୨୬ରୁ ୩ଦିନ ପାଇଁ ସରକାରୀ ବସ୍‌ ଚଳାଚଳ ବନ୍ଦ

58

କନକ ବ୍ୟୁରୋ: ଆସନ୍ତା ୨୬ ତାରିଖରୁ ୩ଦିନ ପାଇଁ ରାଜ୍ୟରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିବ। ନିଖିଳ ଓଡ଼ିଶା ରାଜ୍ୟ ସଡ଼କ ପରିହବନ କର୍ମଚାରୀ ସଂଘ ସହିତ ପରିବହନ ମନ୍ତ୍ରୀ ଓ ଯୁଗ୍ମ ଶ୍ରମ କମିସନରଙ୍କ ଆଲୋଚନା ବିଫଳ ହେବା ପରେ ସଂଘ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ।

ସଂଘର ସଭାପତି ନଳିନୀ ରଂଜନ ପତି ଓ ସଂପାଦକ ପ୍ରଶାନ୍ତ ରାଉତ ଜଣାଇଛନ୍ତି ଯେ, ଏନେଇ ଯୁଗ୍ମ ଶ୍ରମ କମିସନର ଉପେନ୍ଦ୍ର ମହାନ୍ତ ଓ ପରିବହନ ମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଥିଲା । ଏଥିରେ ସଂଘର ୫ଦଫା ଦାବି ଉପରେ ଆଲୋଚନା ହୋଇଥିଲା । ତେବେ ସରକାରଙ୍କ ପକ୍ଷରୁ ସଂଘର ଦାବି ପୂରଣ ଦିଗରେ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା । ତେଣୁ ୨୬ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସରକାରୀ ବସ୍ ଚଳାଚଳ ଓ କାର୍ଯ୍ୟାଳୟ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି ।

ଆଲୋଚନାରେ ଓଏସ୍ଆରଟିସିର ସିଏମ୍ଡି, ମହାପ୍ରବନ୍ଧକ, ଶ୍ରମ ଅଧିକାରୀ, ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ, ସାଧାରଣ ଉଦ୍ୟୋଗ ବିଭାଗ ସ୍ୱତନ୍ତ୍ର ସଚିବଙ୍କ ସହିତ ସଂଘର କାର୍ଯ୍ୟକାରୀ ସଭାପତି ଗୌରାଙ୍ଗ ମହାରଣା, ଓଡ଼ିଶା ରାଜ୍ୟ ନିଗମ କର୍ମଚାରୀ ମହାସଂଘର ଅଧ୍ୟକ୍ଷ ନଟବର ଆଚାର୍ଯ୍ୟ, ମହାସଚିବ ସରୋଜ କାନ୍ତ ମଲ୍ଲିକ, ଧ୍ରୁବ ଚରଣ ସାହୁ ଓ ଜଗନ୍ନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।