରେ ଏକ ସ୍କୁଲ୍ ବସରେ ଭଙ୍ଗାରୁଜା କରିବା ଘଟଣା ଦେଶବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ ଆଜି ମଧ୍ୟ ହରିୟାଣାର ୫୦ରୁ ଅଧିକ ସ୍ଥାନରେ ହିଂସା ଘଟିଛି ଏବଂ ବ୍ୟାପକ ସରକାରୀ ସମ୍ପତ୍ତି ନଷ୍ଟ ହୋଇଛି ।
ଗୁରୁଗ୍ରାମରେ କଡ଼ା ସତର୍କତା ପଦକ୍ଷେପ ସତ୍ତ୍ୱେ କର୍ଣ୍ଣିସେନା ସମର୍ଥକମାନେ ବିଭିନ୍ନ ବଜାର ଅଂଚଳରେ ଭଙ୍ଗାରୁଜା କରିବା ସହ ସାଧାରଣରେ ଆତଙ୍କରାଜ ସୃଷ୍ଟି କରିଛନ୍ତି। ୬ଟି ସ୍ଥାନରେ ଯାନବାହନ ପୋଡ଼ା ଯାଇଥିବା ଖବର ମିଳିଛି। ପେଟ୍ରୋଲ ବୋମା ବ୍ୟବହାର କରି ହିଂସାକାରୀମାନେ ଗୁରୁଗ୍ରାମରେ ଆକ୍ରମଣ କରିଥିବା ବେଳେ ଏହି ମାମଲାରେ ୪୦ରୁ ଅଧିକ ଅଟକ ଅଛନ୍ତି। ସ୍କୁଲ ବସ୍ ଆକ୍ରମଣ ଘଟଣାରେ ଆଜି ପୁଲିସ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୮ ଜଣ ନାବାଳକ ବୋଲି ଜଣାପଡ଼ିଛି। ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ରଖିବାକୁ ହରିୟାଣାର ୬ଟି ସହରରେ ଧାରା ୧୪୪ ଜାରି ହୋଇଛି । ଭୋପାଳରେ ଆଜି କର୍ଣ୍ଣି ସେନାର ବିରୋଧ ପ୍ରଦର୍ଶନ ବେଳେ କେତେକ ବିକ୍ଷୋଭକାରୀ ଭୁଲ୍ରେ ନିଜ ସମର୍ଥକଙ୍କ କାର୍ ଜାଳି ଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି। ମୁମ୍ବାଇରେ ଆଜି ଶତାଧିକ ସିନେମା ଗୃହରେ ପଦ୍ମାବତ ପ୍ରଦର୍ଶିତ ହୋଇଥିବା ବେଳେ ପ୍ରାୟ ୨୦ଟି ସ୍ଥାନରେ କାଁ ଭାଁ ହିଂସା ଓ ଉତ୍ତେଜନା ନଜରକୁ ଆସିଛି। ମୁମ୍ବାଇ ପୁଲିସ ସମସ୍ତ ସିନେମା ହଲ୍କୁ ସୁରକ୍ଷା ଯୋଗାଇ ଦେଇଥିଲା ଏବଂ ୧୫୦ ଜଣଙ୍କୁ ଆଗୁଆ ଗରିଫଦାରୀ କରାଯାଇଥିବାରୁ ହିଂସା ନିୟନ୍ତ୍ରଣ ସମ୍ଭବ ହୋଇପାରିଛି। ଆଗକୁ ମଧ୍ୟ କର୍ଣ୍ଣି ସେନାର ଦଙ୍ଗାକାରୀଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରହିବ ବୋଲି ମୁମ୍ବାଇ ଡିସିପି ଦୀପକ ଦେବରାଜ କହିଛନ୍ତି।
ଉତ୍ତର ପ୍ରଦେଶର ଚାନ୍ଦୌଲି ସ୍ଥିତି ମୁଗଲ ମଲଟିପ୍ଲେକ୍ସରେ ପଦ୍ମାବତ ବିରୋଧରେ ବିକ୍ଷୋଭକାରୀମାନେ ମଲ୍ରେ ପେଟ୍ରୋଲ୍ ବୋମାରେ ଆକ୍ରମଣ କରିଥିଲେ। ଫଳରେ ବିଦ୍ୟୁତ ଟ୍ରାନସଫର୍ମରରେ ନିଆଁ ଲାଗିଯିବାରୁ ବଡ଼ ଧରଣର ସଙ୍କଟ ଉପୁଜିଥିଲା। ମୁଜାଫରନଗରରେ ଦର୍ଶକଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ଲକ୍ଷ୍ନୌରେ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଥିଲେ। ଆହ୍ଲାବାଦରେ ଆଜି କୌଣସି ସିନେମା ହଲ୍ରେ ପଦ୍ମାବତ୍ ରିଲିଜ୍ ହୋଇନାହିଁ । ରାଜସ୍ଥାନ ଜୟୁପରରେ କର୍ଣ୍ଣିସେନାର ବଡ଼ ଧରଣର ବାଇକ୍ ରାଲି  ଆୟୋଜନ ହୋଇଥିବା ବେଳେ ବିହାରର ମୁଜାଫରପୁରରେ ଶତାଧିକ କର୍ଣ୍ଣି ସେନା ସମର୍ଥକ ହାତରେ ଖଣ୍ଡା ଧରି ପ୍ରଦର୍ଶନ କରିଥିଲେ। ହିଂସା ନିୟନ୍ତ୍ରଣ ପାଇଁ ରାଜ୍ୟମାନେ ସେମାନଙ୍କ ନିଜସ୍ୱ ଉଦ୍ୟମରେ ପଦକ୍ଷେପ ନେଇଛନ୍ତି ଏବଂ କୌଣସି ରାଜ୍ୟ କେନ୍ଦ୍ରୀୟ ସହାୟତା ଲୋଡ଼ି ନାହାନ୍ତି ବୋଲି