ମଣିଷପଣିଆର ସଂଜ୍ଞା ବୁଝାଇଦେଲେ ଦିନ ମଜୁରିଆ…ନିଜେ ଚାଲି ଗଲେ ହେଲେ ଆଉ କାହା ଅନ୍ଧକାର ଜୀବନରେ ଭରିଦେଇଗଲେ ସୁନ୍ଦର ପୃଥିବୀର ଆଲୋକ

664

କନକ ବ୍ୟୁରୋ: ଜଣେ ଦିନ ମଜୁରିଆର ହୃଦୟ ଯେ ଏତେ ବଡ ହୋଇପାରେ ତାହା କଳ୍ପନା ବାହାରେ । ନିଜେ ଜଳି ଅନ୍ୟକୁ ଆଲୋକିତ କରିବାର ମହତ କାମ କରିଛନ୍ତି ଏହି ଦିନ ମଜୁରିଆ ଜଣକ । ପରଘରେ ଦିନେ କାମ ନକଲେ ଯାହା ଘରେ ଚୂଲି ଜଳୁନଥିଲା ଆଜି ସେ ଅନ୍ୟ କାହାର ଜୀବନକୁ କରିଦେଇଛି ଉଜ୍ଜ୍ୱଳ । ଆଉ ତାଙ୍କର ଏହି ବଳିଦାନ ସମାଜକୁ ବାର୍ତ୍ତା ଦେଇଯାଇଛି ଯେ ବିନା କୌଣସି ସ୍ୱାର୍ଥ ରଖି ଅନ୍ୟ ମୁହଁରେ ଖୁସି ବାଂଟୁଥିବା ଲୋକଟି ହିଁ ପ୍ରକୁତ ମଣିଷ ।

ବାଲେଶ୍ୱର ଜିଲ୍ଲା ଅମର୍ଦାରୋଡ ନଟାକଟା ଅଂଚଳର କରୁଣାକର ବେହେରା । ପେଶାରେ ଜଣେ ଦିନ ମଜୁରିଆ । ସ୍ତ୍ରୀ-ପିଲା ଛୁଆ ୪ଜଣଙ୍କୁ ନେଇ ତାଙ୍କ ପରିବାର । ପର ଘରେ ଦିନସାରା ମୂଲ ଲାଗି ଯାହା କିଛି ରୋଜଗାର କରନ୍ତି ସେଇଥିରେ ହିଁ ହସ ଖୁସିରେ ଚଳିଯାଉଥିଲା କୁରଣାକରଙ୍କ ପରିବାର । ହେଲେ ବିଧିର ବିଧାନ ଦେଖ, ଶନିବାର ଦିନ ଗାଁର ଜଣେ ବ୍ୟକ୍ତିଙ୍କ ଘରର ପୁରୁଣା ପାଚେରୀ ଭାଙ୍ଗୁଥିବା ବେଳେ ହଠାତ୍ ପାଚେରିଟି ତାଙ୍କ ଉପରେ ମାଡି ପଡିବାରୁ ଗୁରୁତର ଭାବେ ଆହତ ହୋଇଯାଇଥିଲେ କରୁଣାକର । ଏହାପରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ କରୁଣାକରଙ୍କର ଇଚ୍ଛାଥିଲା କି ମୃତ୍ୟୁ ପରେ ତାଙ୍କ ଆଖି ଦାନ କରିବାକୁ ଏବଂ ତାଙ୍କର ଏହି ଇଚ୍ଛାକୁ ପୁରଣ କରିବାକୁ କରୁଣାକରଙ୍କ ଆଖିକୁ ଦାନ କରିବାକୁ ନିଷ୍ପତି ନେଇଥିଲେ ପରିବାର ଲୋକେ ଆଉ ମୃତ୍ୟୁ ପରେ ନିଜ ଆଖି ଦାନ କରି ଅନ୍ୟମାନଙ୍କ ପାଇଁ ଏବେ ଉଦାହରଣ ପାଲଟିଯାଇଛନ୍ତି କରୁଣାକର । ବାସ୍ତବରେ କରୁଣାକର ସଶରୀରରେ ନାହାନ୍ତି ସତ ହେଲେ ତାଙ୍କ ଆଖି ଦୁଇଟି ଆଜି ଅନ୍ୟ କାହା ଅନ୍ଧାର ଦୁନିଆରେ ଭରିଦେଇଛି ସୁନ୍ଦର ପୃଥିବୀର ଆଲୋକ । ଆଉ କରୁଣାକରଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ସ୍ଥାନୀୟ ଅଂଚଳ ବେଶ୍ ଗର୍ବ ଅନୁଭବ କରିଛନ୍ତି ।