ଏବେ ବି ବଞ୍ଚିଛି ମଣିଷପଣିଆ ! ବାପଛେଉଣ୍ଡ ନାବାଳିକାକୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କଲେ ଜିଲ୍ଲା ପରିଷଦ ସଭ୍ୟ

335

କନକ ବ୍ୟୁରୋ : ବିପଦ ସମୟରେ ହିଁ ଜାଣିହୁଏ କିଏ ପ୍ରକୃତ ବନ୍ଧୁ । ଆଜିର ଦୁନିଆରେ ମଣିଷ ଟଙ୍କା ପଇସା ପଛରେ ଦଉଡ଼ୁଛି । ମଣିଷ ସବୁ କ୍ରୁରତାର ସୀମା ଲଂଘିଯାଉଛି ଆଉ ସଇତାନ, ରାକ୍ଷସ ପରି ବ୍ୟବହାର କରୁଛି । ହତ୍ୟା, ବଳାତ୍କାର, ଗଣବଳାତ୍କାର ଆଜିକା ସମୟରେ ଯେପରି ଖୁବ ସାଧାରଣ କଥା ହୋଇଗଲାଣି । ହେଲେ ଆଜିର ସମ୍ବେଦନଶୀଳ ଦୁନିଆରେ କିଛି ଏପରି ଲୋକ ଅଛନ୍ତି, ଯେଉଁମାନେ ଦୁନିଆ ପାଇଁ ଉଦାହରଣ ସୃଷ୍ଟି କରୁଛନ୍ତି । ଏପରି ଜଣେ ମଣିଷ ହେଲେ ରଂଜନ ପଣ୍ଡା ।

ଢ଼େଙ୍କାନାଲ ଜିଲ୍ଲା ସାଆନ୍ଦା ପ˚ଚାୟତ ବାଇଗିଣିଆ ଗାଁରେ ଦନ୍ତାହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଚିତ୍ତର˚ଜନ ପାଣିଙ୍କ ବଡ଼ଝିଅ ରୁବିତା(୧୦)ଙ୍କୁ ଜିଲ୍ଲା ପରିଷଦ ସଭ୍ୟ ରଂଜନ ପଣ୍ଡା ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଛନ୍ତି । ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ରଂଜନ ପଣ୍ଡା ଏହା ପ୍ରକାଶ କରିଛନ୍ତି । ମୃତ ଚିତ୍ତର˚ଜନଙ୍କ ଦୁଇଟି ଝିଅ ଥିବାବେଳେ ପରିବାରର ଆର୍ଥିକ ଅବସ୍ଥା ଭଲ ନାହିଁ । ତେଣୁ ରୁବିତାଙ୍କୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିବା ପାଇଁ ରଂଜନ ପଣ୍ଡା କହିବାରୁ ରୁବିତାଙ୍କ ମାଆ ଶକୁନ୍ତଳା ପାଣି ସହମତି ପ୍ରକାଶ କରିଥିଲେ ।

ରୁବିତାଙ୍କ ପାଠପଢ଼ା ଠାରୁ ବିବାହ ଖର୍ଚ୍ଚ ତୁଲାଇବେ ରଂଜନ ପଣ୍ଡା । କାର‌୍ୟ୍ୟକ୍ରମରେ ସରସ୍ୱତୀ ଶିଶୁ ମନ୍ଦିର ପ୍ରଧାନ ଆଚାର‌୍ୟ୍ୟ ସ˚ଜୟ ସାହୁ, ଆଚାର‌୍ୟ୍ୟ ହେମନ୍ତ ସାହୁ, ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ସୁଶାନ୍ତ ସାହୁ, ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ବିନୋଦ ପଣ୍ଡା, ବିଭୂତି ପଣ୍ତା, ସନ୍ତୋଷ ପାଣି ପ୍ରମୁଖ ଉପସ୍ଥିତ ଥିଲେ । ରଂଜନ ପଣ୍ତାଙ୍କର ବିଟେକ୍ ପଢ଼ୁଥିବା ଗୋଟିଏ ଝିଅ ଥିଲେ ମଧ୍ୟ ରୁବିତାଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଥିବାରୁ ଅଞ୍ଚଳବାସୀ ତାଙ୍କୁ ପ୍ରଶଂସା କରିଛନ୍ତି ।