କନକ ବ୍ୟୁରୋ : ଅପହଞ୍ଚ ଇଲାକାରେ ଅପପୁଷ୍ଟିର ଯନ୍ତ୍ରଣା ଭିତରେ ନଗଡାକୁ ଗଡିଛି ପ୍ରଥମ ଯାତ୍ରୀବାହି ବସ୍ । ଅପପୁଷ୍ଟି ଜନିତ ଶିଶୁମୃତ୍ୟୁକୁ ନେଇ ଚର୍ଚ୍ଚାରେ ଥିବା ନଗଡ଼ାକୁ ଆରମ୍ଭ ହୋଇଛି ସରକାରୀ ବସ ସେବା । ଦୁର୍ଗମ ପାହାଡି ଇଲାକାରେ ରହୁଥିବା ଜୁଆଙ୍ଗ ଆଦିବାସୀଙ୍କୁ ମିଳିଛି ଗମନାଗମନର ପ୍ରଥମ ମାଧ୍ୟମ । ଆଜି ଯାଜପୁର ଜିଲ୍ଲା ଚଣ୍ଡିଖୋଲରୁ ଏହି ବସ ସେବାକୁ ଆରମ୍ଭ କରିଛି ପ୍ରଶାସନ । ଆଉ ନଗଡା ବସର ପ୍ରଥମ ଯାତ୍ରୀ ହୋଇଥିଲେ ସ୍ଥାନୀୟ ବିଧାୟକ ଓ ଜିଲ୍ଲାପାଳ । ଗତବର୍ଷ ନଗଡାରେ ଅନାହାର ମୃତ୍ୟୁକୁ ନେଇ ସରକାର ସମାଲୋଚନାର ଶିକାର ହୋଇଥିଲେ । ସେତେବେଳେ ଜଣା ପଡିଥିଲା ଯେ ଯୋଗଯୋଗ ଓ ଗମନାଗମନ ବ୍ୟବସ୍ଥା ନଥିବାରୁ ନଗଡାରେ ପହଁଚି ପାରୁନାହିଁ ଯୋଗାଣ ସାମଗ୍ରୀ ଓ ସ୍ୱାସ୍ଥ୍ୟ ସେବା ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରତିଦିନ ସକାଳ ୫ଟାରେ ନଗଡାରୁ ଏହି ବସ୍ ଯାତ୍ରା ଆରମ୍ଭ କରିବ । କାଳିଆପାଣି, ସୁକିନ୍ଦା,କଳିଙ୍ଗ ନଗର ଓ ବ୍ୟାସନଗର ହୋଇ ଚଣ୍ଡିଖୋଲରେ ପହଁଚିବ । ସେପଟେ କିନ୍ତୁ ନଗଡାରେ ସ୍ୱସ୍ଥ୍ୟାବସ୍ଥାର ଚିତ୍ର ଏବେ ବି ଦୟନୀୟ । ଗତବର୍ଷ ଅପପୁଷ୍ଟିରେ ୧୯ ଶିଶୁଙ୍କ ଜୀବନ ଯାଇଥିବା ବେଳେ ଚଳିତବର୍ଷ ଏବେ ଶୁଦ୍ଧା ଭୋକ ବିକଳରେ ପ୍ରାଣ ହରାଇଲେଣି ୨୪ଜଣ ଶିଶୁ ।ସେପଟେ ଯୋଗଯୋଗ ପାଇଁ ପୂର୍ବରୁ ବିଶେଷ ସୁବିଧା ନଥିବାରୁ ଜୁଆଙ୍ଗ ପରିବାର ମାଇଲ ମାଇଲ ବାଟ ଚାଲି ଡାକ୍ତରଖାନା ଆସିବାକୁ ଅରାଜି ହେଉଥିଲେ । ଏଣୁ ଏବେ ବସ ସେବା ଆରମ୍ଭ ହେବା ପରେ ଆଶା କରାଯାଉଛି ଯେ ଜୁଆଙ୍ଗ ପରିବାର ସହଜରେ ମେଡିକାଲ ଆସିପାରିବେ । ଏହା ସହ ପାହାଡି ଇଲାକାରେ ଯୋକାଣ ସାମଗ୍ରୀ ଓ ପୁଷ୍ଟିକର ଖାଦ୍ୟ ପହଁଚିବା ମଧ୍ୟ ସହଜ ହେବ ।
ଅପହଁଚ ଇଲାକାରେ ପହଁଚିବା ଏବେ ସହଜ ହୋଇଛି । କିନ୍ତୁ ଅପେକ୍ଷା କେବେ ବଦଳିବ ନଗଡାର ସ୍ୱାସ୍ଥ୍ୟାବସ୍ଥା?