ବିଧାନସଭାରେ ବାପୁଙ୍କୁ ନେଇ ବିରୋଧୀଙ୍କ ଉଦବେଗ। ନରସିଂହ କହିଲେ, ଗାନ୍ଧୀ ଜୟନ୍ତୀରେ ଛୁଟି ନହେଲେ ନାହିଁ ଆୟୋଜିତ ହେଉ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

479

କନକ ବ୍ୟୁରୋ: ବିଧାନସଭାରେ ଉଠିଲା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପ୍ରସଙ୍ଗ । ବିଧାନସଭାରେ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ସମେତ ବିରୋଧୀଦଲ ଉପନେତା ବିଷ୍ଣୁଚରଣ ସେଠୀ ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି । ଆଜି ବିଧାନସଭାର ଶୂନ୍ୟକାଳରେ ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି କି, ଜାତିର ପିତା ମହାତ୍ମା ଗାନ୍ଧୀ ଯିଏ କି ଗୋରା ସରକାରଙ୍କ କବଳରୁ ଦେଶକୁ ରକ୍ଷା କରିଥିଲେ ତାଙ୍କୁ ଆଜିର ଦିନରେ ସମସ୍ତେ ଭୁଲି ଗଲେଣି । ଏପରିକି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଦିନ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା ହେଲେ କିଛି ଲାଭ ହେଲାନି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଶାସନରେ ଗାନ୍ଧୀଙ୍କ ସହିଦ ଦିବସରେ ହତ୍ୟାକାରୀ ନାଥୁରାମ ଗଡସେକୁ ପୂଜା କରାଯାଉଛି ଓ ଗାନ୍ଧୀଙ୍କ ଫଟୋକୁ ଗୁଳି କରାଯାଉଛି । କେନ୍ଦ୍ର ସରକାରଙ୍କ ଅନେକ ସଦସ୍ୟ ଗାନ୍ଧୀଙ୍କ ବିଷୟରେ ବିବାଦୀୟ ଟିପ୍ପଣୀ ମଧ୍ୟ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ନରସିଂହ ।

ତେବେ ରାଜ୍ୟ ସରକାରଙ୍କୁ ସେ ଅନୁରୋଧ କରିଛନ୍ତି କି, ମହାତ୍ମା ଗାନ୍ଧୀଙ୍କ ଜୀବନୀ ପ୍ରଥମରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପୁସ୍ତକରେ ସ୍ଥାନିତ କରାଯାଉ । ବାପୁଙ୍କୁ ନେଇ ବିଭିନ୍ନ ତର୍କ ବିତର୍କ ମଧ୍ୟ ହେଉ । ଗାନ୍ଧୀ ଜୟନ୍ତୀ ଛୁଟି ନହେଲେ ସ୍ୱତନ୍ତ୍ର ଉତ୍ସବ କରିବାକୁ କହିଛନ୍ତି ନରସିଂହ ମିଶ୍ର । ଏଥିସହିତ ହିଁ ଗାନ୍ଧୀଙ୍କ ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଇ ରାଜ୍ୟରେ ଗାନ୍ଧୀ ସ୍ମାରକୀ କେନ୍ଦ୍ର ଖୋଲାଯାଉ ବୋଲି ଆଜି ଗୃହରେ ଦାବି ଜଣାଇଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର ।

ଅନ୍ୟପଟେ, ନାଥୁରାମ ଗଡସେ ବିଜେପି କିମ୍ବା ଆରଏସଏସ ସହ ଜଡିତ ନୁହନ୍ତି ବୋଲି ନରସିଂହଙ୍କ ଅଭିଯୋଗର ପ୍ରତିଉତର ରଖିଛି ବିଜେପି । ଗାନ୍ଧୀଙ୍କ ହତ୍ୟାକାରୀ ସହ ବିଜେପି ନା ହିଁ ଆରଏସଏସର କୌଣସି ସଂପର୍କ ରହିଛି ବୋଲି କହିଛନ୍ତି ବିରୋଧୀଦଳର ଉପନେତା ତଥା ବିଜେପି ନେତା ବିଷ୍ଣୁଚରଣ ସେଠୀ । ସେ କହିଛନ୍ତି କି, ଏହାକୁ ନେଇ ବହୁ ପୂର୍ବରୁ ଦେଶର ସର୍ବୋଚ୍ଚ ନ୍ୟାୟଳୟ ମଧ୍ୟ ନିଜ ରାୟ ଶୁଣାଇଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବି ଗାନ୍ଧୀଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି । ମୋଦୀ ବାପୁଙ୍କ ସମ୍ମାନର୍ଥେ ତାଙ୍କ ୧୫୦ତମ ଜନ୍ମଦିନ ପୂର୍ବରୁ ସମସ୍ତ ଗରୀବଙ୍କ ମୁଣ୍ଡ ଉପରେ ଛାତ ଦେବାକୁ ଘୋଷଣା କରିଛନ୍ତି ।ତେଣୁ ଖାଲି କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରିବା ପାଇଁ ଏମିତି କୁହାଯାଉଛି ବୋଲି କହିଛନ୍ତି ବିଷ୍ପୁ । ତେବେ କେବଳ ତେରେଛା ବାଣ ନମାରି ଏପ୍ରସଙ୍ଗରେ ସ୍ୱତନ୍ତ୍ର ଆଲୋଚନା କରାଯାଉ ବୋଲି କହିଛନ୍ତି ବିରୋଧୀଦଳର ଉପନେତା ବିଷ୍ଣୁଚରଣ ସେଠୀ ।

ସେପଟେ, ଗାନ୍ଧୀଙ୍କ ଦ୍ୱାରା ଅନୁସୃତ ଅହିଂସାକୁ ଭାରତୀୟ ସମ୍ବିଧାନରେ ସ୍ଥାନିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଆବେଦନକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଜେଡି ସଭ୍ୟ ଦେବୀ ମିଶ୍ର, ଅତନୁ ଓ ଭୂପିନ୍ଦର କହିଥିଲେ । ତେବେ ଗାନ୍ଧୀଙ୍କୁ ସମ୍ମାନ ଦେଇ ଅକ୍ଟୋବର ୨ରୁ ରାଜ୍ୟରେ ସଂପୂର୍ଣ୍ଣ ନିଶା ନିବାରଣ କରିବାକୁ ଆହ୍ୱାନ ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ।