ଓୟୁଏଟି ହିଟ୍ ଆଣ୍ଡ ରନ୍ ମାମଲା ! ଗିରଫ୍ ଡ୍ରାଇଭରର କଥାରେ ରହୁନି ତାଳମେଳ

78

କନକ ବ୍ୟୁରୋ : ଓୟୁଏଟିର ଛାତ୍ରୀ ସୁଚିସ୍ମିତା ବିଶ୍ୱାଳ ଦୁର୍ଘଟଣା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ମୃତ ସୁଚିସ୍ମିତାଙ୍କ ସହପାଠୀ ମାନେ ଅଭିଯୁକ୍ତ ଡ୍ରାଇଭରକୁ ଭେଟିବା ପରେ ଏହି ବ୍ୟକ୍ତି ପ୍ରକୃତ ଡ୍ରାଇଭର କି ନୁହେଁ ସେନେଇ ପ୍ରଶ୍ନ ଉଠାଇଛନ୍ତି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ସବୁ କିଛି ତାଙ୍କର ଦୋଷ ବୋଲି ଗଣମାଧ୍ୟମ ଆଗରେ ବୟାନ ରଖିଛନ୍ତି ।ଏଥିପାଇଁ ଆଉ କେହି ଦାୟୀ ନୁହଁନ୍ତି ବୋଲି ବାରମ୍ବାର କହୁଛନ୍ତି ।

ଦୁର୍ଘଟଣା କରି ଫେରାର ହୋଇଯାଇଥିବା ଡ୍ରାଇଭର ହଠାତ୍ ଗିରଫ ହେବା ଏବଂ ସବୁକିଛି ତାଙ୍କ ଦୋଷ ବୋଲି କହିବା ମଧ୍ୟ ସନ୍ଦେହ ସୃଷ୍ଟି କରିଛି । କାରଣ କମିଶନରେଟ୍ ପୁଲିସ୍ ଅଭିଯୁକ୍ତକୁ ଗଣମାଧ୍ୟମ ଆଗକୁ ଆଣିବା କେବେ ଦେଖାଯାଏ ନାହିଁ । କିନ୍ତୁ ଏ ଘଟଣାରେ ଅଭିଯୁକ୍ତକୁ ଛଡାଯାଇଥିଲା ବାଇଟ୍ ଦେବା ପାଇଁ । ଆଉ ବ୍ୟକ୍ତି ଜଣକ କହୁଥିଲେ, ଏଥିରେ ଆଉ କାହାର ଦୋଷ ନାହିଁ କେବଳ ସେ ହିଁ ଦାୟୀ ।

ଗୋଟିଏ ପଟେ ଧକ୍କା ଦେଇଥିବା ଗାଡିର ଖୁବ୍ ପ୍ରଭାବଶାଳୀ ମାଲିକ ଓ ଅନ୍ୟପଟେ ମୃତ ସୁଚିସ୍ମିତାଙ୍କ ଅସହାୟ ସାଧାରଣ ପରିବାର । ୟା ଭିତରେ ପୁରା ଘଟଣାର ପ୍ରକୃତ ଖଳନାୟକ କିଏ ଓ ସେମାନଙ୍କୁ କେବେ ପୁଲିସ୍ ଧରିବ ତାହା ସବୁଠାରୁ ବଡ ପ୍ରଶ୍ନ ।

ସେପଟେ ଧକ୍କା କରିଥିବା ଗାଡିକୁ ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡିର ଆଉ ଜଣେ ପ୍ରଭାବଶାଳୀ ବ୍ୟକ୍ତି କିଶୋର ମହାନ୍ତିଙ୍କୁ ବିକ୍ରି କରିଦେଇଥିବା କଥା ସାମ୍ନାକୁ ଆସିଛି ।