ପାଣି ଜମିବା ଫଳରେ ଜମିରେ ଧାନ ହେଉଛି ଗଜା । ଡଙ୍ଗାରେ ବୁହା ହେଉଛି ଧାନ । ମହାକାଳପଡାରେ ଅଭାବନୀୟ ଚିତ୍ର

37

କନକ ବ୍ୟୁରୋ : ଲଘୁଚାପ ବର୍ଷା ଉଜାଡି ଦେଲା ଚାଷୀର ସ୍ୱପ୍ନ । ପାଚିଲା ଧାନ କ୍ଷେତରେ ପାଣି ଜମିରହିବା ଫଳରେ ଧାନ ହୋଇଯାଇଛି ଗଜା । ଫଳରେ ପାଣିରେ ପଶି ଚାଷୀ ଧାନ କାଟି ନେଉଛି ଡଙ୍ଗା ସହାୟତାରେ । ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ  ମିଳିଛି ମହାକାଳପଡା ବ୍ଲକ ହରିଆବାଙ୍କ ଗାଁରେ । ଅମଳ ହେବାକୁ ଥିବା ଧାନର ଏଭଳି ଅବସ୍ଥା ଦେଖି ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି ।

ଚାଷୀ ପାଣିରେ ପଶି ଧାନ କାଟି ବୋହି ଆଣୁଛନ୍ତି ଡଙ୍ଗା ସହାୟତାରେ । ଗାଁର ନିଶିକାନ୍ତ ମାଇତି ୨ ଏକର ଅଧିକ ଜମିରେ ଧାନ ଚାଷ କରିଥିଲେ । କିନ୍ତୁ ଲଘୁଚାପ ବର୍ଷା ଯୋଗୁଁ ଜମିରେ ଏବେ ବି ପାଣି ଜମିଥିବାରୁ ଧାନ କାଟିବା ପରେ ଡଙ୍ଗା ସହୟତାରେ ସେ ରାସ୍ତାକଡକୁ ଧାନ ଆଣୁଛନ୍ତି । ଚାଷ ଜମିରୁ ପାଣି ନିଷ୍କାସନ ପାଇଁ ସମସ୍ୟା ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପାଣି ନିଷ୍କାସନ ପାଇଁ ନାଳକୁ ଜବରଦଖଲ କରିବା ଦ୍ୱାରା ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆଉ କୃଷିବିଭାଗ ବି ଏ ନେଇ ଅଜବ ଉତର ଦେଇଛି ।

ଚଳିତ ବର୍ଷ ଚାଷକୁ ନେଇ ଚାଷୀ ପରିବାରରେ ଭାଳେଣୀ ପଡିଛି । ଚାଷ ଆରମ୍ଭରୁ ସମସ୍ୟାରୁ ସମ୍ମୁଖୀନ ହେଉଥିବା ଚାଷୀ ଶେଷରେ ଅମଳ ବେଳେ ବି ପ୍ରାକୃତିକ ବିପର୍ଯ୍ୟୟର ଦାଉ ସହିଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ହଜାର ହଜାର ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି । ବର୍ଷାରେ ଗଜା ହୋଇଯାଇଛି ପାଚିଲା ଧାନ ।