ଅରୁଣ ଜେଟଲୀ କିଭଳି ପୁରସ୍କାର ପାଇଲେ ! ଆଉଟଲୁକ୍ ସମ୍ମାନକୁ ନେଇ ଧର୍ମେନ୍ଦ୍ର କଟାକ୍ଷ ପରେ ତଥାଗତଙ୍କ ପ୍ରଶ୍ନ

26

କନକ ବ୍ୟୁରୋ : ବିରାଟ ଶୋଭାଯାତ୍ରାରେ ନବୀନଙ୍କୁ ସ୍ୱାଗତ । ସାପ୍ତାହିକ “ଆଉଟଲୁକ୍’’ ପତ୍ରିକା ପକ୍ଷରୁ ଦିଲ୍ଲୀରେ ୫ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଶ୍ରେଷ୍ଠ ପ୍ରଶାସକ ଭାବେ ନବୀନ ସମ୍ମାନିତ ହେବା ପରେ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନାର କରାଯାଇଛି । ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଓ ତା ଭିତରେ ୧୨୦ ସିଟ୍ ଜିିତିବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଆହ୍ୱାନ, ବିଜେଡିକୁ ଆହୁରି ସତର୍କ କରିଦେଇଛି । ଆଉ ଆଉଟଲୁକର ଏହି ପୁରସ୍କାର ନବୀନଙ୍କ ଭାବମୂର୍ତିର ପ୍ରଚାର ପାଇଁ ବିଜେଡିକୁୂ ଆଉ ଏକ ସୁଯୋଗ ଦେଇଛି ।

ଗୋଟିଏ ପଟେ ଶ୍ରେଷ୍ଠ ପ୍ରଶାସକ ଭାବେ ଆଉଟଲୁକର ପୁରସ୍କାରକୁ ବିଜେଡି ଜୋରଦାର ପ୍ରଚାର କରୁଥିବାବେଳେ ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରି କହିଛନ୍ତି- ବିଜ୍ଞାପନ ଦେଇ ଏଭଳି ପୁରସ୍କାର ହାସଲ କରାଯାଇଛି ।

ଶ୍ରେଷ୍ଠ ପ୍ରଶାସକ ବର୍ଗରେ ଦେବେନ୍ଦ୍ର ଫଡନାଭିସ୍, ମମତା ବାନାର୍ଜୀ, ମାନିକ ସର୍କାର, ନୀତିଶ କୁମାର, ସିଦ୍ଧ ରମାୟାଙ୍କୁ ପଛରେ ପକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ପ୍ରଶାସକର ମାନ୍ୟତା ଦେଇଥିଲା ଆଉଟ୍ଲୁକ୍ । ଏବଂ ଶ୍ରେଷ୍ଠ ସାଂସଦ ଭାବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ମିଳିଥିଲା ସମ୍ମାନ ।

ବିଜ୍ଞାପନ ଦେଇ ନବୀନ ପୁରସ୍କାର ପାଇଛନ୍ତି ବୋଲି ଧର୍ମେନ୍ଦ୍ର ଅଭିଯୋଗ କରୁଥିବା ବେଳେ ତଥାଗତ ପ୍ରଶ୍ନ କରୁଛନ୍ତି- ଅରୁଣ ଜେଟଲୀ କିଭଳି ପୁରସ୍କାର ପାଇଲେ? ଏପଟେ ବିଜେପି ଏହି ପୋଷ୍ଟର ଲଗାଇ କହିଛି- ଓଡ଼ିଶାବାସୀ ସମସ୍ୟା ଜର୍ଜରିତ ହେଉଥିବା ବେଳେ ବିଜେଡି ଉତଫୁଲ୍ଲିତ ହେଉଛି । ଏସବୁ ଭିତରେ ଶ୍ରେଷ୍ଠ ପ୍ରଶାସକର ପୁରସ୍କାର ରାଜ୍ୟ ରାଜନୀତିକୁ ସରଗରମ କରିଛି ।