ଚୋର ହାତରେ ଚାବି କାଠି ! ବମିଖାଲ ଓଭରବ୍ରିଜ୍ ଭୁଶୁଡିବା ଘଟଣାରେ ସଂଦେହଜନକ ଯନ୍ତ୍ରୀଙ୍କୁ ଦିଆଗଲା ତଦନ୍ତ ଦାୟିତ୍ୱ

43

କନକ ବ୍ୟୁରୋ : ଜଟଣୀ ଫ୍ଲାଏ ଓଭରର ତଦନ୍ତ ଯେଉଁ ଅଧିକାରୀ କରୁଥିଲେ ବମିଖାଲ ଓଭରବ୍ରିଜ୍ ଭୁଶୁଡିବାର ତଦନ୍ତ କରିବେ ସେହି ସରକାରୀ ବାବୁ । ଏହି ଦୁଇଟି ଯାକ ଫ୍ଲାଏ ଓଭର ନିର୍ମାଣ କାମ କରୁଥିଲା ପଣ୍ଡା ଇନଫ୍ରା ପ୍ରୋଜେକ୍ଟ । ଜଟଣୀରେ ନିମ୍ନମାନର କାର୍ଯ୍ୟ ଅଭିଯୋଗ ହୋଇଥିଲା, ହେଲେ ତଦନ୍ତ ଯେଉଁଠି ଥିଲା ସେଇଠି । ନିମ୍ନମାନର କାମ ଅଭିଯୋଗରେ ବିମଖାଲ ଓଭରବ୍ରିଜ ଭୁଶୁଡିବା ତଦନ୍ତ କେତେ ଆଗାଇବ ଏହାକୁ ନେଇ ସଂଦେହ ପ୍ରକାଶ ପାଇଛି । ଆଶଙ୍କା ଉପୁଜିଛି, ପୁରୁଣା ତଦନ୍ତ ଭଳି ଏହି ତଦନ୍ତ ଅଧାବାଟରେ ଅଟକି ଯିବନି ତ?

ଜଟଣୀ ଫ୍ଲାଏ ଓଭର, ଖୋର୍ଦ୍ଧା : 
vlcsnap-2017-09-14-19h56m39s606ଜଟଣୀ ଫ୍ଲାଏଓଭର ନିର୍ମାଣ କାମ ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ନିମ୍ନମାନର କରୁଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଥିଲେ ସ୍ଥାନୀୟ ବାସିନ୍ଦା । ପୂର୍ତ୍ତ ବିଭାଗକୁ ଗଲା ଅଭିଯୋଗ । ବିଭାଗୀୟ ନିର୍ଦ୍ଦେଶ ଲାଗି ହାତ କାଟି ଲେଖିଦେଲେ ସରକାର । ତଦନ୍ତର ଭାର ଦିଆଗଲା ଚିଫ୍ ଇଂଜିନିୟର (ରୋଡ) ଓମ ପ୍ରକାଶ ପଟେଲ ଏବଂ ଚିଫ୍ ଇଂଜିନିୟର (ଡିଜାଇନ) ଦେବନାରାୟଣ ପାଲଙ୍କୁ । ହେଲେ ତଦନ୍ତ କୁଆଡେ ଗଲା, ତାହା ଜଣାପଡିଲାନାହିଁ । ପୂର୍ବଭଳି ଫ୍ଲାଏ ଓଭର ନିର୍ମାଣ କାମ ଜାରି ରଖିଲେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ।

ବମିଖାଲ ଫ୍ଲାଏଓଭର, ଭୁବନେଶ୍ୱର : ଭୁଶୁଡିବା ପରେ ପୁଣି ଆସିଲା ତଦନ୍ତ ନିର୍ଦ୍ଦେଶ

vlcsnap-2017-09-14-19h58m05s372ପୂର୍ତ୍ତ ସଚିବଙ୍କ ଦସ୍ତଖତରେ ବମିଖାଲ ଖଳନାୟକ ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ବିରୋଧରେ ଦିଆଯାଇଛି ତଦନ୍ତ ନିର୍ଦ୍ଦେଶ । ଜଟଣୀ ଫ୍ଲାଏଓଭର ତଦନ୍ତ କରୁଥିବା ରୋଡ ଓ ଡିଜାଇନର ଦୁଇ ଚିଫ୍ ଇଂଜିନିୟର ତଦନ୍ତ କରିବେ କଣ ପାଇଁ ଘଟିଣା ଦୁର୍ଘଟଣା । ଜଣେ ନିରୀହ ଲୋକଙ୍କ ମୃତ୍ୟୁ ପାଇଁ କିଏ ଦାୟୀ? ଜଟଣୀ ଓ ବମିଖାଲ ଓଭରବ୍ରିଜ୍ର ଅଭିଯୁକ୍ତ ସେହି ଗୋଟିଏ ସଂସ୍ଥା ଓ ସେହି ଗୋଟିଏ ଠିକାଦାର, ତଦନ୍ତକାରୀ ମଧ୍ୟ ସେହି ସମାନ ସରକାରୀ ବାବୁ । ସେଠାରେ ପ୍ରଶ୍ନ ଉଠୁଛି, କିପରି ଆଗକୁ ଯିବ ଏହି ତଦନ୍ତ?

ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ଗୁରୁପ୍ରିୟା ଓ ଯାତମୁଣ୍ଡିଆ ସେତୁ ଭଳି ପ୍ରାୟ ୮ଟି ବ୍ରିଜ୍ ଭୁଶୁଡି ପଡିଛି । ସମସ୍ତଙ୍କ ତଦନ୍ତ ଚାଲିଛି । ହେଲେ ତଦନ୍ତ କେତେ ବାଟ ଯାଇଛି, କାହା ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି, ସେହି ପ୍ରଶ୍ନର ଉତର ଏପର୍ଯ୍ୟନ୍ତ ମିଳିନି । ଏବେ ସ୍ୱାଭାବିକ ଭାବେ ଗୋଟିଏ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଛି, ବମିଖାଲ ଓଭରବ୍ରିଜ୍ ଭୁଶୁଡିବା ତଦନ୍ତ ପୂର୍ବ ତଦନ୍ତ ଭଳି ଅଧାରେ ଅଟକିଯିବନି ତ? ଗଳାବାଟ ଦେଇ ଖସିଯିବେନି ତ ଅପରାଧୀ?