ଓଡ଼ିଶାର ସବୁ ଡାକଘରକୁ କରାଯିବ କଂପ୍ୟୁଟରୀକରଣ ! ଲୋକଙ୍କୁ ଉନ୍ନତ ଡାକସେବା ଯୋଗାଇବାରେ ହେବ ସହାୟକ

238

କନକ ବ୍ୟୁରୋ : ଆସନ୍ତା ୨୦୧୮ ମସିହା ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ସମସ୍ତ ୮୧୭୫ ଡାକଘରକୁ କଂପ୍ୟୁଟରୀକରଣ କରାଯିବ ଏବଂ ଲୋକଙ୍କୁ ଉନ୍ନତ ଡାକସେବା ଯୋଗାଇବାରେ ଏହା ସହାୟକ ହେବ ବୋଲି ଓଡ଼ିଶା ପରିମଣ୍ଡଳ ମୁଖ୍ୟ ଡାକପାଳ ଡକ୍ଟର ସନ୍ତୋଷ କୁମାର କାମିଳା ପ୍ରକାଶ କରିଛନ୍ତି । ଡାକସେବା ମାନବ ସେବା ଭଳି । ଏହି ସେବା ମାଧ୍ୟମରେ ଲୋକଙ୍କୁ ଖୁସି ବାଣ୍ଟିବା ଆମ କର୍ତ୍ତବ୍ୟ ଓ ଦାୟିତ୍ୱ ପାଲଟିଛି । ଡାକ ବିଭାଗର କର୍ମଚାରୀ, ପୋଷ୍ଟମ୍ୟାନ, କାଉଣ୍ଟର୍‌ ଏବଂ ଗ୍ରାହକମାନଙ୍କ ମଧ୍ୟରେ ଆମେ ଏଭଳି ଏକ ସମ୍ପର୍କ ଗଢ଼ିତୋଳିବାକୁ ଚାହୁଁଛି ଯାହା ଡାକସେବା ଜରିଆରେ ଆନନ୍ଦ ବାଣ୍ଟିପାରିବ ବୋଲି ୧୯୮୬ ବ୍ୟାଚର ଭାରତୀୟ ଡାକସେବା ସେବା (ଆଇପିଏସ୍‌) ଅଧିକାରୀ ଡକ୍ଟର କାମିଳା କହିଥିଲେ ।

ସେବା ଓ ଦେବାରେ ମିଳୁଥିବା ଆନନ୍ଦ ଆମ କର୍ମଚାରୀଙ୍କ ପାଇଁ ନିଶ୍ଚିତ ଆଶୀର୍ବାଦ ହୋଇ ଫେରିବ । ଜଣେ ବ୍ୟକ୍ତି ଚାକିରି କଲାବେଳେ ଯେଭଳି ଆବେଦନ ପତ୍ର ଜରିଆରେ ଡାକ ଯୋଗାଯୋଗରୁ ଆରମ୍ଭ କରିଥାଏ ସେହିଭଳି ଆମ କର୍ମଚାରୀମାନେ ସେବା ଯୋଗାଇଦେଲେ ଏହାର ସୁଫଳ ମିଳିବ । ୧୮୫୪ ମସିହାରୁ ଭାରତରେ ଡାକସେବାର ପ୍ରଚଳନ ହୋଇଥିଲା । ଓଡ଼ିଶାରେ ଏବେ ୮୧୭୫ ଡାକଘର ରହିଛି ଯାହାକି ରାଜ୍ୟରେ ଥିବା ସବୁ ବ୍ୟାଙ୍କ ଶାଖାଠାରୁ ବି ଅଧିକ । ଏଠାରେ ଚିଠିପତ୍ରଠାରୁ ଆରମ୍ଭ କରି ବ୍ୟାଙ୍କ, ବୀମା ଆଦି ସବୁ ସେବା ମିଳୁଛି। ସମସ୍ତ ଡାକଘରେ ସ୍ପିଡ୍‌ ପୋଷ୍ଟ ସେବା ରହିଛି । ୩୦ ଜିଲ୍ଲାରେ ୩୫ ମୁଖ୍ୟ ଡାକ ଘର ରହିଛି । ରାଜ୍ୟର ଅନ୍ୟ ସମସ୍ତ ସେବାଠାରୁ ଡାକସେବା ସର୍ବାଗ୍ରେ ରହିଛି । ତେଣୁ ଲୋକେ ନିଜ ନିଜ ସେବାକୁ ଡାକ ବିଭାଗରେ ଦାବି କରନ୍ତୁ ବୋଲି ସେ ଆହ୍ଵାନ କରିଥିଲେ ।

ସେ ଆହୁରି କହିଲେ, ଗ୍ରାମୀଣ ଡାକ ସେବକଙ୍କ ଜରିଆରେ ଆମେ ସେବାକୁ ଏକ ମାଧ୍ୟମ କରିଛୁ । ସେମାନେ ହିଁ ଆମ ମୁଖମଣ୍ଡଳ ଓ ଭାବମୂର୍ତି ଭଳି । ସଞ୍ଚୟ ଖାତା, ଆର୍‌ଡି, ସୁକନ୍ୟା ସମୃଦ୍ଧି ଯୋଜନା, କିଶାନ ବିକାଶ ପତ୍ର ଆଦି ଆମ ଲୋକପ୍ରିୟ ସାମାଜିକ କଲ୍ୟାଣ ଯୋଜନା ରହିଛି । ସଞ୍ଚୟ ଖାତା ସହିତ ଆଧାର ସଂଯୋଗକୁ ଏବେ ମଧ୍ୟ ବାଧ୍ୟତାମୂଳକ କରାଯାଉଛି । ଏକଥା କାହାକୁ ଜଣା ନଥିବ ଯେ ଡାକବିଭାଗ ଦେଶରେ ପ୍ରଥମ ବୀମା (୧୮୮୪) ସେବା ଆରମ୍ଭ କରିଥିଲା। ଜିଡିଏସ୍‌ ନିଯୁକ୍ତିକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଡାକସେବା ମାଧ୍ୟମରେ ଲୋକେ ବିଭିନ୍ନ ବିଦ୍ୟୁତ ଓ ଟେଲିଫୋନ୍‌ ବିଲ୍‌ ମଧ୍ୟ ପଇଠ କରିପାରୁଛନ୍ତି । ଭବିଷ୍ୟତରେ କୌଣସି ଦେୟ ଦେବାକୁ ଲୋକଙ୍କୁ ଯେଭଳି ବାହାରକୁ ଯିବାକୁ ପଡ଼ିବ ନାହିଁ ସେ ବନ୍ଦୋବସ୍ତ କରାଯାଉଛି । ୯ଟି ଅମୃତ ସହର ପାଣି ମଧ୍ୟ ଯୋଗାଇ ଦିଆଯାଉଛି । ସବୁ କ୍ଷେତ୍ରରେ ଗୁଣାତ୍ମକ ସେବା ଯୋଗାଇବା ଆମ ଲକ୍ଷ୍ୟ ବୋଲି କହିଥିଲେ ଡକ୍ଟର କାମିଳା ।

କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଆମେ ନିଯୁକ୍ତି ଦେଉଛୁ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳ କ୍ରୀଡ଼ାବିତଙ୍କୁ ବିନା ପରୀକ୍ଷାରେ ନିଯୁକ୍ତି ଦିଆଯାଉଛି । ସୁନ୍ଦରସ୍ୱାସ୍ଥ୍ୟ, ଚେସ୍‌ ଆଦିରେ ଓଡ଼ିଶା ପରିମଣ୍ଡଳ ଭଲ କରୁଛି । ଖାଲିଥିବା ସ୍ଥାନ ପୂରଣ କରିବା ଏବଂ ହକି ଭଳି କିଛି ଆମ ରାଜ୍ୟର ଦଳଗତ ଖେଳକୁ ସାମିଲ କରିବାର ଯୋଜନା ମଧ୍ୟ ରହିଛି ବୋଲି ଡକ୍ଟର କାମିଳା ପ୍ରକାଶ କରିଥିଲେ ।