ଦୁର୍ଘଟଣା ପରର ଅସଲ ହିରୋ । ପୁଅ ବାହାଘର ପାଇଁ ଛୁଟିରେ ଥାଇ ବି ଯାତ୍ରୀଙ୍କ ଯନ୍ତ୍ରଣା ଦେଖି ଛୁଟି ଆସିଲେ, ଜୀବନ-ମରଣ ସହ ଯୁଦ୍ଧ କରୁଥିବା ଯାତ୍ରୀଙ୍କ ମୁହଁରେ ସଞ୍ଜିବନୀ ଦେଲେ । ଆହତଙ୍କ ପାଇଁ ଭଗବାନ ସାଜିଲେ ଦିଗପହଣ୍ଡି ପାର୍ମାସିଷ୍ଟ ପି. କାମରାଜୁ

7,050

କନକ ବ୍ୟୁରୋ: ମୃତ୍ୟୁର ପଞ୍ଝାରୁ ଫେରିଥିବା ଆହତଙ୍କ ଆର୍ତ୍ତ ଚିତ୍କାରରେ ଫାଟି ପଡୁଥିଲା ଦିଗପହଣ୍ଡି ମେଡିକାଲ । ପ୍ରିୟଜନଙ୍କ କରୁଣ କାନ୍ଦ, ମୃତ୍ୟୁ ସହ ଲଢେଇ କରୁଥିବା ମଣିଷର ବୁକୁଫଟା ବେଦନା ଆଉ ଡାକ୍ତରଙ୍କ ଅଭାବ ପାଇଁ ଅସନ୍ତୋଷର ତାତିରେ ତାବଦା ହେଉଥିଲା ମେଡିକାଲର କାନ । ଆଉ ଠିକ ଏତିକି ବେଳେ ଭିଡ ଭିତରେ ହାଜର ହୋଇଥିଲେ ମେଡିକାଲର ଫାର୍ମାସିଷ୍ଟ । ଯମ ସହ ଯୁଦ୍ଧ କରୁଥିବା ଜୀବନମାନଙ୍କ ମୁହଁରେ ଦେଇଥିଲେ ଅମୃତର ବୁନ୍ଦା ।

ପି. କାମରାଜୁ । ତପ୍ତପାଣି ଛାତିଥରା କାହାଣୀର ରିଅଲ ହିରୋ । ବୋଧେ ଇଏ ନଥିଲେ ମୃତ୍ୟୁର ଫାଶରେ ଫଶିଥିବେ ଜୀବନକୁ ଘୋଷାଡି ଘୋଷାଡି ନେଇଯାଇଥାନ୍ତା ଯମ । ହେଲେ ଏକାଏକା ଲଢି ମୃତ୍ୟୁକୁ ତଡିପାର କରିଥିଲେ ଆହତଙ୍କ ଆଖିରେ ୨ୟ ଭଗବାନ ସାଜିଥିବା ଏହି ଫାର୍ମାସିଷ୍ଟ ।

ସବୁଠାରୁ ବଡକଥା ହେଉଛି ପି. କାମରାଜୁ ନିଜ ପୁଅ ବାହାଘର ପାଇଁ ଆଜି ଛୁଟିରେ ଥିଲେ । ହେଲେ ସେବା ଆଉ ଯନ୍ତ୍ରଣାରେ ଜର୍ଜରିତ ଜୀବନର ଡାକ ଆଗରେ ନିଜକୁ ଅଟକାଇ ପାରିନଥିଲେ । ଆଉ ଛୁଟି ପଛ କରି ମେଡିକାଲକୁ ଛୁଟି ଆସିଥିଲେ । ତେବେ ସେ ଥାଉ ଥାଉ କୌଣସି ବି ଗୋଟିଏ ଜୀବନ ଯେମିତି ନଯାଏ ସେହି ପଣ ଆଉ କର୍ତ୍ତବ୍ୟ ପ୍ରତି ସମର୍ପଣ ଭାବ ପାଇଁ ସେ ସାଧାରଣ ଭିତରେ ଅସାଧାରଣ ପାଲଟିଛନ୍ତି ।