କେମିତି ଅଛି ରାତିରେ ମଣ୍ଡି? : ଶୀତ କାକରରେ ମଣ୍ଡିରେ ଧାନ ଜଗିଛି ଚାଷୀ, ଗ୍ରାଉଣ୍ଡ ଜିରୋରେ କନକ ନ୍ୟୁଜ୍

ସରକାରୀ ମଣ୍ଡିରେ ଧାନ ବିକିବା ପାଇଁ ରାତି ଅନିଦ୍ରା ହେଉଛନ୍ତି କଟକ ବାଙ୍କି ବ୍ଲକର ଚାଷୀ ।

67

କନକ ବ୍ୟୁରୋ : ଚାଷୀ ଆଉ ସମସ୍ୟା ଯେମିତି ଅଙ୍ଗା ଅଙ୍ଗି ଭାବେ ଜଡିତ । ଚାଷ ଆରମ୍ଭରୁ ବିଭିନ୍ନ ସମସ୍ୟା ଦେଇ ଗତି କରିଥିବା ଚାଷୀ ଫସଲ ଅମଳ ପରେ ମଧ୍ୟ ହିନସ୍ତା ହେଉଛନ୍ତି । ସରକାରୀ ମଣ୍ଡିରେ ଧାନ ବିକିବା ପାଇଁ ରାତି ଅନିଦ୍ରା ହେଉଛନ୍ତି କଟକ ବାଙ୍କି ବ୍ଲକର ଚାଷୀ ।

ଖୋଲା ଆକାଶ ତଳେ ପଡିରହିଛି କ୍ୱିଂଟାଲ କ୍ୱିଂଟାଲ ଧାନ । ଆଉ ଏହାକୁ ଶୀତ କାକରରେ ଜଗି ରହିଛନ୍ତି ଚାଷୀ । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ବ୍ଲକର ଏକ ମଣ୍ଡିରେ । ଠିକ୍ ସମୟରେ ମଣ୍ଡି ଖୋଲା ଯାଇନଥିବାରୁ କ୍ୱିଂଟାଲ କ୍ୱିଂଟାଲ ଧାନର ଅବସ୍ଥା ଏପରି ହୋଇଛି । ଆଉ ରକ୍ତକୁ ପାଣି କରି ଜମିରୁ ଅମଳ କରିଥିବା ଫସଲ ଶୀତ କାକର ଖାଉଛି ।

ବିଳମ୍ବିତ ରାତିରେ ମଣ୍ଡିର ସ୍ଥିତି ପରଖିବା ପାଇଁ ପହଂଚିଥିଲା କନକ ନ୍ୟୁଜ୍ ଟିମ୍ । ଆଉ କ୍ୟାମେରାରେ କଏଦ ହୋଇଥିବା ଏହି ଦୃଶ୍ୟରୁ ବାରି ହେଉଛି ଯେ କିପରି ସମସ୍ୟା ଦେଇ ଗତି କରୁଛନ୍ତି ଚାଷୀ । ଠିକ୍ ସମୟରେ ମଣ୍ଡି ନଖୋଲିବା ସହ ଆବଶ୍ୟକ ମିଲର ନଥିବା କାରଣରୁ ଏଭଳି ସମସ୍ୟା ଉପୁଜିଛି ।

ସେପଟେ ପାଣିପାଗ ବିଭାଗ ଲଘୁଚାପର ପୂର୍ବାନୁମାନ କରିଥିବା ବେଳେ ଚିନ୍ତାରେ ପଡିଛନ୍ତି ଚାଷୀକୂଳ । ଧାନ ଅମଳ ପରେ ତାକୁ ଗଚ୍ଛିତ କରି ରଖିବା ପାଇଁ ଆବଶ୍ୟକୀୟ ଘର ନଥିବାରୁ ଧାନ ବସ୍ତାକୁ ବାରଣ୍ଡାରେ ଲାଟ୍ ମାରିଛି ଚାଷୀ ।