ଜୈବିକ ପଦ୍ଧତିରେ ଚାଷ ପ୍ରତି ମନ ବଳେଇଲା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ! କ୍ୟାମ୍ପସରେ ହେଲା ପରିବା ଚାଷ, ଗବେଷଣା କରିବେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ।

136

କନକ ବ୍ୟୁରୋ : ଜୈବିକ ପଦ୍ଧତିରେ ଚାଷ ପ୍ରତି ମନ ବଳାଇଛି ରାଉରକେଲାରେ ଥିବା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ଏନଆଇଟି । କର୍ତୃପକ୍ଷଙ୍କ ପରାମର୍ଶକ୍ରମେ କ୍ୟାମ୍ପସରେ ଜୈବିକ ପଦ୍ଧତିରେ ପରିବା ଚାଷ କରିଛନ୍ତି ଜୈବ କୃଷି ବିଜ୍ଞାନୀ ଉଦୟ ଚନ୍ଦ୍ର । ଚାଷ ଆରମ୍ଭର ମାତ୍ର ଦେଢମାସରେ ପରିବା ଅମଳ କରି ସଫଳତା ପାଇଛନ୍ତି ଏହି ଉଦୟମାନ ଚାଷୀ । ଅର୍ଗାନିକ୍ ଫାର୍ମିଂର ସଫଳତା ଦେଖି ଗବେଷଣା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ଓ ଅଧ୍ୟାପକ ।

ଏନଆଇଟି ପରିସରରେ ବିସ୍ତିର୍ଣ୍ଣ ସବୁଜିମା । ବଣଜଙ୍ଗଲ, ପଥୁରିଆ ଓ ଖାଲଖମା ଭରା ଜମିରେ ହସୁଛି ପରିବା ଫସଲ । ଏନଆଇଟିକ ଟାଙ୍ଗରା ଭୂଇଁରେ ଫୁଲକୋବି, ଟମାଟୋ, ଧନିଆ ଗଛ, ମକା, ମୂଳା, ବିଭିନ୍ନ ପ୍ରକାର ସାଗ ଓ ଫୁଲ ଚାଷ କରିଛନ୍ତି ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ଅଂଚଳର ଜୈବ କୃଷି ବିଜ୍ଞାନୀ ଉଦୟ ଚନ୍ଦ୍ର ପାତ୍ର । ଏନଆଇଟି କର୍ତୃପକ୍ଷଙ୍କ ଅନୁରୋଧ କ୍ରମେ ଦେଢମାସ ତଳେ ଜୈବିକ ସାର ଓ ବିହନ ସାହାର୍ଯ୍ୟରେ ଅର୍ଗାନୀକି ଫାର୍ମିଂକୁ ଆରମ୍ଭ କରିଥିଲେ । ତେବେ ଫାର୍ମିଂର ମାତ୍ର ମାସେ ଦଶ ଦିନରେ ଫସଲ ଅମଳ କରିପାରିଛନ୍ତି ଉଦୟ ।

ଆଗକୁ ଏହି ସ୍ଥାନରେ ଏନଆଇଟି କର୍ତୃପକ୍ଷଙ୍କ ସହଯୋଗରେ ଜୈବ ସାର ପ୍ରସ୍ତୁତ  କରାଯିବ । ଜୈବିକ ପଦ୍ଧତିରେ କିଭଳି ଭଲ ଚାଷ କରି ହେବ ସେଥିପାଇଁ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ସ୍ଥାନୀୟ ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯିବ । କେବଳ ଏତିକି ନୁହେଁ କମ ସମୟ ଭିତରେ ଭଲ ଚାଷ ଦେଖି, ଉତ୍ସାହିତ ହୋଇଛନ୍ତି ଏନଆଇଟି କର୍ତୃପକ୍ଷ । ଏନଆଇଟି ପକ୍ଷରୁ ଏହି ଜମିରେ ବାଇଓ ଟେକ୍ନୋଲୋଜି ଏବଂ ଲାଇଫ ସାଇନ୍ସ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ଗବେଷଣା ନିମନ୍ତେ ଖୋଲାଯିବ ଉନ୍ନତମାନ ପ୍ରୟୋଗଶାଳା ।