ପୁଣି ଉଠିଲା ତୃତୀୟ ସାମୁଖ୍ୟ ଚର୍ଚ୍ଚା ! ଜାତୀୟ ରାଜନୀତିରେ ପ୍ରବେଶ ପାଇଁ ଆଗ୍ରହ ପ୍ରକାଶ କଲେ କେସିଆର, ସମର୍ଥନ ଜଣାଇଲେ ମମତା ଏବଂ ଓୱେସି

1

କନକ ବ୍ୟୁରୋ: ପୁଣି ଜୋର ଧରିଲା ତୃତୀୟ ସାମୁଖ୍ୟ ଚର୍ଚ୍ଚା । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଓ ବିଜେପି ନେତୃତ୍ୱାଧୀନ ଏନଡିଏର କେନ୍ଦ୍ରରେ ବିଫଳତା ପରେ ତୃତୀୟ ସାମୁଖ୍ୟ ଚର୍ଚ୍ଚାକୁ ବଳ ଯୋଗାଇଛି କେସିଆରଙ୍କ ବୟାନ । ତେଲେଙ୍ଗାନା ରାଷ୍ଟ୍ରସମିତି ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ ପରିବର୍ତନର ଲକ୍ଷ୍ୟ ନେଇ ଜାତୀୟ ରାଜନୀତିରେ ପ୍ରବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ମୂଲ୍ୟ ଭିତିକ ରାଜନୀତି ପାଇଁ ତାଙ୍କୁ ଏକାଧିକ ରାଜନୈତିକ ଦଳରୁ ସମର୍ଥନ ମିଳିଥିବା କହିଛନ୍ତି କେସିଆର ।

ଆଂଚଳିକ ଦଳଗୁଡିକ ତୃତୀୟ ସାମୁଖ୍ୟ ଗଠନ ପାଇଁ ତାଙ୍କୁ ସମର୍ଥନ କରିଥିବା କହିଛନ୍ତି କେସିଆର । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କଠାରୁ ଆରମ୍ଭ କରି ଏମଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ଯାଏଁ ତାଙ୍କୁ ସମର୍ଥନ ଜଣାଇଥିବା କହିଛନ୍ତି । ଶିବସେନା ଏନଡିଏରୁ ଅଲଗା ହୋଇ ୨୦୧୯ ନିର୍ବାଚନ ଲଢିବ ବୋଲି କହିସାରିଛି । ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଅଲଗା ହେବା ନେଇ ସଂକେତ ଦେଇଛନ୍ତିା ତେଣୁ ବିଜେପି ଓ କଂଗ୍ରେସଠାରୁ ସମାନ ଦୂରତା ରଖିଆସୁଥିବା ନବୀନ ପଟ୍ଟନାୟକ କେସିଆରଙ୍କୁ ତୃତୀୟ ସାମୁଖ୍ୟ ଗଠନରେ ସମର୍ଥନ ଜଣାଇବେ କି, ତାହା ସବୁଠାରୁ ବଡ ପ୍ରଶ୍ନ ।

ସେପଟେ, ବିଜେପିର ବିଜୟଧାରରେ ରୋକ ଲଗାଇବାକୁ ୟୁପି ରାଜନୀତିରେ ବଡ ପରିବର୍ତନ । ଉପନିର୍ବାଚନ ବିଜୟ ପାଇଁ ଚିରଶତ୍ରୁ ସମାଜବାଦୀ ପାର୍ଟି ସହ ହାତ ମିଳାଇଲା ବହୁଜନ ସମାଜ ପାର୍ଟି । ଗୋରଖପୁର ଓ ଫୁଲପୁର ଲୋକସଭା ଉପନିର୍ବାଚନ ପାଇଁ ଦୁଇଦଳ ପରସ୍ପରକୁ ସମର୍ଥନ ଜଣାଇବା ଘୋଷଣା କରିଛନ୍ତି । ଉପ- ନିର୍ବାଚନରେ ସପାର ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବ ବିଏସପି । କିନ୍ତୁ ଏହି ମେଂଟ କେବଳ ଉପନିର୍ବାଚନରେ ହିଁ ସୀମିତ ରହିବ ବୋଲି ସ୍ପଷ୍ଟ କରିଦେଇଛନ୍ତି ମାୟାବତୀ । ଦୀର୍ଘ ୨୨ବର୍ଷ ଧରି ଗୋରଖପୁର ଲୋକସଭା ଆସନକୁ ହାତେଇଥିବା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରେ ବିଜେପିର ଏହି ପାରମ୍ପରିକ ଗଡ ଭାଙ୍ଗିବାକୁ ଏକଜୁଟ ହୋଇଛନ୍ତି ବିରୋଧୀ ।

Comments are closed.