ପର୍ଣ୍ଣ ସାଇଟ୍ ଗୁଡ଼ିକ ବ୍ଲକ କର : ନିର୍ଦ୍ଦେଶ ଦେଲେ ଗୃହମନ୍ତ୍ରୀ

58

କନକ ବ୍ୟୁରୋ : ଦେଶରେ ଇଣ୍ଟରନେଟ୍ ମାଧ୍ୟମରେ ଅଶ୍ଳୀଳ ଭିଡିଓ ବା ପର୍ଣ୍ଣୋଗ୍ରାଫୀର ପ୍ରସାରକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି । ବିଶେଷକରି ଲୋକମାନେ ବ୍ଲାକମେଲ କରି କିମ୍ବା ଲୋକମାନଙ୍କୁ ପ୍ରତିଶୋଧ ନେବା ଅର୍ଥରେ ଅଶ୍ଳୀଳ ଭିଡିଓ ଇଣ୍ଟରନେଟରେ ଛାଡି ଦେଉଛନ୍ତି । ଦିନକୁ ଦିନ ଏପରି ମାମଲା ବଢିଚାଲିଛି । ଏଣୁ ଏପରି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେଉଥିବା ବିଶେଷକରି ଶିଶୁ ପର୍ଣ୍ଣୋଗ୍ରାଫୀର ପ୍ରସାରଣ କରୁଥିବା ୱେବସାଇଟ୍ ଗୁଡ଼ିକ ଉପରେ କଡା ନଜର ରଖି ସେମାନଙ୍କୁ ଆବଶ୍ୟକ ପଡିଲେ ବ୍ଲକ୍ କରିବାକୁ ଗୃହମନ୍ତ୍ରୀ ରାଜନାଥ ସିଂ ନିର୍ଦ୍ଦେଶ ଦେଇଛନ୍ତି ।

ଏହାଛଡ଼ା ଦେଶରେ ସାଇବର ସୁରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ କରାଯିବ ବୋଲି ସେ କହିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟରେ ନବଗଠିତ ସାଇବର ଆଣ୍ଡ ଇନଫର୍ମେସନ୍ ସିକ୍ୟୁରିଟି ଡିଭିଜନ ଅଧୀନରେ ଇଣ୍ଡିଆନ ସାଇବର କ୍ରାଇମ କୋର୍ଡିନେସନ ସେଣ୍ଟରଏବଂ ସାଇବର ପୋଲିସ୍ ଫୋର୍ସ ଗଠନ କରାଯିବ । ୨୦୧୭ ନଭେମ୍ବର ୧୦ ତାରିଖରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧିନରେ ଏହି ସିଆଇଏସ ଡିଭିଜନ ଗଠନ କରାଯାଇଥିଲା ।

ସିଆଇଏସ୍ ଡିଭିଜନର ୪ଟି ଶାଖା ରହିବ । ସେଗୁଡ଼ିକ ହେଲା; ସିକ୍ୟୁରିଟି କ୍ଲିଅରାନ୍ସ, ସାଇବର କ୍ରାଇମ ପ୍ରିଭେନ୍ସନ, ସାଇବର ସିକ୍ୟୁରିଟି ଏବଂ ଇନଫର୍ମେସନ ସିକ୍ୟୁରିଟି। ପ୍ରତ୍ୟେକ ଶାଖା ଜଣେ ଲେଖାଏ ଅନୁସଚିବ ସ୍ତରୀୟ ଅଧିକାରୀଙ୍କ ଅଧୀନରେ ରହିବ । ଜଣେ ଚିଫ୍ ଇନଫର୍ମେସନ୍ ସିକ୍ୟୁରିଟି ଅଫିସର ଏବଂ ଡେପୁଟିସି ଆଇଏସ୍ଓ ନିଯୁକ୍ତି ପାଇଁ ମଧ୍ୟ ପ୍ରସ୍ତାବ ରହିଛି । ଆର୍ଥିକ ଠକେଇ ଅପରାଧ ରୋକିବାକୁ ଦିଆଯାଉଥିବା ବିଭିନ୍ନ ସୁପାରିସକୁ ସୂଚାଇବାକୁ ଏକ ଅନଲାଇନ ପୋର୍ଟାଲପାଇଁ ମଧ୍ୟ ପ୍ରସ୍ତାବ ରହିଛି ।