କନକ ବ୍ୟୁରୋ: ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଉପୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ସମ୍ଭାବ୍ୟ ବର୍ଷା ଓ ଏହାର ମୁକାବିଲା ନେଇ ଚାଷୀ ଭାଇମାନଙ୍କୁ ଓୟୁଏଟିର ପରାମର୍ଶ। କେଉଁଭଳି ବର୍ଷା ଦାଉରୁ ପ୍ରଭାବିତ ହେବାକୁଥିବା ଚାଷ ଜମିକୁ ସୁରକ୍ଷିତ ରଖିବେ ସେନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ଭାଇମାନଙ୍କୁ ସତର୍କ କରିଛି ଓୟୁଏଟି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ସତର୍କତା ପଦକ୍ଷେପ ମଧ୍ୟରେ ରହିଛି….
୧. ପାଚି ଯାଇଥିବା ସଅଳ ଓ ମଧ୍ୟମ କିସମ ଧାନକୁ ତୁରନ୍ତ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖି ଦିଅନ୍ତୁ ।
୨. ଧାନ ଜମିରୁ ବଳକା ପାଣି ବାହାରି ଯିବା ପାଇଁ ନାଳୀ କରନ୍ତୁ ଓ ନାଳୀ ମୁହଁ ଖୋଲା ରଖନ୍ତୁ ।
୩. ସଅଳ କିସମ ଧାନ ବିଲରେ ଥାଇ ଗଜା ନ ହେବାପାଇଁ ବର୍ଷା ଛାଡ଼ିଗଲା ପରେ ଶତକଡ଼ା ୨ ପ୍ରତିଶତ ଲୁଣ ପାଣି ସିଂଚନ କରନ୍ତୁ ।
୪. ବର୍ଷା ଛାଡ଼ିଗଲା ପରେ ପଡ଼ି ଯାଇଥିବା ପନିପରିବା ଗଛର ମୂଳକୁ ମାଟି ଦେଇ କରାଇ ଦିଅନ୍ତୁ ।
୫. ପାଣି ଛାଡ଼ିଗଲାମାତ୍ରେ ଧାନ, ପନିପରିବା ଓ ଡାଲିଜାତୀୟ ଫସଲରେ କେତେକ ରୋଗ ପୋକ ଲାଗିବାର ସମ୍ଭାବନା ରହିଛି । ତେଣୁ ଏହି ସମ୍ଭାବ୍ୟ ରୋଗ ପୋକ ସମସ୍ୟା ଓ ଏହାର ପ୍ରତିକାର ଆପଣାଇବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ଓୟୁଏଟି ।
ଧାନରେ ଲାଗିବାକୁ ଥିବା ସମ୍ଭାବ୍ୟ ପୋକ ଓ ଏହି ସମସ୍ୟାରୁ ବର୍ତ୍ତିବେ କିପରି ?
• ମାଟିଆଗୁଣ୍ଡ ପୋକ– ଜମିରୁ ପାଣି ନିଷ୍କାସନ କରିଦିଅନ୍ତୁ । ପ୍ରତି ୬ ଫୁଟ୍ ବ୍ୟବଧାନରେ ପାହି ତିଆରି କରନ୍ତୁ । ପ୍ରତି ଏକର ପିଛା ପାଇମେଟ୍ରୋଜିନ୍ ୫୦ ପ୍ରତିଶତ ଡବ୍ଲୁ.ଜି, ୧୨୦ ଗ୍ରାମ୍ କିମ୍ବା ଡାଇନୋଟିଫ୍ୟୁରିନ୍ ୨୦ ପ୍ରତିଶତ ଏସ.ଜି ୮୦ ଗ୍ରାମ୍ କିମ୍ବା ଫ୍ଲୋନିକାମାଇଡ୍ ୫୦ ପ୍ରତିଶତ ଡବ୍ଲୁ.ଜି, ୬୦ ଗ୍ରାମ୍ ୨୦୦ ଲିଟର ପାଣିରେ ମିଶାଇ ମୂଳ ଭାଗକୁ ସିଂଚନ କରନ୍ତୁ ।
