ପଶ୍ଚିମରେ ଫୁଟିଲା ପଦ୍ମ ! ଏଥର ପଦ୍ମଶ୍ରୀ ସମ୍ମାନ ତାଲିକାରେ ସ୍ଥାନ ପାଇଛନ୍ତି ଚାରି ଜଣ ଓଡିଆ

88

କନକ ବ୍ୟୁରୋ : ପଦ୍ମଶ୍ରୀ ସମ୍ମାନ ପାଇଁ ଘୋଷଣା ହୋଇଛି ନାଁ । ଆଉ ତାଲିକାରେ ଏଥର ସ୍ଥାନ ପାଇଛନ୍ତି ଚାରି ଚାରି ଜଣ ଓଡିଆ । ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ଫିଲ୍ମ ଅଭିନେତା, ନିର୍ଦ୍ଦେଶକ ତଥା ନିର୍ମାତା ସାଧୁ ମେହେର, ବରିଷ୍ଠ ଡାକ୍ତର ମୁକୁଟ ମିଂଜ୍ ଏବଂ ଓଡିଆ କଂଠଶିଳ୍ପୀ ଜିତେନ୍ଦ୍ର ହରିପାଲ୍ । ଏମାନଙ୍କ ସହ କ୍ରିକେଟର ବିରାଟ କୋହଲି, ଅଲିମ୍ପିଆନ୍ ଦୀପା କର୍ମକାର ଓ ସାକ୍ଷୀ ମଲ୍ଲିକଙ୍କୁ ବି ପଦ୍ମଶ୍ରୀ ସମ୍ମାନ ମିଳିବ ।

ସାଧୁ ମେହେର । ଓଡିଆ ଚଳଚ୍ଚିତ୍ର ଜଗତର ପରିଚିତ ଚେହେରା । ୮୦ ଦଶକରେ ଓଡିଆ ସିନେମାକୁ ସେ ଦେଇଥିଲେ ନୂଆ ରୂପ । ହିନ୍ଦି ଫିିଲ୍ମରୁ କ୍ୟାରିଅର୍ ଆରମ୍ଭ କରିଥିଲେ ସାଧୁ । ଭୂବନ ସୋମ, ଅଙ୍କୁର ଏବଂ ମ୍ରିଗୟା ଭଳି ଫିଲ୍ମ ତାଙ୍କ ଅଭିନୟର ଗୋଟିଏ ଗୋଟିଏ ମାଇଲଖୁଂଟ । ଅଙ୍କୁରରେ ବଳିଷ୍ଠ ଅଭିନୟ ପାଇଁ ତାଙ୍କୁ ମିଳିଥିଲା ଜାତୀୟ ପୁରସ୍କାର । ପରେ ଓଡିଆ ଚଳଚିତ୍ର ଆଡକୁ ମୁହାଁଇଥିଲେ ଏହି ଭର୍ସାଟାଇଲ୍ ଆକ୍ଟର । ତାଙ୍କ ଅଭିନୀତ ଓ ନିର୍ଦ୍ଦେଶିତ ଓଡିଆ ଫିଲ୍ମ ମଧ୍ୟରେ ରହିଛି ଅଭିମାନ, ବାଲିଘର, ପ୍ରତିମୂର୍ତି, ଶେଷଦୃଷ୍ଟି, ଶୀତ ରାତି, ବାବୁଲା ଏବଂ ଅପରିଚିତ । ସମ୍ଭଲପୁରୀ ଫିଲ୍ମ ଭୁଖା ପାଇଁ ଚର୍ଚାକୁ ଆସିଥିଲେ ସାଧୁ ମେହେର । ଆଉ ଦୀର୍ଘଦିନର ସାଧନା ପରେ ତାଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ ।

ପଦ୍ମଶ୍ରୀ ତାଲିକାରେ ଥିବା ଆଉ ଜଣେ ଓଡିଆ ହେଲେ ଡାକ୍ତର ମୁକୁଟ ମିଂଜ୍ । ସୁନ୍ଦରଗଡର ମୂଳ ବାସିନ୍ଦା ଡାକ୍ତର ମିଂଜ୍ ନିକଟରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବୃକକ୍ ପ୍ରତିରୋପଣ କରି ଚର୍ଚାକୁ ଆସିଥିଲେ । ଅଙ୍ଗପ୍ରତିରୋପଣ କ୍ଷେତ୍ରରେ ତାଙ୍କର ୩୭ ବର୍ଷର ଅଭିଜ୍ଞତା ରହିଛି । ସମ୍ବଲପୁର ୟୁନିଭରସିଟିରୁ ଡାକ୍ତରୀ ଶିକ୍ଷା ଲାଭ ପରେ ଏମ୍ସ ଏବଂ ଚଣ୍ଡୀଗଡ ଫୋର୍ଟିସ ହସ୍ପିଟାଲ ଭଳି ସ୍ଥାନରେ କାମ କରିଛନ୍ତି ଏହି ବରିଷ୍ଠ ଡାକ୍ତର ।

ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ଆଉ ଜଣେ ଓଡିଆ ହେଲେ କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲ୍ । ଲୋକପ୍ରିୟ ଗୀତ ରଙ୍ଗବତୀ ଗାଇଛନ୍ତି ହରିପାଲ୍ । ଯାହା ଓଡିଶା ସହ ଦେଶ ବିଦେଶରେ ଖୁବ୍ ଆଦୃତ ହୋଇଛି । ଏଥିସହ ଏକ ହଜାରରୁ ଅଧିକ ସମ୍ବଲପୁରୀ ଗୀତରେ କଣ୍ଠଦାନ କରିଛନ୍ତି ଜିତେନ୍ଦ୍ର ହରିପାଲ ।

ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି ବି ପାଇବେ ପଦ୍ମଶ୍ରୀ ସମ୍ମାନ । ଅରୁଣାଙ୍କ ନୃତ୍ୟରେ ରହିଛି ଆକର୍ଷଣୀୟ ଭାବ ଭଙ୍ଗୀ, ତାଳ ଓ ଅଭିନୟ । ପୂର୍ବରୁ ସଂଗୀତ ନାଟକ ଏକାଡେମୀ, ମାହାରୀ ସମ୍ମାନ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁରସ୍କୃତ ହୋଇଥିବା ଅରୁଣା ମହାନ୍ତି, ଦୀର୍ଘଦିନ ପରେ ପାଇବେ ପଦ୍ମଶ୍ରୀ ସମ୍ମାନ ।

ପଦ୍ମଶ୍ରୀ ସମ୍ମାନ ତାଲିକାରେ ଅଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି । ଲଗାତର ଭାବେ ଫର୍ମରେ ଅଛନ୍ତି ବିରାଟ । ଟିମ୍ ଇଣ୍ଡିଆର ବିଜୟ ପାଇଁ ସେ ସାଜିଛନ୍ତି ମିଷ୍ଟର ଡିପେଣ୍ଡେବୁଲ୍ । ଏଥିସହ ଅଲିମ୍ପିଆନ୍ ଦୀପା କର୍ମକାର, ସାକ୍ଷୀ ମଲ୍ଲିକ ଏବଂ ଗାୟକ କୈଳାସ ଖେର ଓ ଅନୁରାଧା ପୌଡୱାଲଙ୍କୁ ବି ପଦ୍ମଶ୍ରୀ ସମ୍ମାନ ମିଳିବ ।

ସେହିପରି ପଦ୍ମବିଭୂଷଣ ଓ ପଦ୍ମଭୂଷଣ ସମ୍ମାନ ମଧ୍ୟ ଘୋଷଣା କରିଛନ୍ତି ସରକାର । ଏଥର ୭ ଜଣଙ୍କୁ ପଦ୍ମବିଭୂଷଣ ଓ ୭ ଜଣଙ୍କୁ ମିଳିବ ପଦ୍ମଭୂଷଣ ସମ୍ମାନ । ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଗାୟକ ୟେଶୁଦାସଙ୍କୁ ମିଳିବ ପଦ୍ମବିଭୂଷଣ ସମ୍ମାନ । ବରିଷ୍ଠ ବିଜେପି ନେତା ମୁରଲୀ ମନୋହର ଯୋଶୀ ଓ ଏନସିପି ନେତା ଶରଦ ପାୱାରଙ୍କୁ ମଧ୍ୟ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ । ବିଶିଷ୍ଟ ରାଜନେତା ସ୍ୱର୍ଗତ ପି.ଏ. ସାଙ୍ଗମାଙ୍କୁ ମରଣୋତର ଭାବେ ମିଳିବ ପଦ୍ମବିଭୂଷଣ ସମ୍ମାନ ।

ସେହିପରି ସ୍ୱାମୀ ନିରଂଜନାନନ୍ଦ ସରସ୍ୱତୀଙ୍କୁ ଯୋଗ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ମିଳିବ ପଦ୍ମଭୂଷଣ ସମ୍ମାନ । ଏହା ସହ ପ୍ରଖ୍ୟାତ ସାମ୍ବାଦିକ ସ୍ୱର୍ଗତ ଚୋ. ରାମାସ୍ୱାମୀଙ୍କୁ ସାହିତ୍ୟ, ଶିକ୍ଷା କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ମରଣୋତର ଭାବେ ମିଳିବ ପଦ୍ମଭୂଷଣ ସମ୍ମାନ ।