ଚାକିରୀ କୋଟା କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ଲାଗିଛି ହାଇକୋର୍ଟଙ୍କ ଶକ୍ତ ଝଟକା ! ଏସଇବିସି ସଂରକ୍ଷଣ ଆଇନକୁ ରଦ୍ଦ କରିଛନ୍ତି ହାଇକୋର୍ଟ

31

କନକ ବ୍ୟୁରୋ : ଚାକିରୀ କୋଟା କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ଲାଗିଛି ହାଇକୋର୍ଟଙ୍କ ଶକ୍ତ ଝଟକା । ଏସଇବିସି ସଂରକ୍ଷଣ ଆଇନକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ସ୍ୟାଟଙ୍କ ରାୟକୁ ରଖିଛନ୍ତି କାଏମ । ଚାକିରୀ କ୍ଷେତ୍ରରେ ପଛୁଆବର୍ଗଙ୍କୁ ସୁବିଧା ଦେବା ଲକ୍ଷ୍ୟରେ ୨୦୦୮ରେ ରାଜ୍ୟ ସରକାର ଏହି ଆଇନ ଆଣିଥିଲେ । ବିଧାନସଭାରେ ବହୁ ତର୍କବିତର୍କ ପରେ ଗୃହରେ ବିଲ୍ ପାରିତ ହେବା ସହ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରି ଆଇନରେ ପରିଣତ ହୋଇଥିଲା ।

ଏହି ନୂଆ ଆଇନକୁ ସମ୍ବିଧାନର ନବମ ଅନୁଛେଦରେ ସ୍ଥାନିତ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଚିଠି ଲେଖିଥିଲେ । କିନ୍ତୁ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ କୈାଣସି ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାର ନୂଆ ସଂରକ୍ଷଣ ଆଇନକୁ କାର୍ଯ୍ୟକାରୀ କରିଥିଲେ । ଫଳରେ ରାଜ୍ୟରେ ଚାକିରୀ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ୬୫.୭୫ ପ୍ରତିଶତରେ ପହଁଚିଥିଲା । ଏହି ଆଇନର ବୈଧତାକୁ ନେଇ ଜଣେ ଚାକିରୀ ଆଶାୟୀ ସ୍ୟାଟରେ ଏକ ମାମଲା ରୁଜୁ କରିଥିଲେ ।

ଏହି ମାମଲାର ବିଚାର କରି ସ୍ୟାଟ୍ ଏସଇବିସି ସଂରକ୍ଷଣ ଆଇନକୁ ରଦ୍ଦ କରିଥିଲେ । ହେଲେ ରାଜ୍ୟ ସରକାର ସ୍ୟାଟଙ୍କ ରାୟ ବିରୋଧରେ ହାଇକୋର୍ଟକୁ ଯାଇଥିଲେ । ଆଜି ହାଇକୋର୍ଟ ସ୍ୟାଟଙ୍କ ଆଦେଶକୁ କାଏମ ରଖିବା ସହ ଏହି ସଂରକ୍ଷଣ ଆଇନକୁ ରଦ୍ଦ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାରୀ କ୍ଷେତ୍ରରେ ୫୦ପ୍ରତିଶତରୁ ଅଧିକ ସଂରକ୍ଷଣ କରାଯାଇପାରିବ ନାହିଁ । ସେହି ନିୟମକୁ ପାଳନ କରି କେନ୍ଦ୍ର ସରକାର ବିଭିନ୍ନ ସରକାରୀ ଚାକିରୀ କୋଟା କ୍ଷେତ୍ରରେ ୪୯ ପ୍ରତିଶତ ପର୍ଯ୍ୟନ୍ତ ସ୍ଥାନ ସଂରକ୍ଷଣ କରୁଛନ୍ତି ।