ଆଜି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ବହୁ ଝଡ଼ଝଂଜା ଭିତରେ ଆଜି ‘ପଦ୍ମାବତ’ ରିଲିଜ୍ ହୋଇଥିବା ବେଳେ ଏହାକୁ ନେଇ ଚାଲିଥିବା ତମ୍ବିତୋଫାନ ଥମିବାର ନାମ ନେଉନାହିଁ। ତେବେ ଏହି ଚଳଚ୍ଚିତ୍ରରେ ରାଜପୁତମାନଙ୍କ ବୀରତ୍ୱର ଗାଥା ରହିଛି ଏବଂ ରାଣୀ ପଦ୍ମିନୀଙ୍କ ଚରିତ୍ର ସଂହାର ହେଲାଭଳି କୌଣସି ପ୍ରସଙ୍ଗ ନାହିଁ ବୋଲି ଦର୍ଶକମାନେ କହିଛନ୍ତି। ଚଳଚ୍ଚିତ୍ରକୁ ବିରୋଧ କରି ଚାଲିଥିବା ହିଂସା ଅକାରଣ ଏବଂ କେବଳ ବିଭ୍ରାନ୍ତି ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ବୋଲି ଫିଲ୍ମ ଦେଖିଥିବା ଦର୍ଶକମାନେ କହିଛନ୍ତି। ବିଭିନ୍ନ ରାଜପୁତ ଗୋଷ୍ଠୀ ଏହି ଚଳଚ୍ଚିତ୍ର ବିରୋଧରେ ଅଭିଯୋଗ ଆଣି କହିଥିଲେ ଯେ ଏଥିରେ ରାଣୀ ପଦ୍ମିନୀଙ୍କୁ ଅସମ୍ମାନ କରାଯାଇଛି ଏବଂ ଇତିହାସକୁ ବିକୃତ କରାଯାଇଛି । ଦିଲ୍ଲୀରେ ଏହି ଫିଲ୍ମ ଦେଖିବା ପାଇଁ ଦର୍ଶକ ମହଲରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ମୁମ୍ବାଇରେ ଆଜି ୪୦ରୁ ୫୦ ପ୍ରତିଶତ ଟିକଟ ବିକ୍ରି ହୋଇଛି। ବିଭିନ୍ନ ମଲ୍୍ଟିପ୍ଲେକ୍ସରେ ସାଦା ପୋଷାକରେ ସୁରକ୍ଷା କର୍ମୀମାନେ ପ୍ରଥମ ଧାଡ଼ିରେ ବସିଥିବା ଦେଖିବାକୁ ମିଳିଥିଲା।ରାଜପୁତଙ୍କ ଭାବନାକୁ ସମ୍ମାନ ଦେଇ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଛି ବୋଲି ରାଜପୁତ ସଂପ୍ରଦାୟର ଅନେକ ସଂଗଠକ ମତ ଦେଇଥିବାରୁ କର୍ଣ୍ଣିସେନାର ହିଂସାତ୍ମକ ଆନ୍ଦୋଳନର ଉଦ୍ଦେଶ୍ୟ କ’ଣ ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି।
ପଦ୍ମାବତ ରିଲିଜ୍ ନେଇ ସୁପ୍ରିମକୋର୍ଟ ରାୟକୁ ଅବମାନନା କରି ବ୍ୟାପକ ହିଂସାକାଣ୍ଡ ଭିଆଇଥିବା କର୍ଣ୍ଣି ସେନା ବିରୋଧରେ ଆଜି ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି। ଏ ବାବଦରେ ସୋମବାର ଶୁଣାଣି ହେବ। ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ କର୍ଣ୍ଣି ସେନା ଶାନ୍ତି ରକ୍ଷା ଦିଗରେ ଆଦୌ ସହଯୋଗ କରିନାହିଁ ଏବଂ ହିଂସାକୁ ବ୍ୟାପକ କରି କୋର୍ଟ ରାୟକୁ ଅବମାନନା କରିଛି। ଦଙ୍ଗାକାରୀମାନେ ଶତାଧିକ ଯାନବାହନ ଜାଳିଦେବା ସହ ସାଧାରଣରେ ଆତଙ୍କରାଜ ସୃଷ୍ଟି କରିଛନ୍ତି। ରାଜ୍ୟ ସରକାରମାନେ ମଧ୍ୟ ହିଂସା ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି। ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ କର୍ଣ୍ଣି ସେନା ବିରୋଧରେ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ ବିଜେପି ପଦ୍ମାବତକୁ ନେଇ ଘୃଣ୍ୟ ରାଜନୀତି କରୁଛି । ଛାତ୍ରଛାତ୍ରୀଙ୍କ ବିରୋଧରେ ମଧ୍ୟ ହିଂସା ଅତ୍ୟନ୍ତ ଲଜ୍ଜାକର ବୋଲି ସେ କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି ଯେ ସ୍କୁଲ୍ ବସ୍ ଉପରେ ଆକ୍ରମଣ ପଛରେ କାହାର ଗୁଣ୍ଡାଗିରି ରହିଛି ଲୋକେ ଜାଣିଛନ୍ତି।