କାଳ ସାଜିଲା ସରକାରୀ ଔଷଧ ! ପୋଡ଼ିଗଲା ହେକ୍ଟର ହେକ୍ଟର ଧାନ, ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

155

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ରେମୁଣା ପରେ ଏବେ ଜଳେଶ୍ୱର ବ୍ଲକ୍‌ରେ କୃଷି ବିଭାଗର ଖାମଖିଆଲ ନୀତିର ଆଉ ଏକ ନମୁନା ଦେଖିବାକୁ ମିଳିଛି । ରେମୁଣାରେ ବିଭାଗୀୟ ବାବୁମାନେ ଚାଷୀଙ୍କୁ ଭୁଲ୍‌ ଔଷଧ ଦେବାରୁ ହେକ୍ଟର ହେକ୍ଟର ଜମିର ଧାନଗଛ ପୋଡ଼ିଯାଇଥିଲା । ଏଥିରୁ କିନ୍ତୁ ବିଭାଗ ନ ଚେତିବା ପରି ମନେହେଉଛି । ଏବେ ଜଳେଶ୍ୱରରେ ପୁଣି ବିଭାଗୀୟ ଭୁଲ୍‌ ଔଷଧ ଯୋଗୁ ଚାଷୀଙ୍କ ହେକ୍ଟର ହେକ୍ଟର ଜମିର ଧାନ ଫସଲ ପୋଡ଼ିଯାଇଥିବା ଅଭିଯୋଗ ଆସିଛି । ଫଳରେ ଚାଷୀମାନେ ଚିନ୍ତାରେ ଦିନ କାଟୁଛନ୍ତି ।

JALESWAR
IMAGE COIURTESY-http://sambad.in/

ପ୍ରବଳ ଖରା ଓ ଗୁଳୁଗୁଳିର ପ୍ରକୋପ ବଢ଼ୁଥିବାରୁ ଜଳେଶ୍ବର ଅଞ୍ଚଳ‌େର ଗତ ସପ୍ତାହ ଧରି ପୁଣି ରୋଗପୋକର ପ୍ରାଦୁର୍ଭାବ ବଢ଼ିଛି । ବିଶେଷ କରି ବ୍ଲକ୍‌ର ସୁଗୋ, ଆରଆରପୁର, ଚମାରଗାଁ, ବରିଡିହା, ନେତୁଆ, ନାମ୍ପୋ ଆଦି ଅଞ୍ଚଳରେ ଏକପ୍ରକାର ବିଏଲ୍‌ବି ରୋଗ ଯୋଗୁ ଗଛ ନାଲି ପଡ଼ିବା ସହ ଚକଡ଼ା ଲାଗିବା ପରି ଦେଖାଯାଉଥିଲା । ଏହାର ମୁକାବିଲା ପାଇଁ ଚାଷୀମାନେ ଜଳେଶ୍ବର କୃଷି ବିଭାଗ ସହ ଯୋଗାଯୋଗ କରିଥିଲେ । ଚାଷୀମାନେ ବିଭାଗୀୟ ବାବୁମାନଙ୍କ ପରାମର୍ଶ କ୍ରମେ ସରକାରୀ କପର ଫଞ୍ଜିସାଇଡ୍ ଔଷଧ କିଣିବା ସହ ଜମିରେ ସିଞ୍ଚନ କରିଥିଲେ । ତେବେ ସିଞ୍ଚନ କରିବାର ଦିନେ ଦୁଇଦିନ ମଧ୍ୟରେ ଗଛର ପତ୍ର ସବୁ ଶୁଖିଯିବା ସହ ମୋଡ଼ି ହୋଇଯାଇଛି । ଏବେ ଧାନଗଛରେ ଗଣ୍ଡି ବାହାରି ସାରିଥିବାରୁ ଆଉ ନୂୂଆ ପତ୍ର ବାହାରିବାର ସମ୍ଭାବନା ନାହିଁ । ଚାଷୀ ଏପରି ଅସ୍ବାଭାବିକ ପରିସ୍ଥିତ ପାଇଁ ଚିନ୍ତାରେ ପଡ଼ିଯାଇଛନ୍ତି । ବ୍ଲକ୍‌ର ପ୍ରାୟ ୨ ଶହ ହେକ୍ଟର ଜମିରେ ଏପରି ଅସୁବିଧା‌ ହୋଇଛି ।

4000-farmer-commiting-suicide-in-india

ଯାହା ଜଣାପଡ଼ିଛି; ଚାଷୀମାନେ କିଣିଥିବା ଔଷଧର ଅବଧି ଶେଷ ହୋଇଯାଇଥିଲା । ଔଷଧ ପ୍ୟା‌େକଟ୍‌ରେ ରିଷ୍ଟିକରିଂ କରାଯାଇ ଚାଷୀଙ୍କୁ ଠକାଯାଇଛି ବୋଲି ଅଭିଯୋଗ ହୋଇଛି । ତେବେ ଓଡ଼ିଶା ଏଗ୍ରୋ ଇଣ୍ଡଷ୍ଟ୍ରି ଏହି ଔଷଧ ଯୋଗାଇଛି । ତେବେ ଏନେଇ ଜଳେଶ୍ବର କୃଷି ଅଧିକାରିଣୀ ଅଭିଯୋଗ ପାଇବା ପରେ ଆଜି ସୁଗୋ ଅଞ୍ଚଳକୁ ଗସ୍ତ କରିଥିଲେ । ସେ କୃଷି କ୍ଷେତ ବୁଲି ଚାଷୀଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଜିଲ୍ଲା କୃଷି ଅଧିକାରୀଙ୍କୁ ରିପୋର୍ଟ ଦିଆଯିବ ଓ ଖୁବ୍‌ଶୀଘ୍ର କୃଷି ବୈଜ୍ଞାନିକମାନେ କ୍ଷେତ୍ର ପରିଦର୍ଶନ କରିବେ ବୋଲି ସେ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ‌; ରେମୁଣା ବ୍ଲକ୍‌ ଅଧୀନ ଶ୍ରୀଜଙ୍ଗ ପଞ୍ଚାୟତର ପ୍ରାୟ ୧ ଶହ ହେକ୍ଟର ଧାନକ୍ଷେତରେ ପତ୍ରପୋଡ଼ା, କାଣ୍ତବିନ୍ଧା, ପଚା ଆଦି ରୋଗ ଦେଖାଯାଇଥିଲା । ଫଳରେ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ରୋଗର ଲକ୍ଷଣ ଦେଖି ରିହାତି ଦରରେ ଔଷଧ କିଣି ଚାଷଜମିରେ ପକାଇବାକୁ ପରାମର୍ଶ ଦିଆଯାଇଥିଲା । ପରାମର୍ଶ ଅନୁସାରେ ପଞ୍ଚାୟତର ୨ ଶହରୁ ଅଧିକ ଚାଷୀ ୟୁନିକପ୍‌ ୫୦୦ ଓ ଆଣ୍ଟିବେକ୍‌ ଔଷଧ କିଣି ଜମିରେ ପକାଇଥିଲେ । ଔଷଧ ବ୍ୟବହାର କରିବାର ୩ ଦିନ ପରେ ଧାନଗଛ ହଳଦିଆ ରଂଗ ହେବା ସହ ପୋଡ଼ିଯାଇଥିଲା। ସ୍ଥିତି ସୁଧୁରିବା ପରିବର୍ତେ ଅଧିକ ଜଟିଳ ହୋଇପଡ଼ିଥିଲା ।