ସାମ୍ବାଦିକ ସୁଜାତ୍ ବୁଖାରୀଙ୍କ ହତ୍ୟା ନେଇ ଜାମ୍ମୁ-କାଶ୍ମୀର ପୋଲିସର ବଡ ଖୁଲାସା ! ସୁଜାତଙ୍କୁ ହତ୍ୟା କରିବାକୁ ପାକିସ୍ତାନରୁ ଦିଆଯାଇଥିଲା ସୁପାରୀ

28

କନକ ବ୍ୟୁରୋ: ବୁଖାରୀଙ୍କ ପାଇଁ ସୁପାରୀ ଦେଇଥିଲା ପାକିସ୍ତାନ । ସୁଜାତ୍ ବୁଖାରୀଙ୍କୁ ହତ୍ୟା କରିବାକୁ ସୀମା ସେପାଖରୁ ଆସିଥିଲା ନିର୍ଦ୍ଦେଶ । ଜମ୍ମୁ କଶ୍ମୀରର ବରିଷ୍ଠ ସାମ୍ବାଦିକ ସୁଜାତ୍ ବୁଖାରୀ ହତ୍ୟା ମାମଲାରେ ସାମନାକୁ ଆସିଛି ଏପରି ଚାଂଚଲ୍ୟକର ତଥ୍ୟ । ହତ୍ୟାକାଣ୍ଡର ତଦନ୍ତ କରୁଥିବା ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ ଏପରି ସୂଚନା ଦେଇଛି । ସୁଜାତ୍ ବୁଖାରୀ ହତ୍ୟାକାଣ୍ଡର ତଦନ୍ତ ସହ ସିଧାସଳଖ ସଂପୃକ୍ତ ଥିବା ଜମ୍ମୁ କଶ୍ମୀର ପୋଲିସର କିଛି ଅଧିକାରୀ ଏ ନେଇ ଖୁଲାସା କରିଛନ୍ତି ।

ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, କଶ୍ମୀର ଘାଟିରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଚଳାଇଥିବା ବରିଷ୍ଠ ସାମ୍ବାଦିକ ସୁଜାତ୍ ବୁଖାରୀଙ୍କୁ ହତ୍ୟା କରିବା ପାଇଁ ସୀମା ଆରପଟୁ ନିର୍ଦ୍ଦେଶ ଆସିଥିଲା । ଆଉ ପାକିସ୍ତାନରୁ ଆସିଥିବା ନିର୍ଦ୍ଦେଶ ଅନୁଯାୟୀ ଆତଙ୍କବାଦୀମାନେ ବୁଖାରୀଙ୍କୁ ଗୁଳି ମାରି ହତ୍ୟା କରିଥିଲେ । ତେବେ ବୁଖାରୀଙ୍କ ହତ୍ୟାକାରୀଙ୍କୁ ଚିହ୍ନଟ ସରିଛି ବୋଲି ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି । ଏହି ହତ୍ୟାକାଣ୍ଡରେ ବିଛିନ୍ନତାବାଦୀ ନେତାଙ୍କ ସହ ଜମାତ୍-ଏ-ଇସଲାମୀ ନେତାଙ୍କ ସଂପୃକ୍ତି ସମ୍ପର୍କରେ ମଧ୍ୟ ସୁରାକ୍ ମିଳିଛି ।

କଶ୍ମୀର ଘାଟିକୁ ଅଶାନ୍ତ କରି ରଖୁଥିବା ଦିଗରେ ବିଚ୍ଛିନ୍ନତାବାଦୀ ସଙ୍ଗଠନଗୁଡିକର ଭୂମିକାକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ସହ ସମାଲୋଚନା କରୁଥିଲେ ରାଇଜିଂ କଶ୍ମୀର ସମ୍ପାଦକ ସୁଜାତ୍ ବୁଖାରୀ । ଯେଉଁଥି ପାଇଁ ବିଛିନ୍ନତାବାଦୀ ନେତା ଓ ସେମାନଙ୍କୁ ପ୍ରଛନ୍ନ ସମର୍ଥନ ଯୋଗାଇ ଦେଉଥିବା ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନର ବିଷଦୃଷ୍ଟିରେ ପଡିଥିଲେ ସାମ୍ବାଦିକ ବୁଖାରୀ ।