ସମ୍ଭାବ୍ୟ ବାତ୍ୟାକୁ ନେଇ ଆତଙ୍କରେ ଯାଜପୁର ଚାଷୀ: ଅମଳ ହୋଇ ଖଳାରେ ପଡିରହିଛି କ୍ୱିଂଟାଲ କ୍ୱିଂଟାଲ ଧାନ; ହୋଇପାରିନି ଧାନ ସଂଗ୍ରହ

178

କନକ ବ୍ୟୁରୋ: ଯାଜପୁରରେ ଚାଷୀଙ୍କ ନିଦ ହଜେଇ ଦେଲାଣି ସାମୁଦ୍ରିକ ବାତ୍ୟା ଅମ୍ଫାନ । ସମ୍ଭାବ୍ୟ ବାତ୍ୟା ନେଇ ଏବେ ଆତଙ୍କରେ ଯାଜପୁର ଜିଲ୍ଲାର ଚାଷୀ । ଅମଳ ହୋଇ ଖଳାରେ ପଡି ରହିଛି ହଜାର ହଜାର କ୍ୱିଂଟାଲ ଧାନ । ବାତ୍ୟା ହେଲେ ଉଜୁଡି ଯିବ ଚାଷୀର ଭାତ ହାଣ୍ଡି । ପାଣିରେ ପଡିବ ଚାଷୀର ବର୍ଷକର ପରିଶ୍ରମ । ଚଳିତ ବର୍ଷ ଯାଜପୁର ଜିଲ୍ଲାର କୋରେଇ ବ୍ଲକର ରବି ଧାନ ଚାଷୀ । ଏଠାରେ ଧାନ ଅମଳ ସରିଛି , ହେଲେ ହଜାର ହଜାର କ୍ୱିଂଟାଲ ଧାନ ପଡିରହିଛି ଖଳାରେ । ଏବେ ବାତ୍ୟା ଦାଉରୁ କେମିତି ଧାନକୁ ସୁରକ୍ଷିତ ରଖିବା ତାକୁ ନେଇ ଚିନ୍ତାରେ ପଡିଲେଣି ଜିଲ୍ଲାର ଚାଷୀ । କାରଣ କେଉଁ ସ୍ଥାନରେ ବିଲ ମଝିରେ ତ ଆଉ କେଉଁଠି ଖଳାରେ ଗଦା ହୋଇ ପଡିରହିଛି କ୍ୱିଂଟାଲ କ୍ୱିଂଟାଲ ଧାନ ।

ସେପଟେ ଅମଲ ଧାନକୁ କେମିତି ସୁରକ୍ଷିତ ସ୍ଥାନକୁ ବୋହିନିଆଯିବ ସେ ନେଇ ପ୍ରାଣମୂର୍ଛା ଉଦ୍ୟମ ଚଳାଇଛି ଚାଷୀ । ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ୧୦ ହଜାର ୨୦୦ କ୍ୱିଂଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ୩୨ଟି ପେକ୍ସ ଜରିଆରେ ୫ ହଜାର ୫ ଜଣ ଚାଷୀ ପଂଜୀକୃତ ହୋଇଥିଲେ । ହେଲେ ୨୦ ତାରିଖ ବେଳକୁ ରାଜ୍ୟରେ ବାତ୍ୟା ସଂଭାବନା ଥିବାରୁ ଏହାକୁ ନେଇ ଯାଜପୁର ଜିଲ୍ଲାର କୋରେଇ ବ୍ଲକର ଧାନଚାଷୀଙ୍କ ମନରେ ଛନକା ପଶିଛି । ଏପରି ସ୍ଥିତିରେ ଧାନ କ୍ଷତିଗ୍ରସ୍ତ ହେଲେ କେମିତି ସୁଝିବେ ଋଣ, କେମିତି ଚଳିବେ ବର୍ଷ ଟିଏ ତାକୁ ନେଇ ଘାରିଛି ଚିନ୍ତା । ସରକାର ଏନେଇ କୌଣସି ପଦ କ୍ଷେପ ଗ୍ରହଣ ନକଲେ ଆଗକୁ ଆନ୍ଦୋଳନକୁ ଓହ୍ଲାଇବାକୁ ଚାଷୀ ଧମକ ଦେଇଛନ୍ତି ।