ଅଭାବୀ ବିକ୍ରି ସାଙ୍ଗକୁ ସମ୍ଭାବ୍ୟ ଲଘୁଚାପ ବର୍ଷା ! ରାଜ୍ୟ ବାହାରକୁ ବେଲଗାମ୍ ଧାନ ଚାଲାଣ୍

85

କନକ ବ୍ୟୁରୋ : ଅଭାବୀ ବିକ୍ରି ସାଂଗକୁ ସମ୍ଭାବ୍ୟ ଲଘୁଚାପ ବର୍ଷା କାରଣରୁ ଧାନ ଚାଲାଣ ଏବେ ବେଲଗାମ୍‌ । ଦୈନିକ ଶହଶହ ଟ୍ରିପ୍‌ ଧାନ ବାହାର ରାଜ୍ୟକୁ ଚାଲାଣ ହେଉଛି । ଜିଲ୍ଲାରେ ମଣ୍ଡି ଖୋଲିବା ବିଳମ୍ବ ଯୋଗୁଁ ଚାଷୀ ବେହାଲ ହୋଇପଡିଥିବା ବେଳେ ବେପାରୀ କିନ୍ତୁ ମାଲାମାଲ ହେବାରେ ଲାଗିଛନ୍ତି । ଏଭଳି ସ୍ଥିତିରେ ପ୍ରଶାସନର ଚଢ଼ାଉ କେ‌ବଳ ଲୋକ ଦେଖାଣିଆ ବୋଲି ଆଲୋଚନା ହେଉଛି । ଯାଜପୁର ଜିଲ୍ଲା ସମେତ ଉପକୂଳ ଜିଲ୍ଲାଗୁଡ଼ିକର ଚାଷୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଧାନ ଅମଳ କରିବାରେ ଲାଗିପଡ଼ିଛନ୍ତି । ସରକାରଙ୍କର ଧାନ ମଣ୍ଡି ଖୋଲିନଥିବା ସୁଯୋଗରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଅନ୍ୟ ପଡୋଶୀ ରାଜ୍ୟର ଧାନ ବ୍ୟବସାୟୀମାନେ ଏଠାରେ ଡେରା ପକାଇଛନ୍ତି ।

ଦଲାଲଙ୍କ ଜରିଆରେ ଓଡ଼ିଶାର ଧାନ ହାତେଇ ନେବାରେ ଲାଗିଛନ୍ତି । ଚାଷୀମାନେ ନିଜ ନିକଟରେ ଧାନ ଗଚ୍ଛିତ ରଖିବାର ସାଧନ ନଥିବା ବେଳେ ଦଲାଲମାନେ ଅଭାବୀ ବିକ୍ରିର ଫାଇଦା ଉଠାଉଛନ୍ତି । ଏହି ଅସାଧୁ କାରବାର ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସ୍କ୍ବାଡ୍‌ ଗଠନ କରାଯାଇଛି । ତାହା ନାମକୁ ମାତ୍ର କାମ କରୁଛି । ଦୈନିକ ବାହାର ରାଜ୍ୟକୁ ଶହ ଶହ କ୍ୱିଣ୍ଟାଲ ଧାନ ଯାଜପୁର ସମେତ ପଡୋଶୀ ଜିଲ୍ଲା ଗୁଡ଼ିକରୁ ଅନ୍ୟ ରାଜ୍ୟକୁ ଚାଲାଣ ହେଉଛି । ଗତକାଲି ତାମିଲନାଡୁ ଗାଡ଼ି କୋରେଇ ବ୍ଲକ୍ ରୁ ୮୦ କ୍ୱିଣ୍ଟାଲ ଧାନ ବେଆଇନ୍ ଭାବେ ‌‌ନେଇ ଯାଉଥିବା ବେଳେ ବିଡ଼ିଓ, ଯୋଗାଣ ଅଧିକାରୀ ପୁଲିସ ଦ୍ବାରା ଜବତ କରିଛନ୍ତି । ଅଥଚ ଚାଷୀମାନଙ୍କୁ ଠକିଥିବା ଓ ସରକାରୀ ଯୋଜନାକୁ ଚ୍ୟାଲେଞ୍ଜ ଦେଇ କମ୍ ଦାମରେ କିଣିଥିବା ବ୍ୟବସାୟୀ, ଦଲାଲ ଓ ଗାଡ଼ି ମାଲିକଙ୍କ ବିରୋଧରେ ପ୍ରାଶାସନ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍ ରହିଛି । ଠକେଇର ଶିକାର ହୋଇଥିବା ଚାଷୀଙ୍କ ମୁହଁ ବନ୍ଦ କରିବା ପାଇଁ ପ୍ରଶାସନ ଅଧିକାରୀ ମିଲରଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଚା‌ଷୀ ସରକାରୀ ମୂଲ୍ୟ ପ୍ରଦାନ କରି ଟାଳଟୁଳ ନୀତି ଅବଲମ୍ବନ କରିଛନ୍ତି । ଧାନର ଚାଲାଣ ରୢାକେଟ୍‌ ପଦାରେ ପଡ଼ିଥିଲେ ମଧ୍ୟ କାର‌୍ୟ୍ୟାନୁଷ୍ଠାନ ପାଇଁ କାହିଁକି କୁନ୍ଥ କୁନ୍ଥ ବୋଲି ପ୍ରଶ୍ନ ଉଠୁଛି ।

ଧାନ ଅଭାବୀ ବିକ୍ରି କାରବାରରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଘୋଟାଲା ହେଉଥିବା ବେଳେ ପ୍ରଶାସନ ଚୁପ୍‌ ରହିବା ଅନେକଙ୍କୁ ଆଶ୍ଚର‌୍ୟ୍ୟାନ୍ବିତ କରିଛି । ତେବେ, ଆସନ୍ତା ଦୁଇଦିନ ମଧୢରେ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ସରକାର ମଣ୍ତି ଖୋଲିବାକୁ ଯୋଜନା କରୁଥିବା ଜିଲ୍ଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର ହୋତା କହିଛନ୍ତି । ଆସନ୍ତାକାଲି ୫୦ଟି ପ୍ୟାକ୍ସ ଧାନ କିଣିବା ପାଇଁ ଚୁକ୍ତିନାମା କରିବେ ବୋଲି ଶ୍ରୀ ହୋତା କହିଛନ୍ତି । ସେହିପରି ଏଆରସିଏସ ନଗେନ୍ ସେଠୀ କହିଛନ୍ତି ଯେ, ଜିଲ୍ଲାପାଳ ଓ ସମବାୟ ସମିତିର ସମ୍ପାଦକଙ୍କ ସହିତ ଆଲୋଚନା ହୋଇଯାଇଛି । ମିଲର ଓ ସମବାୟ ସମିତି ମଧ୍ୟରେ ସରକାରୀ ଅନୁଦାନ ଭାଗ ବଣ୍ଟାକୁ ନେଇ ଚାଲିଥିବା ବିବାଦ ଏକ ପ୍ରକାର ସମାଧାନ ହୋଇଛି । ଏଥର କେବଳ ପ୍ୟାକ୍ସ ଖର୍ଚ୍ଚ କରିବ, ମିଲର୍ କରିବେ ନାହିଁ । ଖୁବ୍‌ଶୀଘ୍ର ମଣ୍ଡି ଖୋଲିବ ବୋଲି ନଗେନ୍ ସେଠୀ କହିଛନ୍ତି ।