ସୀମା ଟପିଲା ଦୁର୍ନୀତି, ଧାନ ବୋହୁଛି ଦଦରା ସ୍କୁଟର: ମୋଟର ସାଇକେଲକୁ ଭାରିଯାନ ଦର୍ଶାଇ ଧାନକିଣାରେ ଶହେ କୋଟିର ଦୁର୍ନୀତି ଅଭିଯୋଗ

204

କନକ ବ୍ୟୁରୋ: ଧାନର ସହାୟକ ମୂଲ୍ୟ ନେଇ ବିଧାନସଭା ହୁଲସ୍ତୁଲ ହେଉଥିବା ବେଳେ ବରଗଡ ଜିଲ୍ଲାରୁ ଆସିଛି ଧାନକିଣା ନେଇ ସାଂଘାତିକ ଅଭିଯୋଗ । ଆଖିରେ ଆଂଗୁଠି ଗେଂଜି କୋଟି କୋଟି ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ସ୍କୁଟର, ସ୍କୁଟି ଏବଂ ମୋଟର ସାଇକେଲକୁ ଭାରି ଯାନ ଦର୍ଶାଇ ଧାନ କିଣାରେ ଶହ ଶହ କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛି ସ୍ୱେଚ୍ଛାସେବୀ ସଂଗଠନ-‘ଫର୍’ । ପଢନ୍ତୁ ଏହି ରିପୋର୍ଟ ।

ଗାଡ଼ି ନମ୍ବର: ଓଆର୍ ୧୫ଏ ୪୦୪୯ । ଶ୍ରେଣୀ : ମୋଟର ସାଇକେଲ, ସ୍କୁଟର । ପଞ୍ଜିକରଣ ବର୍ଷ : ୧୯୯୩ । ୨୫ ବର୍ଷ ତଳରେ ଏହି ସ୍କୁଟରରେ ପରିବହନ ହୋଇଛି ୨୪ ଦଶମିକ୍ ୨ଟନ୍ ଧାନ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଏହି ତଥ୍ୟ ହିଁ ପ୍ରମାଣିତ କରିଛି ଧାନକିଣା ନାଁରେ କେତେ ବଡ ଦୁର୍ନୀତି ହୋଇଛି । ୨୫ବର୍ଷ ତଳେ ପଂଜିକୃତ ହୋଇଥିବା ସ୍କୁଟର ହୁଏତ ଆଜି ଗଡ଼ିବା ଅବସ୍ଥାରେ ଥିବ କି ନାହିଁ ତାହା କହିବା ମୁସ୍କିଲ କିନ୍ତୁ ଦର୍ଶାଯାଇଛି ଏଥିରେ ଧାନ ମିଲକୁ ଆସିଛି ।

ଆରଟିଆଇ ତଥ୍ୟ ଅଧାରରେ ଫାଇଟ୍ ଅନ୍ ରାଇଟ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ମିଳିଥିବା ତଥ୍ୟ ଅନୁସାରେ ଏହି ସ୍କୁଟରରେ ୨୨ଟନ୍ ଧାନ ପରିବହନ ସମବାୟ ସମିତି ଜରିଆରେ ମିଲକୁ ପଠାଯାଇଛି । ଏମିତି ୪ଟି ଘଟଣାର ନମୂନା ସର୍ଭେ ଅନୁସାରେ ପ୍ରାୟ ଶହେ କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।

ଗତବର୍ଷ ରିବ ଫସଲରେ ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରୁ ପ୍ରାୟ ୪୮ ଲକ୍ଷ କ୍ୱିଂଟାଲ ଧାନ କିଣାଯାଇଛି । ହେଲେ ପ୍ରକୃତରେ କେତେ ଧାନ କିଣାଯାଇଛି ତାହା କହିବା ମୁସ୍କିଲ । କାରଣ ମାତ୍ର ୪ଟି ପେକ୍ସରୁ ଏଭଳି ତଥ୍ୟ ମିଳିଛି, ଆଉ ଅବଶିଷ୍ଟ ୫୪ଟି ପେକ୍ସରେ କିଭଳି ଧାନକିଣା କାରବାର ହୋଇଥିବ, ତାହା ସ୍ପଷ୍ଟ ଅନୁମାନ କରାଯାଇପାରେ ।

ଏପଟେ ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ହୁଲୁସ୍ତୁଲ କରିଛନ୍ତି ବିରୋଧୀ । ବିରୋଧୀ ଦଳ ନେତା, ବରଗଡ଼ର ଧାନକିଣା ଦୁର୍ନୀତି ପ୍ରସଙ୍ଗରେ କୃଷିମନ୍ତ୍ରୀଙ୍କୁ ଘେରିଛନ୍ତି । ଏହି ପୁରା ଘଟଣାରେ ମିଲ ମାଲିକ, ଆରଏମସି କର୍ମଚାରୀ ଏବଂ ପେକ୍ସ କର୍ମଚାରୀଙ୍କ ଭୂମିକାକୁ ନେଇ ଛିଡ଼ା ହୋଇଛି ବଡ ପ୍ରଶ୍ନବାଚୀ । କାରଣ ଏମାନଙ୍କ ଅଂଶଗ୍ରହଣ ଭିତରେ ଚାଲେ ଧାନକିଣା ପ୍ରକ୍ରିୟା ।

ଅନ୍ୟପଟେ, ଏମଏସପି ପ୍ରସଙ୍ଗରେ କେନ୍ଦ୍ରର ମୋଦି ସରକାରକୁ ଘେରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୧୪୭ ବିଧାୟକଙ୍କୁ ଆହ୍ୱାନ ଦେଇଛନ୍ତି ବିରୋଧି ଦଳ ନେତା ନରସିଂହ ମିଶ୍ର । ଧାନ କ୍ୱିଂଟାଲ ପିଛା ୨୯୩୦ ଟଙ୍କା ଦାବି କରି ଏହି ଆହ୍ୱାନ ଦେଇଛନ୍ତି ନରସିଂହ । ଆଜି ବିଧାନସଭାରେ ଚାଷୀ ସମସ୍ୟା ନେଇ କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଦିନ ୧୨ଟାରୁ ସାଢେ ୩ଘଂଟା ପର୍ଯ୍ୟନ୍ତ ସରଗରମ ଆଲୋଚନା ହୋଇଥିଲା । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏମଏସପି ପ୍ରସଙ୍ଗ ଉଠାଇ ଦିଲ୍ଲୀ ଚଲୋ ଡାକରା ଦେଇଥିଲେ ।