ଜମାକାରୀଙ୍କ ଟଙ୍କାରେ ବିଦେଶରେ ମଉଜ କରୁଥିଲେ ପ୍ରଭାସ

45

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡ ସଂସ୍ଥା ମୁଖ୍ୟ ପ୍ରଭାସ ରାଉତଙ୍କୁ ଜେରା ବେଳେ କ୍ରାଇମବ୍ରାଂଚ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଜମାକାରୀଙ୍କ ଟଙ୍କାରେ ପ୍ରଭାସ ମଉଜ କରିବା ସହ ବିଦେଶ ଗସ୍ତ କରୁଥିଲେ । ଏପରିକି ଗୁଜୁରାଟରେ ବିଭିନ୍ନ ଷ୍ଟେଜ ସୋ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ । ବିଦେଶ ଗସ୍ତର ବିଭିନ୍ନ ଫଟୋ ଓ ବୈଦେଶିକ ସଂସ୍ଥାରୁ ଉପାହାର ନେଉଥିବା ଫଟୋ ଦେଖାଇ ଜମାକାରୀଙ୍କୁ ପ୍ରଲୋଭିତ କରୁଥିବା କ୍ରାଇମବ୍ରାଂଚ ପକ୍ଷରୁ ସୁଚନା ଦିଆଯାଇଛି । ୫ ଦିନିଆ ରିମାଣ୍ଡରେ ଅଛନ୍ତି ଓସ୍କାର ଚିଟଫଣ୍ଡ ସଂସ୍ଥା ମୁଖ୍ୟ ପ୍ରଭାସ ରାଉତ । ଭୁବନେଶ୍ୱର ଇଓଡବ୍ଲୁ ଅଫିସରେ ତାଙ୍କୁ ଜେରା କରାଯାଇଛି । ଜେରା ବେଳେ କେଉଁଠି କେଉଁଠି ଟଙ୍କା ଲାଗିଛି ସେ ନେଇ ଖୋଳତାଡ କରୁଛି କ୍ରାଇମବ୍ରାଂଚ ।

ସେପଟେ ଓସ୍କାର-ଓଲିଉଡ ଲିଙ୍କ ନେଇ ଆରମ୍ଭ ହୋଇଛି ଖୋଳତାଡ । କଂପାନୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଓଲିଉଡ କଳାକାର । ଲୋକଙ୍କ କଷ୍ଟ ଉପାର୍ଜିତ ଟଂକାକୁ ସେ ଫିଲ୍ମରେ ଲଗାଇ ମନୋରଂଜନ କରୁଥିଲେ । ୨୦୧୦ରେ ସେ ପ୍ରଥମେ ତୋ ଆଖିରେ ମୁଁ , ୨୦୧୧ରେ ମୋଷ୍ଟ ୱାଟେଂଡ୍, ୨୦୧୨ରେ ରଙ୍ଗିଲା ଟୋକା ଓ ୨୦୧୩ରେ ସେ ବାଳୁଙ୍ଗା ଟୋକା ନିର୍ମାଣ କରିଥିଲେ । ଏହି ୪ଟି ଫିଲ୍ମ ନିର୍ମାଣରେ ସେ ଚିଟଫଣ୍ଡ ଟଂକା ଲଗାଇଥିଲେ ।

ତେବେ ଓସ୍କାର ଚିଟଫଣ୍ଡ ଘଟଣାରେ ଶାସକ ଦଳକୁ ଘେରିଛି ବିଜେପି । ଓସ୍କାର ବ୍ୟାନରର ପ୍ରଚାର କରିବାରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ପପୁ, ଅନୁଭବ ମହାନ୍ତି ଓ ଆକାଶ ଦାସ ନାୟକଙ୍କ ପ୍ରମୁଖ ଭୂମିକା ରହିଛି । ଏମାନେ ସମସ୍ତେ ବିଜେଡିର ନେତା ବିଧାୟକ ଓ ସାଂସଦ । ଏଣୁ ବିଜେଡି ପ୍ରୋତ୍ସାହନରେ ଓସ୍କାର ଚିଟଫଣ୍ଡ ସଂସ୍ଥା ନିଜର କାୟା ବିସ୍ତାର କରିଥିବା ଅଭିଯୋଗ କରିଛି ବିଜେପି । ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ନେତା ତଥା ଅଭିନେତା ମାନଙ୍କର ଗିରଫ ଦାବି କରିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି ।