ଫସଲ ବୀମା ଟଙ୍କା ପାଇଁ ଆନ୍ଦୋଳନ କରୁଥିବା ଚାଷୀଙ୍କ ମୃତ୍ୟୁ ପରେ ଉତ୍ତେଜନା : କ୍ଷତି ପୂରଣ ଦାବିରେ ମୃତଦେହ ରଖି ବରଗଡ ପାଇକମାଳରେ ରାସ୍ତାରୋକ

28

କନକ ବ୍ୟୁରୋ : ବରଗଡରେ ଫସଲ ବୀମା ଟଙ୍କା ପାଇଁ ଆନ୍ଦୋଳନ କରୁଥିବା ଚାଷୀଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି । ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ପଲସଜା ସମବାୟ ସମିତି ସମ୍ମୁଖରେ ଫସଲ ବୀମା କ୍ଷତି ପୂରଣ ପାଇଁ ଆନ୍ଦୋଳନ କରୁଥିବା ଚାଷୀ ଗୋବିନ୍ଦ ବିଶ୍ୱାଲଙ୍କ ମୃତ୍ୟୁ ପରେ ତାତି ଉଠିଛନ୍ତି ଚାଷୀ । କ୍ଷତି ପୂରଣ ଦାବିରେ ମୃତଦେହ ରଖି ପାଇକମାଳ ଗୌରଜୁରି ଛକରେ ରାସ୍ତାରୋକ କରିଛି ପଲସଜା ଆଂଚଳିକ କୃଷକ ସଂଗଠନ । ୫ ଦିନ ହେଲା ପଲସଜା ସମହାୟ ସମିତି ଆଗରେ ଜାରି ରହିଛି ଧାରଣା । ତେବେ ଆନ୍ଦୋଳନର ଚତୁର୍ଥ ଦିନରେ ମାନସିକ ଚିନ୍ତାରେ ଚାଷୀ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ସେପଟେ ପ୍ରଧାନମନ୍ତ୍ରୀ ଫସଲବୀମା କ୍ଷତିପୂରଣ ପ୍ରଦାନରେ ବୀମା କମ୍ପାନୀର ପାତରଅନ୍ତର ନୀତିକୁ ନେଇ କେନ୍ଦ୍ରାପଡା ରାଜନଗର ବ୍ଲକରେ ଅସନ୍ତୋଷ ଦେଖାଦେଇଛି । ବ୍ଲକର ୨୯ଟି ପଂଚାୟତ ମଧ୍ୟରୁ ୧୩ ପଂଚାୟତର ଚାଷୀଙ୍କୁ ବୀମା କ୍ଷତିପୂରଣ ମିଳିଥିବା ବେଳେ ୧୬ ପଂଚାୟତର ଚାଷୀ ବୀମା କ୍ଷତିପୂରଣ ମିଳିନାହିଁ । ଇଶ୍ୱରପୁର, ବ୍ରାହ୍ମଣସାହି, ଗୁପ୍ତି, ସାତଭାୟା, ବନ୍ଧପଡା ସମେତ ନୂତନ ପଂଚାୟତର ମାନ୍ୟତା ପାଇଥିବା ମହିଁଷାସୁର, ହାତିନା, କେରୁଆଁପାଳ, ବାଘମାରି, କୃଷ୍ଣନଗର, ଖମାରସାହି, ଘଡିଆମାଳ, ଭିତରଗଡ, କେରଡାଗଡ, ରାଜପୁର, ବେଲପାଳ ପଂଚାୟତର ଚାଷୀମାନେ ଫସଲବୀମା କ୍ଷତିପୂରଣ ରାଶି ପାଇବାରୁ ବଂଚିତ ହୋଇଛନ୍ତି । ବୀମା କମ୍ପାନୀ ଉପର ଠାଉରିଆ ଭାବେ ସର୍ଭେ କରିବା ଓ ମନଇଚ୍ଛା ପଂଚାୟତକୁ ବାଦ୍ ଦେବା ଘଟଣାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି । କୃଷିବିଭାଗ, ରାଜସ୍ୱ ବିଭାଗ, ପରିସଂଖ୍ୟାନ ବିଭାଗ ସହ ମିଶି ଟାଟା ଏଆଇଜି ଇନ୍ସ୍ୟୁରାନ୍ସ କମ୍ପାନୀର ଅଧିକାରୀମାନେ ବିଭିନ୍ନ ଗାଁକୁ ଯାଇ ଫସଲ କ୍ଷୟକ୍ଷତି ସର୍ଭେ କରିଥିଲେ । ସର୍ଭେ ସମୟରେ ଫସଲ ହାନୀ ନେଇ କ୍ରପ୍ଲସ୍ ହୋଇଥିବା ସ୍ପଷ୍ଟ ହୋଇଥିଲା । ତଥାପି କାହିଁକି ଆଜି ଯାଏଁ କ୍ଷତିପୂରଣ ଦିଆଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ ।