ଧାନର ଏମଏସପି ପ୍ରସଙ୍ଗ । ରାଷ୍ଟ୍ରପତିଙ୍କୁ ଭେଟି ଦାବି କରିବ ଗୃହକମିଟି । ବିଧାନସଭାରେ ପ୍ରସ୍ତାବ ପାରିତ । ସାମିଲ ହେବନି ବିଜେପି

18

କନକ ବ୍ୟୁରୋ : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିବ ଗୃହ କମିଟି । ଏନେଇ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି । ତେବେ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯିବା କମିଟିରେ ସାମିଲ ହେବନି ବିଜେପି । ପୂର୍ବରୁ ପ୍ରଧାନମନ୍ତ୍ରୀ ଗୃହକମିଟିକୁ ଭେଟିବାକୁ ସମୟ ଦେଇନଥିଲେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୱିଂଟାଲ ପିଛା ୨୯୩୦ ଟଙ୍କା କରିବା ପାଇଁ ଅଣାଯାଇଥିବା ସଂକଳ୍ପକୁ ସର୍ବସମ୍ମତ ପ୍ରସ୍ତାବ ପାଶ କରାଯାଇଥିଲା । ଏହାକୁ ସବୁଦଳ ସମର୍ଥନ ଦେଇଥିଲେ । ହେଲେ ବିଧାନସଭା ଗୃହ କମିଟିକୁ ପ୍ରଧାନମନ୍ତ୍ରୀ ସମୟ ଦେଇନଥିଲେ । ଏହା ଗୃହର ଏକତାକୁ ଭାଙ୍ଗିଦେଇଛି ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଦ୍ୱାରା ଯେଉଁ ନୂଆ ସଂକଳ୍ପ ପାରିତ ହୋଇଛି ସେଥିରେ ବିଜେପି ସମ୍ମତି ପ୍ରକାଶ କରିନାହିଁ । ବିଧାନସଭା ଗୃହ କମିଟି ରାଷ୍ଟ୍ରପତିଙ୍କୁ ଭେଟିବାକୁ ଗଲାବେଳେ ବିଜେପି ଏଥିରେ ସାମିଲ ହେବ ନାହିଁ ।

assemblyଆଲୋଚନା ଶେଷରେ ବିଧାନସଭା ଗୃହ କମିଟି ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀଙ୍କ ଦ୍ୱାରା ଯେଉଁ ନୂଆ ସଂକଳ୍ପଟି ଆଗତ ହେଲା, ସେଥିରେ ମତ ବିଭାଜନ ଘଟିଛି। ବାଚସ୍ପତି ପ୍ରଦୀପ ଅମାତ ଏହାକୁ ପାରିତ କରାଇଥିଲେ ହେଁ ବିଜେପି ଏଥିରୁ ଦୂରେଇ ଯାଇଛି। ବିଜେପି ବିଧାୟକମାନେ ଏଥିରେ ସମ୍ମତି ଜଣାଇନାହାନ୍ତି। ଫଳରେ ବିଧାନସଭା ଗୃହ କମିଟି ଆସନ୍ତା ଦିନରେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଗଲାବେଳେ ବିଜେପି ଏଥିରେ ସାମିଲ ହେବନାହିଁ। ସେହିଭଳି ବିଧାନସଭା ଗୃହ କମିଟିକୁ ପ୍ରଧାନମନ୍ତ୍ରୀ ଭେଟିବା ପାଇଁ ସମୟ ନଦେବା ଓ ପ୍ରାପ୍ତି ସ୍ୱୀକାର ନ କରିବା ଘଟଣାକୁ ନାପସନ୍ଦ କରାଯାଇଛି। ଏଥିସହିତ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର ବିରୋଧରେ ଯେଉଁ ଚାପ ସୃଷ୍ଟି କରାଯାଇଥିଲା, ସେଥିରେ ରାଜନୀତି ପଶିଯାଇଛି ।

ଆଜି ଆଲୋଚନା ବେଳେ ବିଜେପି ବିଧାୟକମାନେ ରୋକଠୋକ ଜଣାଇ ଦେଇଥିଲେ ଯେ ଯଦି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କିଛି ବି ପଦକ୍ଷେପ ନିଆଯାଏ, ସେମାନେ ସମର୍ଥନ କରିବେ ନାହିଁ। ଏପରିକି ଯଦି ନିନ୍ଦା ପ୍ରସ୍ତାବ ଅଣାଯାଏ, ତେବେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ପାରିତ ହେବା ଦରକାର। କାର୍ଯ୍ୟବ୍ୟସ୍ତତା ଯୋଗୁଁ ପ୍ରଧାନମନ୍ତ୍ରୀ ସମୟ ଦେଇନଥାଇପାରନ୍ତି ବୋଲି ସୂଚାଇ ବିଜେପି ବିଧାୟକମାନେ ଆଉଥରେ ଭେଟିବା ଲାଗି ଅନୁରୋଧ କରିବା କଥା କହିଥିଲେ।

ସେପଟେ ବିଜେଡି ବିଧାୟକ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପରିବର୍ତ୍ତେ ରାଷ୍ଟ୍ରପତିଙ୍କୁ ଭେଟି ଆପତ୍ତି ଜଣାଇବା ଲାଗି ଦାବି କରିଥିଲେ। ଏପରିକି ବାରମ୍ବାର ଚିଠି କରାଯିବା ସତ୍ତ୍ୱେ ଗୃହ କମିଟିକୁ ଭେଟିବା ଲାଗି ପ୍ରଧାନମନ୍ତ୍ରୀ ସମୟ ଦେଲେ ନାହିଁ, ସେ ନେଇ ଜଣାଇବେ। ସେହିପରି କଂଗ୍ରେସ ବିଧାୟକମାନେ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିବା ସପକ୍ଷରେ ମତ ଦେଇଥିଲେ ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ଅର୍ଥାତ କ୍ୱିଣ୍ଟାଲ ପିଛା ୩୫୧୬ ଟଙ୍କା କରିବା ଲାଗି ସାନି ସଂକଳ୍ପ କଥା ଉଠାଇଥିଲେ।ଏମଏସପି ବୃଦ୍ଧି ପ୍ରସଙ୍ଗରେ ପଶିଛି ରାଜନୀତି । ବିଜେଡି-କଂଗ୍ରେସ ଏକାଠି ହୋଇଥିବା ବେଳେ ଅଲଗା ହୋଇଛି ବିଜେପି ।