ନିର୍ବାଚନୀ ମୈଦାନକୁ ଓହ୍ଲାଇବେ କି ପଦ୍ମଶ୍ରୀ ହଳଧର ନାଗ ? ସୁପ୍ରିମୋଙ୍କୁ ଭେଟିବା ପାଇଁ ନବୀନ ନିବାସରେ ପହଂଚିଲେ କୋଶଳୀ କବି ହଳଧର ନାଗ

ନବୀନ ନିବାସରେ ପଶ୍ଚିମ ଓଡିଶାର ନେତାଙ୍କ ଭିଡ

399

କନକ ବ୍ୟୁରୋ: ଆଜି ନବୀନ ନିବାସରେ ପହଂଚିଚନ୍ତି କୋଶଳୀ କବି ପଦ୍ମଶ୍ରୀ ହଳଧର ନାଗ । ହଳଧର ନାଗ ନବୀନ ନିବାସରେ ପହଂଚିବାପରେ ସେ ପ୍ରତ୍ୟକ୍ଷ ରାଜନୀତିରେ ଏଂଟ୍ରି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ସେ କେଉଁ ଆସନରୁ ଲଢିବେ, ଟିକେଟ ପାଇଁ ଆଶାୟୀ ଅଛନ୍ତି କି ନାହାନ୍ତି ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଖୁବଶୀଘ୍ର ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ତେଣୁ କାହାକୁ ମିଳିବ ଟିକେଟ ସେନେଇ ନବୀନ ନିବାସରେ ଡେରା ପକାଇଛନ୍ତି ପଶ୍ଚିମ ଓଡିଶାର ନେତା ମନ୍ତ୍ରୀ ସାଂସଦ । ପଶ୍ଚିମ ଓଡିଶାର ବହୁ ଟାଣୁଆ ନେତାଙ୍କୁ ମଧ୍ୟ ନବୀନ ନିବାସରେ ଦେଖିବାକୁ ମିଳୁଛି ।

ଆଜି ନବୀନ ନିବାସରେ ଦେଖିବାକୁ ମିଳିଛି ପଶ୍ଚିମଓଡିଶାର ଅନ୍ୟତମ ଟାଣୁଆ ନେତା ନବ ଦାସଙ୍କୁ । ପୂର୍ବରୁ ନବ ଦାସ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ତେବେ ନିର୍ବାଚନ ଲଢିବା ନେଇ ନବଙ୍କ ଠାରୁ କିଛି ବି ସୂଚନା ମିଳିପାରିନି । ଏଥର ତାଙ୍କୁ ଟିକଟ ମିଳିବ ନା ନବ ଲୋକସଭା ଲଢିବେ ଏହା ମଧ୍ୟ ସ୍ପଷ୍ଟ ହୋଇନି । ସମସ୍ତଙ୍କ ନଜର ରହିଛି ନବଙ୍କୁ ଟିକଟ ମିଳିବ କେଉଁଠୁ ।

ସେହିପରି ଝାରସୁଗୁଡାର ବରିଷ୍ଠ ବିଜେଡି ନେତା କିଶୋର ମହାନ୍ତି ମଧ୍ୟ ଆଜି ନବୀନନିବାସରେ ପହଁଚିଛନ୍ତି । ଝାରସୁଗୁଡାରୁ କିଶୋର ମହାନ୍ତି ଏଥର ଟିକଟ ଆଶାୟୀ ରହିଛନ୍ତି । ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଝାରସୁଗୁଡାରୁ ବିଧାୟକ ଥିଲେ କିଶୋର ମହାନ୍ତି । ଗତ ନିର୍ବାଚନରେ କିଶୋର ମହାନ୍ତିଙ୍କ ସ୍ଥାନରେ କଂଗ୍ରେସରୁ ବିଜେଡିରେ ସାମିଲ ହୋଇଥିବା ଅନୁପ ସାଏଙ୍କୁ ବିଜେଡି ଟିକଟ ଦେଇଥିଲା ଝାରସୁଗୁଡାରୁ । ତେବେ ଅନୁପ ସାଏ , ବିଜେପିର ରାଧାରାଣୀ ପଣ୍ଡାଙ୍କ ଠାରୁ ପରାସ୍ତ ହୋଇଥିଲେ । ଏବେ କିଶୋର ମହାନ୍ତି ଝାରସୁଗୁଡା ଜିଲ୍ଲା ବିଜେଡି ସଭାପତି ରହିଛନ୍ତି । ଦଳର ସଂଗଠନକୁ ବି ମଜବୁତ୍ କରିଛନ୍ତି । ତେଣୁ ଏଥର ଦଳ ତାଙ୍କୁ ଏହି ଆସନରୁ ଟିକଟ ପ୍ରଦାନ କରିବା ନେଇ ସେ ମଧ୍ୟ ଆଶାବାଦୀ ରହିଛନ୍ତି ।

ସେପଟେ ନବୀନ ନିବାସରେ ଗତକାଲି ରାତିରେ ବି ନେତାଙ୍କ ଭିଡ ଦେଖିବାକୁ ମିଳିଥିଲା । ଦଳର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦଓ, ପିନାକୀ ମିଶ୍ର, ଅନନ୍ତ ଦାସଙ୍କ ସମେତ ଅନ୍ୟ ନେତା ନବୀନ ନିବାସ ଆସିଥିଲେ । ସାମାଜିକ କର୍ମୀ ମୀରା ପରିଡାଙ୍କୁ ବି ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଆଗାମୀ ନିର୍ବାଚନରେ ନିର୍ବାଚନ ନ ଲଢିବାକୁ ଘୋଷଣା କରିଛନ୍ତି ଅନଙ୍ଗ ଉଦୟ । ସେ କହିଛନ୍ତି, ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟଙ୍କ ବିଜୟ ହେବ । ସେହିଭଳି ଅନନ୍ତ ଦାସ ବି କହିଛନ୍ତି, ନିର୍ବାଚନ ଲଢିବାକୁ ତାଙ୍କୁ ସବୁଜ ସଙ୍କେତ ମିଳିସାରିଛି ।