ପଦକ ଫେରାଇବେ ପଦ୍ମଶ୍ରୀ ଦୈତାରୀ ନାଏକ । ପୁରସ୍କାର ପରେ ମାଉଣ୍ଟେନ୍ ମ୍ୟାନଙ୍କୁ ମିଳୁନି କାମ, ଗୁହାଳ ଘରେ ଝୁଲୁଛି ପଦ୍ମଶ୍ରୀ ପଦକ ।

309

କନକ ବ୍ୟୁରୋ : ଓଡିଶାର ମାଉନଟେନ ମ୍ୟାନ ଦୈତାରୀ ନାଏକ । ଗରିବ ଆଦିବାସୀ ଏହି ବ୍ୟକ୍ତି ଜଣକ ଏପରି ଏକ କାର୍ଯ୍ୟ କରିଦେଖାଇଥିଲେ ଯାହା ତାଙ୍କୁ ଏକ ଅସାଧାରଣ ବ୍ୟକ୍ତିତ୍ୱର ପରିଚୟ ଦେଇଥିଲା । ୪ବର୍ଷ କାଳ ଅକ୍ଲାନ୍ତ ପରିଶ୍ରମ କରି ୩ କିଲୋମିଟର ପାହାଡ କାଟି ଚାଷ ଜମିକୁ ଆଣିଛନ୍ତି ଝରଣା ପାଣି । ଏହି କାର୍ଯ୍ୟ ପାଇଁ ତାଙ୍କୁ ସାରା ଦେଶରୁ ପ୍ରଶଂସା ମିଳିଛି । ୨୦୧୯ରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମନୀତ କରିଛନ୍ତି । କିନ୍ତୁ ଏହି ପଦ୍ମଶ୍ରୀ ପୁରସ୍କାର ଏବେ ତାଙ୍କ ଦୈନଦିନ ଜୀବନ ଜୀବିକା ପ୍ରତି ବିପଦ ସୃଷ୍ଟି କରିଛି । ସମ୍ମାନ ଜନକ ପୁରସ୍କାରର ଅଧିକାରୀ ହେବା ପରେ ଆଉ ମୂଲ ମଜୁରି ମିଳୁନାହିଁ । ଫଳରେ ଭୋକିଲା ରହିବାକୁ ପଡୁଛି । ତେଣୁ ପଦ୍ମଶ୍ରୀ ସମ୍ମାନ ଫେରାଇ ଦେବାକୁ ମନସ୍ତ କରିଛନ୍ତି ଦୈତାରୀ ନାଏକ ।

କେନ୍ଦୁଝର ଅଖ୍ୟାତ ପଲ୍ଲିର ବିଖ୍ୟାତ ନାଁ ଦୈତାରୀ ନାଏକ । ୩ କିଲୋମିଟର ପାହାଡ କାଟି ଝରଣାରୁ ଚାଷ ଜମିରୁ ପାଣି ଆଣି ଚର୍ଚ୍ଚାକୁ ଆସିଥିଲେ ଆଦିବାସୀ ଗାଁ ତଳବୈତରଣୀର ଦୈତାରୀ ନାଏକ । ଏହି କାମ ପାଇଁ ତାଙ୍କୁ ଚଳିତବର୍ଷ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପଦ୍ମଶ୍ରୀ ପାଇବା ପରେ ଭାବିଥିଲେ ଅବସ୍ଥା ସୁଧୁରି ଯିବ । ହେଲେ ଏବେ ଫଳ ସଂପୂର୍ଣ୍ଣ ଓଲଟା । ସମ୍ମାନ ମିଳୁଛି ହେଲେ ପେଟ ଭୋକିଲା । ପଦ୍ମଶ୍ରୀ ସମ୍ମାନ ମିଳିବା ପରେ ବିଭିନ୍ନ ସଭା ସମିତିକୁ ଅତିଥି ଭାବେ ନିମନ୍ତ୍ରଣ ମିଳୁଛି, ହେଲେ ପେଟ ପାଇଁ କାମ ମିଳୁନି । ତେଣୁ କ୍ଷୋଭର ସହ ପଦ୍ମଶ୍ରୀ ସମ୍ମାନ ଫେରାଇ ଦେବାକୁ ନିଷ୍ପତି ନେଇଛନ୍ତି ଦୈତାରୀ ନାୟକ ।

ଇନ୍ଦିରା ଆବାସ ଅଧାଗଢ଼ା, ଚାଳ ଘରେ ପରିବାର । ଛେଳି ଗୁହାଳରେ ଝୁଲୁଛି ମାନପତ୍ର । ଛେଳି ଗୁହାଳରେ ଟଙ୍ଗା ହୋଇଛି ପଦ୍ମଶ୍ରୀ ପଦକ ସହ ଜଳ ପୁରୁଷଙ୍କୁ ମିଳିଥିବା ବହୁ ମାନପତ୍ର । ସରକାରଙ୍କ ପକ୍ଷରୁ ମିଳିଥିବା ଇନ୍ଦିରା ଆବାସ ଅଧାଗଢା ହୋଇ ରହିଥିବାରୁ ଚାଳ ଛପର ଘରେ ବିତୁଛି ପଦ୍ମଶ୍ରୀଙ୍କ ଜୀବନ । ସେହିଭଳି କାମ ମିଳୁନଥିବାରୁ ନିଜେ ଦୈତାରୀ ସ୍ତ୍ରୀ ସହ ମିଶି ବଜାରରେ ବିକୁଛନ୍ତି ଆମ୍ବସଢା ଓ ଶାଳପତ୍ର ଖଲି ।

ପଦ୍ମଶ୍ରୀ ପାଇବା ପରେ ଦୈତାରୀଙ୍କ ଗାଁରେ ଆନନ୍ଦର ଲହରୀ ଖେଳିଯାଇଥିଲା । ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ, ବୁଦ୍ଧିଜିବୀ ସମସ୍ତଙ୍କ ସୁଅ ଛୁଟିଥିଲା । ଅଦିବାସୀ ଗାଁର ଉନ୍ନତି ପାଇଁ ଅନେକ ପ୍ରତିଶ୍ରୁତି ମିଳିଥିଲା । ଦୈତାରୀ ଭାବିଥିଲେ ତାଙ୍କ ଜିବନରୁ ଦୁଃଖ ଅପସରିଗଲା । ହେଲେ ତାଙ୍କର ସବୁ ସ୍ୱପ୍ନ ଅଧା ରହିଗଲା । ପଦ୍ମଶ୍ରୀ ପାଇବାର ଦିନ କେଇଟା ପରେ ଦୈତାରୀ ଏବଂ ତାଙ୍କ ଅବହେଳିତ ଗାଁକୁ ସମସ୍ତେ ଭୁଲିଗଲେ ବୋଲି କହିଛନ୍ତି ପଦ୍ମଶ୍ରୀ ଦୈତାରୀଙ୍କ ପୁଅ । ଦିନ ମଜୁରୀ କରି ପେଟ ପୋଷୁଥିବା ଦୈତାରୀ ନାଏକଙ୍କ ନାଁ ପଛରେ ପଦ୍ମଶ୍ରୀ ସମ୍ମାନ ଯୋଡା ହେବା ପରେ ତାଙ୍କ ସମୟ ବିତୁଛି ଜଙ୍ଗଲରୁ ଶାଳ ପତ୍ର ଗୋଟାଇବାରେ ।