କନକ ବ୍ୟୁରୋ : ଅସୁସ୍ଥ ହୋଇପଡିଛନ୍ତି ପଦ୍ମଶ୍ରୀ ଡି ପ୍ରକାଶ ରାଓ । ହଠାତ୍ ଛାତିରେ ଯନ୍ତ୍ରଣା ହେବାକୁ ତାଙ୍କୁ କଟକ ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ ପ୍ରକାଶ ରାଓ । ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରିବା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏଠାରେ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି । ପ୍ରକାଶ ରାଓ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ସୂଚନା ମିଳିଛି । ଏସସିବି ମେଡିକାଲର ମେଡିସିନ୍ ୱାର୍ଡର ଆଇସିୟୁରେ ତାଙ୍କୁ ଭର୍ତି କରାଯାଇଥିବା ବେଳେ ଏକ ଡାକ୍ତରୀ ଦଳ ଚିକିତ୍ସା କରୁଥିବା ଜଣାପଡିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ମାର୍ଚ୍ଚ ମାସରେ ପ୍ରକାଶ ରାଓଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ । ସ୍ୱତନ୍ତ୍ର ଢଙ୍ଗରେ ଚା’ ବିକ୍ରି କରି ଚର୍ଚ୍ଚାରେ ରହିଥିବା କଟକ ସହରର ଏହି ବିଶିଷ୍ଟ ସମାଜସେବୀ ୨୦୦ରୁ ଅଧିକ ଥର ରକ୍ତଦାନ କରି ରେକର୍ଡ କରିଛନ୍ତି । ବକ୍ସି ବଜାରରେ ଥିବା ତାଙ୍କ ଚା’ ଦୋକାନରେ ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ଏବଂ ଖବର କାଗଜ, ମାଗାଜିନ ପଢିବାର ସୁଯୋଗ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ। ୧୯ ବର୍ଷ ପୂର୍ବେ ସେ ଆଶା ଓ ଆଶ୍ୱାସନା ନାମରେ ସ୍କୁଲ କରି ବସ୍ତି ପିଲାଙ୍କୁ ମାଗଣା ପଢିବାର ସୁଯୋଗ ଦେଇଥିଲେ।