ସମସ୍ୟା ବଢାଉଛି ବେପରୁଆ ପରିବହନ ! ବିପଦ ସୃଷ୍ଟି କରୁଛି ଓଭରଲୋଡିଂ, କାର୍ଯ୍ୟକାରୀ ହେଉଛି ତ ଜିରୋ ଟଲରାନ୍ସ ପଲିସି ?

62

କନକ ବ୍ୟୁରୋ : ଦିନକୁ ଦିନ ବଢୁଛି ବେଆଇନ ପରିବହନ । ବିପଦଜ୍ଜନକ ଭାବେ କେଉଁଠି ପରିବହନ ହେଉଛି ତ ଆଉ କେଉଁଠି ରାସ୍ତାରେ ବିଛେଇ ହୋଇପଡିଛି ଗେଟି ପଥର । ପରିବହନ ବିଭାଗର ଅପାରଗତା ଯୋଗୁଁ ସାଧାରଣରେ ବଢୁଛି ଅସନ୍ତୋଷ । ଜିଲ୍ଳାପାଳ ପରିବହନ କ୍ଷେତ୍ରରେ ଜିରୋ ଟଲରାନ୍ସ କଥା କହୁଥିବା ବେଳେ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ଆସନ୍ତୁ ଜାଣିବା ଯାଜପୁରରେ କେମିତି ଚାଲିଛି ପରିବହନ ସେବା ।

ବଢୁଛି ବେପରୁଆ ପରିବହନ । ବିପଦ ସୃଷ୍ଟି କରୁଛି ଓଭର ଲୋଡିଂ । ଖଣିଜ ସମ୍ପଦରେ ଭରପୁର ଯାଜପୁର ଜିଲ୍ଳାରେ ଲଘୁ ଖଣିଜ ପରିବହନକୁ ନେଇ ଦେଖାଦେଇଛି ସମସ୍ୟା । ଜିଲ୍ଳାର ଚଣ୍ଡିଖୋଲ ହେଉ କି ଧର୍ମଶାଳା ସବୁଠି ବେଧଡକ ଓ ବେପରୁଆ ପରିବହନ ଏବେ ଲୋକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଜାତୀୟ ରାଜପଥ ହେଉ କି ଗାଁ ଗହଳି ରାସ୍ତା, ସବୁଠି ଟ୍ରକ, ଟ୍ରାକ୍ଟର, ହାଇୱା ଗାଡିରେ ଚାଳିଛି ବେଧଡକ ପରିବହନ । ଲଗାମହୀନ ଓଭରଲୋଡିଂ ପରିବହନ ଯୋଗୁଁ ରାସ୍ତାଘାଟରେ ପଡୁଛି ଗେଟି ପଥର । ଆଉ ସୃଷ୍ଟି ହେଉଛି ବିପଦ ।

ବେଆଇନ୍ ପରହିବନ ରୋକିବାର ବିଫଳ ବିଭାଗ ! ଆଉ ଏବେ ପ୍ରଶ୍ନ ଉଠୁଛି, କାର୍ଯ୍ୟକାରୀ ହେଉଛି ତ ଜିରୋ ଟଲ୍ରାନ୍ସ ପଲିସି ? ଯାଜପୁରରେ ବେଆଇନ ପରିବହନକୁ ରୋକିବା ଦିଗରେ ବିଫଳ ହୋଇଛି ଚଣ୍ଡିଖୋଲ ପରିବହନ ବିଭାଗ । ସେପଟେ ଗାଡି ଗୁଡିକୁ ସଠିକ୍ ଭାବେ ଯାଂଚ କରାଯାଇ ଜରିମାନା ଆଦାୟ କରାଯାଉଛି ବୋଲି ଆରଟିଓ କହୁଥିବା ବେଳେ ଜିଲ୍ଲାପାଳ କହିଛନ୍ତି ଏକ୍ଷେତ୍ରରେ ଜିରୋ ଟଲେରାନ୍ସ ପଲିସି କରାଯାଇଛି । ଯାଜପୁର ଜିଲ୍ଳାରେ ରାସ୍ତାର କ୍ଷମତାକୁ ନଜର ଅନ୍ଦାଜ କରି ଗାଡିମାଲିକମାନେ ଅତ୍ୟଧିକ ମାଲ ପରିବହନ କରି ମାଲାମାଲ ହେଉଛନ୍ତି । ଆଉ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ।