ଚାଷୀଙ୍କ ପାଇଁ ଚିନ୍ତା ବଢ଼ାଇଲା ପାଣିପାଗ ବିଭାଗର ପୂର୍ବାନୁମାନ । ଲଘୁଚାପ ପ୍ରଭାବରେ ଭିଜିବ ଉପକୂଳ ଓଡିଶା । ଚାଷ ଉପରେ ପଡ଼ିପାରେ ପ୍ରଭାବ, ସତର୍କ ରହିବାକୁ କୃଷି ବିଭାଗର ପରାମର୍ଶ

46

କନକ ବ୍ୟୁରୋ: ବଙ୍ଗୋପସାଗରେ ସୃଷ୍ଟି ହୋଇଛି ଲଘୁଚାପ ଏବଂ ଏହାର ପ୍ରଭାବରେ ଆସନ୍ତା ତିନି ଦିନ ଧରି ଭିଜିବ ଉପକୂଳ ଓଡିଶା । ଏପରି ପୂର୍ବାନୁମାନ କରିଛି ପାଣିପାଗ ଗବେଷଣା କେନ୍ଦ୍ର । ଆଜିଠାରୁ ୮ଟି ଉପକୂଳବର୍ତୀ ଜିଲ୍ଲାରେ ବର୍ଷା ହେବା ଆକଳନ କରାଯାଇଛି । ବର୍ଷାର ପ୍ରଭାବ ଧାନଚାଷ ଉପରେ ପଡିବାର ସମ୍ଭାବନା ରହିଛି । ଏନେଇ ରିଲିଫ କମିଶନର, କୃଷି ବିଭାଗ ଓ ଓୟୁଏଟି ମଧ୍ୟରେ ଆଲୋଚନା କରାଯାଇଛି ।

ଏହା ସହ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀମାନଙ୍କ ପାଇଁ ପରାମର୍ଶ ଜାରି କରିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ ଓ ଖାଦ୍ୟ ଉତ୍ପାଦନ ନିର୍ଦେଶାଳୟ। ଅକ୍ଟୋବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ଚାଷୀମାନେ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଉକ୍ତ ୭ଟି ଜିଲ୍ଲା ଏବେ ଧାନ ଅମଳ ସମୟ ହୋଇଥିବାରୁ ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯାଇଛି।

ଜମିରେ ପାଚି ଯାଇଥିବା ସଅଳ ଓ ମଧ୍ୟମ କିସମ ଧାନକୁ ତୁରନ୍ତ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଧାନ ଜମିରୁ ବଳକା ପାଣି ବାହାରି ଯିବା ପାଇଁ ନାଳି ଓ ନାଳି ମୁହଁ ଖୋଲା ରଖିବା, ସଅଳ କିସମ ଧାନ ବିଲରେ ଥାଇ ଗଜା ନ ହେବା ପାଇଁ ବର୍ଷା ଛାଡ଼ି ଯିବା ପରେ ଶତକଡ଼ା ୨ ଭାଗ ଲୁଣ ପାଣି ସିଞ୍ଚନ କରିବାକୁ କୁହାଯାଇଛି। ବର୍ଷା ଛାଡ଼ିଯିବା ପରେ ପଡ଼ି ଯାଇଥିବା ପନିପରିବା ଗଛ ମୂଳକୁ ମାଟି ଦେଇ ଠିଆ ଦେବାକୁ କୁହାଯାଇଛି। ପାଣି ଛାଡ଼ିଗଲା ପରେ ଧାନ, ପନିପରିବା ଓ ଡାଲି ଜାତୀୟ ଫସଲରେ କେତେକ ରୋଗ ପୋକ ଲାଗିବାର ସମ୍ଭାବନା ରହିଛି। ତେଣୁ ଏହି ସମ୍ଭାବ୍ୟ ରୋଗପୋକ ସମସ୍ୟା ଓ ଏହାର ପରିଚାଳନା ଉପରେ ଗୁରୁତ୍ବ ଦେବାକୁ ଚାଷୀମାନଙ୍କୁ କୁହାଯାଇଛି।

ବର୍ଷା ପରେ ଧାନରେ ମାଟିଆଗୁଣ୍ଡି ପୋକ ଲାଗିବାର ଆଶଙ୍କା ରହିଛି। ତାହାକୁ ଦୃଷ୍ଟିରେ ରଖି ଧାନ ଫସଲ ପାଇଁ ଜମିରୁ ପାଣି ନିଷ୍କାସନ କରିବାକୁ କୁହାଯାଇଛି। ବର୍ଷା ଛାଡ଼ି ଖରା ପାଗ ହୋଇଗଲା ପରେ କେଣ୍ଡାକଟା ପୋକ ଲାଗିବାର ସମ୍ଭାବନା ରହିଛି। ବର୍ଷା ପରେ କମ୍ ଉତ୍ତାପ ରହିଲେ ଗନ୍ଧି ପୋକ ଲାଗିପାରନ୍ତି, ଧାନ ଫସଲରେ କେଣ୍ଡା ବାହାରିବା ଅବସ୍ଥାରେ କେଣ୍ଡା ଅଷ୍ଟପଦୀ ଲାଗିପାରେ, ବର୍ଷା ଛାଡ଼ିଯିବା ପରେ ବେକ ମହିଷା, କେଣ୍ଡା ମହିଷା ରୋଗ, ପତ୍ରାଚ୍ଛାଦ ସଢ଼ାରୋଗ, ବୀଜାଣୁଜନିତ ପତ୍ରପୋଡ଼ା ରୋଗ ଆଦି ହୋଇପାରେ। ତାହାକୁ ଦୃଷ୍ଟିରେ ରଖି ଚାଷୀମାନେ ବିଶେଷଜ୍ଞଙ୍କ ପରାମର୍ଶ ନେଇ କୀଟନାଶକ ପ୍ରୟୋଗ କରିବାକୁ ଓୟୁଏଟି ପକ୍ଷରୁ ପରାମର୍ଶ ଦିଆଯାଇଛି।

ପନିପରିବା ଓ ଡାଲିଜାତୀୟ ଫସଲରେ ଜଉପୋକ ଲାଗିବାର ସମ୍ଭାବନା ରହିଛି। ବର୍ଷା ଛାଡ଼ିଯିବା ପରେ ମୁଗ, ବିରି, ହରଡ଼ ଓ ବରଗୁଡ଼ି ଆଦି ଫସଲରେ ପାଉଁଶିଆ ରୋଗ ଲାଗିବାର ସମ୍ଭାବନା ଅଧିକ। ପନିପରିବା ଫସଲରେ ଝାଉଁଳା ରୋଗ ଲାଗିବାର ସମ୍ଭାବନା ଥିବାରୁ କୃଷି ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଔଷଧ ସିଞ୍ଚନ କରିବାକୁ ପରାମର୍ଶ ଦିଆଯାଇଛି।