ଓସ୍କାର ଚିଟଫଣ୍ଡ ଦୁର୍ନୀତିରେ ସଂପୃକ୍ତ କଳାକାରଙ୍କ ନିକଟରେ ପହଂଚିବ କି କ୍ରାଇମବ୍ରାଂଚ

17

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଓସ୍କାର ଠକ ସାମ୍ରାଜ୍ୟ ଗଢିବାରେ ଓଲିଉଡ୍ କଳାକାରଙ୍କ ଭୂମିକା ନେଇ ଅଭିଯୋଗ ପରେ କ୍ରାଇମବ୍ରାଂଚର ଭୂମିକା ଉପରେ ଏଣିକି ସମସ୍ତଙ୍କ ନଜର । ଓସ୍କାର ଚିଟଫଣ୍ଡ ସହ କଳାକାରଙ୍କ ଲିଙ୍କ ନେଇ ବିରୋଧୀ ଦଳ ରାଜରାସ୍ତାକୁ ଓହ୍ଲାଇଛି । ଦିନକୁ ଦିନ ଏ ନେଇ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । କେବଳ ଯେ ଚିଟଫଣ୍ଡ ଟଙ୍କାରେ ଚଳଚ୍ଚିତ୍ର ନିର୍ମାଣ ହେବା ଏବଂ ଏଥିରେ କିଛି କଳାକାର ବେଶ ଲାଭବାନ ହୋଇଥିବା ଘଟଣାରେ ଏହା ସୀମିତ ହୋଇ ରହିନି । ଠକାମୀରେ ଶିକାର ହୋଇଥିବା ରାଜ୍ୟ ବାହାରର ବହୁ ଜମାକାରୀ ସିଧା ଅଭିଯୋଗ କରିଛନ୍ତି କଳାକାରଙ୍କ ବିରୋଧରେ । ସେମାନଙ୍କ ଅଭିଯୋଗ ସୁରଟରେ ଷ୍ଟେଜ ଶୋ କରି ଜମାକାରୀଙ୍କୁ ଓସ୍କାରରେ ଟଙ୍କା ଜମା କରିବା ପାଇଁ ନିଦ୍ଦିଷ୍ଟ କଳାକାର ମାନେ ପ୍ରୋତ୍ସାହନ ଦେଉଥିଲେ ।

ଓସ୍କାର ମୁଖ୍ୟ ପ୍ରଭାସ ରାଉତ ଗିରଫ ହେବା ବେଳେ ମଧ୍ୟ ଓସ୍କାର-ଓଲିଉଡ୍ ଲିଙ୍କ୍ ନେଇ ସୂଚନା ଦେଇଥିଲେ ସ୍ୱତନ୍ତ୍ର କ୍ରାଇମ ଡିଜି । ଏ ନେଇ ଖୁବଶୀଘ୍ର ତଦନ୍ତ ହେବ ବୋଲି ସେ ମଧ୍ୟ କହିଥିଲେ । ହେଲେ କ୍ରାଇମବ୍ରାଂଚ କଣ ପାଇଁ କାର୍ଯ୍ୟାନୁଷ୍ଠାନ ପାଇଁ ପଛଘୁଂଚା ଦେଉଛି, ତାହା ସାଧାରଣରେ ସଂଦେହ ସୃଷ୍ଟି କରୁଛି । ଏପରିକି ଆଶଙ୍କା ପ୍ରକାଶ ପାଇଛି ଯେ ଏହି କଳାକାରମାନେ ଶାସକ ଦଳର ସଦସ୍ୟ ହୋଇଥିବାରୁ କୋହଳ ହେଉଛି କ୍ରାଇମବ୍ରାଂଚ । ସେପଟେ ଜିଲ୍ଲାପାଳ ସମ୍ମିଳନୀରେ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏପରିକି ଯେତେ ପ୍ରଭାବଶାଳୀ ହେଲେ ବି ଚିଟଫଣ୍ଡରେ ଯେଉଁମାନଙ୍କ ସଂପୃକ୍ତି ରହିଛି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ମଧ୍ୟ କ୍ରାଇମବ୍ରାଂଚର କିଭଳି ଆଭିମୁଖ୍ୟ ଗ୍ରହଣ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।