• କେଣ୍ଡାକଟା ପୋକ– ବର୍ଷା ଛାଡ଼ି ଖରା ପାଗ ହୋଇଗଲା ପରେ କେଣ୍ଡାକଟା ପୋକ ଲାଗିବାର ସମ୍ଭାବନା ରହିଛି । ଏହାର ନିୟନ୍ତ୍ରଣ ପାଇଁ ଏକର ପ୍ରତି କ୍ଲୋରୋପାଇରିଫସ୍ ୫୦ ପ୍ରତିଶତ ସହ ସାଇପରଥମେଥ୍ରିନ୍ ୫ ପ୍ରତିଶତ ଇ.ସି, ୪୦୦ ମି.ଲି କିମ୍ବା ପ୍ରୋଫେନୋଫୋସ ୫୦% ଇ.ସି ୨୦୦ ଲିଟର ପାଣିରେ ମିଶାଇ ଅପରାହ୍ନରେ ସିଂଚନ କରିବା ପାଇଁ ପରାମର୍ଶ ଦେଇଛନ୍ତି ଓୟୁଏଟି ବିଶେଷଜ୍ଞ ।
• ଗନ୍ଧି ପୋକ– ବର୍ଷା ପରେ କମ୍ ଉତ୍ତାପ ରହିଲେ ଗନ୍ଧି ପୋକ ଲାଗିବାର ସମ୍ଭାବନା ରହିଥାଏ । ଏହାର ନିରାକରଣ ପାଇଁ ଏକର ପ୍ରତି କ୍ଲୋରୋପାଇରିଫସ୍ ୧.୫% ଗୁଣ୍ଡ ୧୦ କି.ଗ୍ରା ବିଞ୍ଚନ୍ତୁ କିମ୍ବା ମାଲାଥିଆନ୍ ୫୦% ଇ.ସି, ୪୦୦ ମି.ଲି ୨୦୦ ଲିଟର ପାଣିରେ ମିଶାଇ ସକାଳ ସମୟରେ ସିଂଚନ କରନ୍ତୁ ।
• କେଣ୍ଡା ଅଷ୍ଟପଦୀ– ଧାନ ଫସଲରେ କେଣ୍ଡା ବାହାରିବା ଅବସ୍ଥାରେ କେଣ୍ଡା ଅଷ୍ଟପଦୀ ଲାଗିବାର ସମ୍ଭାବନା ରହିଛି । ଏହାଦ୍ୱାରା କେଣ୍ଡାରେ ଧାନ କଳା ପଡ଼ିଯାଏ ଓ ଧୂସର ରଙ୍ଗ ହୋଇଯାଇଥାଏ । କେଣ୍ଡା ବାହାରିବା ପରେ ଧାନ ଅଗାଡ଼ି ହୋଇଯାଏ । ଏହାର ନିରାକରଣ ପାଇଁ ଏକର ପ୍ରତି ଫେଞ୍ଜାକ୍ୱିନ୍ ୧୦% ଇ.ସି, ୪୦୦ ମି,ଲି କିମ୍ବା ଫେନପାଇରୋକ୍ସିମେଟ୍ ୫% ଇ.ସି ୪୦୦ ମି.ଲି କିମ୍ବା ପ୍ରୋପାରିଜାଇଟ୍ ୫୭%, ୪୦୦ ମି.ଲି, କିମ୍ବା ଡାଇଫେନଥ୍ୟୁରନ୍ ୫୦% ଡବ୍ଲୁ.ପି, ୪୦୦ ଗ୍ରାମ୍ ୨୦୦ ଲିଟର ପାଣିରେ ମିଶାଇ ପ୍ରତି ୭ ଦିନରେ ଥରେ ୧୪ ଦିନ ପର୍ଯ୍ୟନ୍ତ ସିଂଚନ କରନ୍ତୁ ।
• ବେକ ମହିଷା/ କେଣ୍ଡା ମହିଷା– ବର୍ଷା ଛାଡ଼ିଗଲା ପରେ ଧାନ ଫସଲରେ ବେକ ମହିଷା ବା କେଣ୍ଡା ମହିଷା ରୋଗ ହେବାର ସମ୍ଭାବନା ରହିଥାଏ । ଏହାର ନିରାକରଣ ପାଇଁ ଏକର ପିଛା ଟ୍ରାଇସାଇକ୍ଲାଜୋଲ୍ ୭୫% , ୧୨୦ ଗ୍ରାମ୍ କିମ୍ବା କାସୁଗାମାଇସିନ୍ ୩% ଏସ.ଏଲ ୪୦୦ ମି.ଲି କିମ୍ବା କୀଟାଜିନ୍ ୪୮ ପ୍ରତିଶତ ଇ.ସି ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ ।
