ଓସ୍କାର ଓଲିଉଡ ଲିଙ୍କ୍ : ରାଜ୍ୟ ବାହାରେ ପ୍ରଭାସଙ୍କ ପ୍ରଭାବର ଖୁଲାସା

23

କନକ ନ୍ୟୁଜ୍ ବ୍ୟୁରୋ : ଓସ୍କାର-ଓଲିଉଡ୍ ଲିଙ୍କର ଆଉ ଏକ ବଡ ଖୁଲାସା । ନାମୀଦାମୀ ଅଭିନେତାଙ୍କୁ ଧରି ସୁରାଟରେ ପ୍ରଭାସ କରିଥିଲେ ପ୍ରାଇଜ୍ ଡିଷ୍ଟ୍ରିବ୍ୟୁସନ ପ୍ରୋଗ୍ରାମ । ସଂସ୍ଥା ସପକ୍ଷରେ ହେଉଥିଲା ପ୍ରଚାର ପ୍ରସାର । ଲିଡ୍ ରୋଲରେ ଥିଲେ ହାସ୍ୟ ଅଭିନେତା ପପୁ ପମପମ୍ । ସାଜିଥିଲେ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର । ସୁରାଟରେ ରହୁଥିବା ଓଡିଆଙ୍କୁ ବେଶ୍ ହସାଉଥିଲେ ଆଉ ସଂସ୍ଥାରେ ଟଂକା ଲଗାଇବାକୁ କହୁଥିଲେ । ପପୁଙ୍କ ସହ ସାମିଲ ହୋଇଥିଲେ ଆଉ କିଛି ନାମୀଦାମୀ ଅଭିନେତା ଓ ଅଭିନେତ୍ରୀ । ଉତମ ମହାନ୍ତି ଓ କାଜଲଙ୍କୁ ବି ଦେଖିବାକୁ ମିଳିଥିଲା ।

ଜମାକାରୀଙ୍କୁ ସଂସ୍ଥା ପ୍ରତି ଆକର୍ଷିତ କରିବାକୁ ପ୍ରଭାସ କରିଥିଲେ ଜୋରଦାର ଉଦ୍ୟମ । ମାଧ୍ୟମ ସାଜିଥିଲା ତତକାଳୀନ ରାଷ୍ଟ୍ରପତିଙ୍କ ସହ ଫଟୋ ଓ ମେଡାଲ । ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଫଟୋ ଦେଖାଇ, ଲୋକଙ୍କ ବିଶ୍ୱାସ ଭାଜନ ହେବାକୁ ଉଦ୍ୟମ କରିଥିଲେ ପ୍ରଭାସ । ଏହି ଫଟୋ ଦେଖାଇ ସେ ପ୍ରମାଣ କରିବାକୁ ଚାହୁଁଥିଲେ ସେ ତାଙ୍କ କଂପାନୀ କେତେ ବିଶ୍ୱସନୀୟ । ଆଉ ଏହି ଫଟୋ ଦେଖାଇ ଜମାକାରୀଙ୍କ ଠାରୁ ଲୁଟିଥିଲେ କୋଟିକୋଟି ଟଂକା । ସେହିପରି ଦେଶ ଓ ଦେଶ ବାହାରରେ ବିଭିନ୍ନ ପୁରସ୍କାରର ଚିତ୍ର ଦେଖାଇ ଲୋକଙ୍କୁ କଂପାନୀ ଆଡକୁ ଆକର୍ଷିତ କରାଯାଉଥିଲା ।

ଖାଲି ପ୍ରାଇଜ୍ ଓ ମେଡାଲ ନୁହେଁ ଜମାକାରୀଙ୍କୁ ଲୁଟିବାକୁ ସଂସ୍ଥା କରିଥିଲା ଅନେକ ଯୋଜନା । ଜମାକାରୀଙ୍କୁ ଦିଆଯାଉଥିଲା ବାର୍ତା । କଂପାନୀକୁ ନେତାମନ୍ତ୍ରୀ ଦେଉଥିବା ବାର୍ତା ଦେଖାଇ ଜମାକାରୀଙ୍କୁ ଟଙ୍କା ଜମାରଖିବା ପାଇଁ ପ୍ରୋତ୍ସାହିତ କରାଯାଉଥିଲା । ବିଭିନ୍ନ ସମୟରେ ନେତାମାନେ କଂପାନୀକୁ ବିଭିନ୍ନ ପ୍ରକାର ଶୁଭେଚ୍ଛା ବାର୍ତା ପଠାଉଥିଲେ । ଆଉ ଏହି ଶୁଭେଚ୍ଛା ବାର୍ତା ଦେଖାଇ ଲୋକଙ୍କୁ ଭୁଆଁ ବୁଲାଯାଉଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲଙ୍କ ଭଳି ନେତା ଏହି ଶୁଭେଚ୍ଛା ବାର୍ତା ପଠାଇଥିଲେ ।