ବାଚସ୍ପତିଙ୍କ ରୁଲିଂକୁ ନେଇ ହଙ୍ଗାମା: ବିଧାନସଭାର ମଧ୍ୟକୁ ଆସିଲେ ଖବର ପ୍ରସାରଣ ଉପରେ ରୋକ; ବିଧାୟକଙ୍କ ବିରୋଧକୁ ଗଣମାଧ୍ୟମ ଦେଖାଇପାରିବନି ବୋଲି ବାଚସ୍ପତିଙ୍କ ରୁଲିଂ

କଂଗ୍ରେସର ହଟ୍ଟଗୋଳ ଭିତରେ ଆସନ୍ତାକାଲି ଯାଏଁ ଗୃହ ମୁଲତବି; ସେପଟେ ସୂର୍ଯ୍ୟ ପାତ୍ର କହିଲେ, ରୋକ କେବଳ ଆଜି ପାଇଁ

203

କନକ ବ୍ୟୁରୋ: ବିଧାନସଭାର ମଧ୍ୟଭାଗକୁ ବିରୋଧୀ ଆସିଲେ ଖବର ପ୍ରସାରଣ କରିପାରିବନି ଗଣମାଧ୍ୟମ । ବିଧାୟକଙ୍କ ବିରୋଧକୁ ଗଣମାଧ୍ୟମ ଦେଖାଇପାରିବନି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ ଦେଇଛନ୍ତି । ତେବେ ବାଚସ୍ପତିଙ୍କ ଏହି ରୁଲିଂକୁ ଅସାମ୍ବିଧାନିକ କହିଛନ୍ତି ବିରୋଧୀ । ଏବଂ ଏହି ରୁଲିଂକୁ ବାଚସ୍ପତି ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ।

ବିଧାନସଭାରେ ଆଜି ଦେଖିବାକୁ ମିଳିଥିଲା କିଛି ଏମିତି ଚିତ୍ର । ଯାହାକୁ ଆମେ ଆପଣଙ୍କୁ ଏଥିପାଇଁ ଦେଖାଇପାରିବୁନି, କାରଣ ବିଧାନସଭା ଗୃହ ମଧ୍ୟରେ ଚାଲିଥିବା ଏହି ଚିତ୍ରକୁ ଗଣମାଧ୍ୟମରେ ପ୍ରଦର୍ଶିତ କରିବାକୁ କିମ୍ବା ଏ ବିଷୟରେ କିଛି ଲେଖିବାକୁ ବାରଣ କରିଛନ୍ତି ବାଚସ୍ପତି । ତେବେ ବାଚସ୍ପତିଙ୍କ ରୁଲିଂ ଅନୁଯାୟୀ, ଗୃହର ମଧ୍ୟ ଭାଗକୁ ଆସି କୌଣସି ସଭ୍ୟ ପ୍ରତିବାଦ କରିବାର ଖବର କୌଣସି ବି ଗଣମାଧ୍ୟମରେ ପ୍ରକାଶିତ ହୋଇପାରିବ ନାହିଁ ।

ଗୃହକାର୍ଯ୍ୟ ଚାଲିଥିବା ସମୟରେ ଅଫିସର ଗ୍ୟାଲେରୀରେ କୌଣସି ଅଫିସର ଉପସ୍ଥିତ ନ ରହିବା ନେଇ ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ଦିନରେ ଆଜି ହଙ୍ଗାମା କରିଥିଲେ ବିରୋଧୀ । ଫଳରେ ଗୃହକାର୍ଯ୍ୟକୁ ଶନିବାର ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ତେବେ ଲକ୍ଷେ୍ନ÷ାରେ କିଛି ଦିନ ପୂର୍ବରୁ ଆୟୋଜିତ ବାଚସ୍ପତି ସମ୍ମିଳନୀରେ ଗୃହର ସୁପରିଚାଳନା ନେଇ ନିଆଯାଇଥିଲା କିଛି ନୀତିଗତ ନିଷ୍ପତି । ଯାହା ଆଧାରରେ କୌଣସି ସଭ୍ୟ ପ୍ରତିବାଦ କରିବାକୁ ଗୃହର ମଧ୍ୟଭାଗକୁ ଆସିପାରିବେ ନାହିଁ ବୋଲି ଅନୁରୋଧ କରିଛନ୍ତି ବାଚସ୍ପତି ।

ବଜେଟ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଆଗତ ପାଇଁ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବକ୍ତବ୍ୟ ରଖୁଥିଲେ । ଏତିକି ବେଳେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପଏଂଟ ଅଫ୍ ଅଡର୍ ଉଠାଇ ଅଭିଯୋଗ କରିଥିଲେ ଯେ ଗୃହର ଅଫିସର ଗ୍ୟାଲେରୀରେ ଅଫିସରମାନେ କାହିଁକି ରହୁନାହାନ୍ତି । ଯଦି ବିଧାୟକମାନଙ୍କ ପାଇଁ ନିୟମ ଅଛି, ତେବେ ଅଫିସରମାନଙ୍କ ପାଇଁ କାହିଁକି ନିୟମ ଲାଗୁ ହେଉନାହିଁ । ଏହାକୁ ନେଇ ଗୃହର ମଧ୍ୟ ଭାଗରେ ବିରୋଧୀଙ୍କ ନାରାବାଜି ଓ ବାଚସ୍ପତିଙ୍କ ରୁଲିଂ, ଆହୁରି ସରଗରମ କରିଥିଲା ବିଧାନସଭାକୁ ।