• ପତ୍ରାଚ୍ଛାଦ ସଢ଼ାରୋଗ– ଏହି ରୋଗ ଦେଖାଗଲେ ଧାନ ଗଛ ବେକ ପଚି ଚିପି ହୋଇଯାଏ । ଫଳରେ କେଣ୍ଡା ସଢ଼ିଯାଇ ବାହାରି ପାରେ ନାହିଁ । ଏହାର ନିରାକରଣ ପାଇଁ ପ୍ରତି ଏକର ପିଛା କାର୍ବେଣ୍ଡାଜିମ୍ ୫୦% ଡବ୍ଲୁ.ପି ୩୦୦ ଗ୍ରାମ୍ କିମ୍ବା କାର୍ବେଣ୍ଡାଜିମ୍ ୧୨% ସହ ମାନକୋଜେବ୍ ୬୩% ଡବ୍ଲୁ.ପି ୪୦୦ ଗ୍ରାମ୍ କିମ୍ବା ପ୍ରୋପିକୋନାଜୋଲ୍ ୨୫% ଇ.ସି ୨୦୦ ମି.ଲି ଲିଟର ପାଣିରେ ମିଶାଇ ଧାନ ଘଛରେ ସିଂଚନ କରନ୍ତୁ ।
• ବୀଜାଣୁଜନିତ ପତ୍ରପୋଡ଼ା ରୋଗ– ଏହି ରୋଗ ଦେଖାଦେଲେ ଏକର ପ୍ରତି କପର ଅକ୍ସିକ୍ଲୋରାଇଡ୍ ୬୦୦ ଗ୍ରାମ୍ ସହ ଷ୍ଟ୍ରେପ୍ଟୋସାଇକ୍ଲିନ୍ ୨୦ ଗ୍ରାମ୍ ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ ।
• ଜଉପୋକ– ପନିପରିବା ଓ ଡାଲିଜାତୀୟ ଫସଲରେ ଜଉପୋକ ଲାଗିବାର ସମ୍ଭାବନା ରହିଛି । ଏହାର ନିରାକରଣ ପାଇଁ ଏକର ପ୍ରତି ୬୦ ଗ୍ରାମ୍ ଇମିଡ଼ାକ୍ଲୋପ୍ରିଡ୍ ୧୭.୮% ଏସ.ଏଲ କିମ୍ବା ଥାୟୋମେଥୋକ୍ସାମ୍ ୪୦ ଗ୍ରାମ୍ କିମ୍ବା ଏସିଟାମିପ୍ରିଡ୍ ୨୦% ଏସ.ପି ୫୦ ଗ୍ରାମ୍ ୨୦୦ ଲିଟର ପାଣି ମିଶାଇ ସିଚନ କରନ୍ତୁ ।
• ପାଉଁଶିଆ ରୋଗ– ବର୍ଷା ଛାଡ଼ିଗଲା ପରେ ମୁଗ, ବିରି, ହରଡ଼, ବରଗୁଡ଼ି ଆଦି ଫସଲରେ ପାଉଁଶିଆ ରୋଗ ଲାଗିବାର ସମ୍ଭାବନା ରହିଛି । ଏହାର ନିରାକରଣ ପାଇଁ ଏକର ପିଛା ସଲଫର୍ ୮୦% ଡବ୍ଲୁ.ଜି ୫୦୦ ଗ୍ରାମ୍ କିମ୍ବା କାର୍ବେଣ୍ଡାଜିମ୍ ୫୦% ଡବ୍ଲୁ.ପି ୨୦୦ ଗ୍ରାମ୍ କୁ ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ । ଏବଂ ସେହିଭଳି ଝାଉଁଳା ରୋଗ ନିରାକରଣ ପାଇଁ ପ୍ରତି ୧୦ ଲିଟର ପାଣିରେ ୧.୫ ଗ୍ରାମ୍ ଷ୍ଟେପ୍ଟୋସାଇକ୍ଲିନ୍ ସହ ୨୫ ଗ୍ରାମ୍ କପର ଅକ୍ସିକ୍ଲୋରାଇଡ୍ ମିଶାଇ ମୂଳ ଭାଗକୁ ସିଂଚନ କଲେ ଆପଣଙ୍କ ଫସଲ ସୁରକ୍ଷିତ ରହିବ ବୋଲି ଓୟୁଏଟି ପକ୍ଷରୁ କୁହାଯାଇଛି ।