ଅଷ୍ଟ୍ରେଲିଆରେ ରାଜ୍ୟଗୋଷ୍ଠୀ କ୍ରୀଡାର ମନ୍ତ୍ରମୁଗ୍ଧ ଉଦଘାଟନ ! ଦେଖିବାକୁ ମିଳିଲା ଇତିହାସ ଓ ସଂସ୍କୃତିର ସଙ୍ଗମ

29

କନକ ବ୍ୟୁରୋ : ଗତାକାଲି ଅଷ୍ଟ୍ରେଲିଆରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଦଘାଟନ ହୋଇଛି । ତେବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପଦକ ଖାତା ଖୋଲିଛି । ୫୬ କିଲୋଗ୍ରାମ ବିଭାଗ ୱେଟଲିଫ୍ଟିଂରେ ଗୁରୁରାଜ ପୁଜାରୀ ରୌପ୍ୟ ପଦକ ହାତେଇଛନ୍ତି । ତେବେ ଗତକାଲି ରଂଗାରଙ୍ଗ କାର୍ଯ୍ୟକ୍ରମ ସହ ଧୁମଧାମରେ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦଘାଟିତ ହୋଇଥିଲା । ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟ ଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ବ୍ରିଟେନ୍ ଯୁବରାଜ ପ୍ରିନ୍ସ ଚାଲର୍ସ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ । ଆଖି ଝଲସା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ପାରମ୍ପରିକ ନୃତ୍ୟ ଆକର୍ଷଣ ପାଲଟିଥିଲା ।

ନାଚଗୀତ, ଆତସବାଜି ସହ ଲେଜର ଲାଇଟର ଚିକିମିକ୍ ଖେଳ ଦର୍ଶକଂକ ମନ ମୋହି ନେଇଥିଲା । ଭାରତୀୟ ଖେଳାଳି ଦଳରନେତୃତ୍ୱ ନେଇଥିଲେ ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ । ୧୨ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତା ୧୫ ତାରିଖରେ ଉଦଯାପିତ ହେବ । ଏହି ପ୍ରତିଯୋଗିତାରେ ମୋଟ୍ ୧୯ଟି ଖେଳର ୨୭୫ଟି ଇଭେଂଟ ଅନୁଷ୍ଠିତ ହେବ । ୭୧ଟି ଦେଶର ୬ ହଜାରରୁ ଅଧିକ କ୍ରୀଡ଼ାବିତ୍ ଏଥିରେ ଭାଗ ନେଉଛନ୍ତି । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମାସ୍କଟ ରହିଛି ବୋରୋବି । ବୋରୋବି ହେଉଛି ନୀଳ କୋଆଲା । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଭାରତ ୨୨୫ ଜଣ ଖେଳାଳ ପଠାଇଛି । ଏମାନଂକ ମଧ୍ୟରେ ୮ ଜଣ ଓଡ଼ିଆ ଖେଳାଳି ରହିଛନ୍ତି । ମହିଳା ହକି ଦଳରେ ୪ ଜଣ ଓଡ଼ିଆ ଖେଲାଳି ଅଛନ୍ତି । ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୧୫ଟି ସ୍ୱର୍ଣ୍ଣ, ୩୦ଟି ରୌପ୍ୟ ଓ ୧୯ଟି ବ୍ରୋଞ୍ଜ ସହ ମୋଟ୍ ୬୪ଟି ପଦକ ଜିତିଥିଲା । ଏଥର ଭାରତର ପଦସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି ।