ମିଛ ଡ୍ରାଇଭର୍ ସତ ଦୁର୍ଘଟଣା ! ଓୟୁଏଟି ଛାତ୍ରୀ ମୃତ୍ୟୁ ମାମଲାରେ ପ୍ରତ୍ୟକ୍ଷଦର୍ଶୀଙ୍କ ଚାଂଚଲ୍ୟକର ବୟାନ୍

24

କନକ ବ୍ୟୁରୋ : ଓୟୁଏଟି ହିଟ୍ ଆଣ୍ଡ ରନ୍ ମାମଲାରେ ପୁଣି ଆସିଛି ନୂଆମୋଡ । ଜଣେ ପ୍ରତ୍ୟକ୍ଷଦର୍ଶୀ ଗଣମାଧ୍ୟମ ଆଗରେ କହିଛନ୍ତି, ପୋଲିସ ଗିରଫ କରିଥିବା ଡ୍ରାଇଭର ସେଦିନ ଗାଡି ଚଲାଉନଥିଲା । ଯାହା ପୁରା ଘଟଣାକୁ ଆହୁରି ରହସ୍ୟମୟ କରି ଦେଇଛି । କାରଣ ଗତକାଲି ଦୁର୍ଘଟଣା ଘଟାଇଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ମହେଶ୍ୱର ବେହେରା । ଓୟୁଏଟି ହିଟ୍ ଆଣ୍ଡ୍ ରନ୍ ମାମଲାର ଅଭିଯୁକ୍ତ । ମହେଶ୍ୱର ହିଁ ସେଦିନ ରାତିରେ ସୁଚିସ୍ମିତାଙ୍କ ଉପରେ ଗାଡି ଚଢାଇ ଫେରାର୍ ହୋଇ ଯାଇଥିଲେ । ଘଟଣାର ଦିନକ ପରେ ପୁଲିସ୍ ମହେଶ୍ୱରକୁ ଗିରଫ୍ କରିଥିଲା । ଆଉ ମହେଶ୍ୱର ବି ପଶ୍ଚାତାପର ମୁଦ୍ରାରେ ସବୁ ସତ ମାନି ଯାଇଥିଲେ ।

ହେଲେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର୍ ଓ ପୁଲିସ୍ ଗିରଫ କରିଥିବା ଡ୍ରାଇଭର୍ ସମାନ ନୁହଁନ୍ତି । ଗିରଫକୁ ୨୪ ଘଂଟା ପୁରିବା ପୁର୍ବରୁ ଗଣମାଧ୍ୟମ ଆଗକୁ ଆସି ଏଭଳି ଚାଂଚଲ୍ୟକର ବୟାନ୍ ଦେଇଛନ୍ତି ଜଣେ ଯୁବକ । ସେ, କହିଛନ୍ତି, ସେଦିନ ରାତିର ଆଖି ଦେଖା କଥା । କାରଣ ଦୁର୍ଘଟଣା ଘଟାଇ ସଫାରୀ ଚମ୍ପଟ୍ ମାରିବା ବେଳେ ସେ ହିଁ ଗାଡିକୁ ପିଛା କରିଥିଲେ । ସୌଭାଗ୍ୟନଗର ଠାରୁ ଶିରିପୁର ଛକ ପର୍ଯ୍ୟନ୍ତ ଗୋଡାଇ ଥିଲେ ।

ଗିରଫ ପରେ ଡ୍ରାଇଭର୍ କହିଥିଲେ ଔଷଧ କିଣିବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଆଉ ସେ ଗାଡି ଚଳାଇ ଏକା ଯାଉଥିଲେ । ହେଲେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ୍ ଘଟଣାର ମୋଡ ବଦଳାଇ ଦେଇଛି । କାରଣ ସେ କହୁଛନ୍ତି, ଗାଡିରେ ଡ୍ରାଇଭରଙ୍କ ସହ ଆଉ ଜଣେ ଲୋକ ଥିଲେ । ଯିଏ ଦେଖିବାକୁ ଟିକେ ମୋଟା ।

ଗଣମାଧ୍ୟମ ଆଗରେ ପ୍ରତ୍ୟକ୍ଷଦର୍ଶୀଙ୍କ ଏ ବୟାନ୍ ଓୟୁଏଟି ହିଟ୍ ଆଣ୍ଡ ରନ୍ ମାମଲାକୁ ଆହୁରି ସନ୍ଦେହ ଘେରକୁ ଟାଣି ନେଇଛି । କାରଣ ଗିରଫ ଡ୍ରାଇଭରଙ୍କ କଥାରେ କୌଣସି ତାଳମେଳ ରହୁନଥିବାରୁ ମୃତଛାତ୍ରୀଙ୍କ ସହପାଠୀ ସନ୍ଦେହ ଉଠାଇଥିଲେ । ଆଉ ଆଜି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଯଦି ଆବଶ୍ୟକ ପଡେ ସେ ପୁଲିସ୍ ପାଖରେ ସତ କହିବେ ।

କଳାରାତିରେ କେତେଜଣ ଥିଲେ ଧଳା ସଫାରୀରେ । ଏହା ଏକ ସାଧାରଣ ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ । ହୁଏତ ଆହତ ଛାତ୍ରୀ ମୁହଁ ଖୋଲିବା ପରେ ସତ ପଦାକୁ ଆସି ପାରିବ ।