ତେଜୁଛି ଧାନ ଦର ବିବାଦ ! ଆଜି ପ୍ରତିବାଦ ସଭା କରିବ ବିଜେଡ଼ି

49

କନକ ବ୍ୟୁରୋ : ଏମଏସପି ଦର ବୃଦ୍ଧିକୁ ନେଇ ତେଜିବାରେ ଲାଗିଛି ବିବାଦ । ଓଡିଶାର ଚାଷୀଙ୍କ ଦାବିକୁ କେନ୍ଦ୍ର ଅବହେଳା କରିବା ପ୍ରତିବାଦରେ ଆଜି ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜୁ ଜନତା ଦଳ । ଧାନ କୁଇଁଟାଲ ପିଛା ୨୯୩୦ ଟଙ୍କା ଦାବି କରି ଓଡିଶା ବିଧାନସଭାରେ ସର୍ବସମ୍ନତ ପ୍ରସ୍ତାବ ଗୃହିତ ହୋଇଥିଲା । ଏନେଇ କେନ୍ଦ୍ରକୁ ରାଜ୍ୟ ସରକାର ଦାବି ଜଣାଇଥିଲେ । କିନ୍ତୁ କେନ୍ଦ୍ର ଏହାକୁ ଗ୍ରହଣ କରିବା ପରିବର୍ତ୍ତେ କଟାକ୍ଷ କରି ଚିଠି ଲେଖିଛି । ଚିଠିରେ ଧାନର ସର୍ବନିମ୍ନ ମୂଲ୍ୟ ୧୫୫୦ଟଙ୍କାରୁ ଅଧିକ ବୃଦ୍ଧି କରାଯିବ ନାହିଁ ବୋଲି ଲେଖାଯାଇଛି । ଏପରିକି ଚାଷୀଙ୍କୁ ବ୍ୟଙ୍ଗ କରି ଲେଖାଯାଇଛି ଯଦି ଚାଷୀଙ୍କୁ ଏହି ମୂଲ୍ୟ ନପୋଷାଉଛି ତେବେ ସେମାନେ ଖୋଲା ବଜାରରେ ସେମାନଙ୍କର ଧାନକୁ ବିକନ୍ତୁ । ଯାହାକୁ ନେଇ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଘୋଷଣା କରିଛି ।

ସେପଟେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ସଚିବାଳୟରେ ପଶିବ ବିଜେପି । ବିଜେପି କୃଷକ ମୋର୍ଚ୍ଚାର କର୍ମୀମାନେ ସଚିବାଳୟ ଚାଲ ନାଁରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛି । ବିଜେପି ପକ୍ଷରୁ କୁହାଯାଇଛି ବର୍ଷା ଯୋଗୁଁ ନଷ୍ଟ ହୋଇଥିବା ଫସଲର କ୍ଷୟକ୍ଷତି ଆକଳନ ୨୫ତାରିଖ ସୁଦ୍ଧା ଶେଷ କରି ରିପୋର୍ଟ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ସମୟସୀମା ଶେଷ ହୋଇଥିଲେ ମଧ୍ୟ ସରକାର କ୍ଷୟକ୍ଷତି ସମ୍ପର୍କୀତ ରିପୋର୍ଟ ଦେଇ ନାହାଁନ୍ତି । ଏହା ସହିତ ରାଜ୍ୟ ସରକାର ଚାଷୀଙ୍କୁ ଧାନର ସର୍ବନିମ୍ନ ମୂଲ୍ୟ ଉପରେ ବୋନସ ଦେବାକୁ ଦାବି କରି ଆଜି ସଚିବାଳୟ ଘେରିବାକୁ ଯୋଜନା କରିଛି ବିଜେପି । ତେବେ ଏନେଇ ବିଜେପିର ସଚିବାଳୟ ଚାଲ ଅଭିଯାନ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଠି ନୁହେଁ କେନ୍ଦ୍ର ଆଗରେ ଆନ୍ଦୋଳନ କରୁ ବିଜେପି ।