ତିତଲି ପରେ ତେଜିଲା ବିବାଦ ! ମୃତ୍ୟୁ ସଂଖ୍ୟାକୁ ନେଇ ସରକାର ମିଥ୍ୟା ତଥ୍ୟ ଦେଉଥିବା ବିରୋଧୀଙ୍କ ଅଭିଯୋଗ, ସତ ପରଖିଲା କନକ ନ୍ୟୁଜ୍ ।

52

କନକ ବ୍ୟୁରୋ : ବାତ୍ୟା ତିତଲି ଚାଲିଯାଇଛି । ହେଲେ ମୃତ୍ୟୁ ସଂଖ୍ୟାକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ଜିରୋ କାଜୁଆଲିଟି ନେଇ ସରକାର ଯେଉଁ ଦମ୍ଭ ଦେଖାଉଥିଲେ, ତାକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ସରକାର ମଧ୍ୟ ମାନିଛନ୍ତି, ଗଜପତି ଜିଲ୍ଲା ବାରଘରରେ ପାହାଡ଼ ଅତଡ଼ା ଖସି ୧୫ ଜଣଙ୍କ ମୃତ୍ୟୁ ହୋଇଛି । ହେଲେ ବିରୋଧୀ ଏହି ସଂଖ୍ୟାକୁ ମାନିବାକୁ ନାରାଜ । ସେପଟେ ସ୍ଥାନୀୟ ଲୋକଙ୍କ ଠାରୁ ଯେଉଁ ସୂଚନା ମିଳୁଛି, ବାରଘର ବାଦ୍ ଆହୁରି ୧୮ ଜଣ ଲୋକ ମୃତ କିମ୍ବା ନିଖୋଜ ହୋଇଯାଇଛନ୍ତି । ଏପରିକି ପ୍ରଶାସନକୁ ଖବର ଦେଇଥିଲେ ମଧ୍ୟ କେହି ନପହଁଚିବାରୁ ମୃତଦେହକୁ ପୋଡି ଦେଇଥିବା ସୂଚନା ଦେଇଛନ୍ତି ।

ବାତ୍ୟା ତିତଲି ଓଡିଶାରେ ତାର ପ୍ରଭାବ ଦେଖାଇ ଚାଲିଯାଇଛି । ହେଲେ ବାତ୍ୟା ପ୍ରଭାବରେ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ନେଇ ଦେଖା ଦେଇଛି ବିବାଦ । ସରକାରଙ୍କ ଜିରୋ କାଜୁଆଲିଟି ଦାବିକୁ ବାରମ୍ବାର ଟାର୍ଗେଟ କରିଆସୁଛନ୍ତି ବିରୋଧୀ । କେବଳ ଗଜପତି ବାରଘରରେ ମୃତକଙ୍କ ସଂଖ୍ୟା ୧୫ ବୋଲି ସରକାର କହିଥିବା ବେଳେ ବିରୋଧୀ କହୁଛନ୍ତି ମୃତ୍ୟୁ ସଂଖ୍ୟା ଏହା ଠାରୁ ଢେର ବେଶି । ସରକାର ବାତ୍ୟା ପରିଚାଳନାରେ ନିଜ ଅପାରଗତା ଘୋଡାଇବାକୁ ମିଥ୍ୟା ତଥ୍ୟ ଦେଉଥିବା କହିଛନ୍ତି ବିରୋଧୀ ଦଳ ।

ବାତ୍ୟା ପ୍ରଭାବରେ ମୃତ୍ୟୁ ସଂଖ୍ୟାକୁ ନେଇ ଏହି ବିବାଦ ଭିତରେ ସତ ପରଖିବାକୁ କନକ ନ୍ୟୁଜ ପହଂଚିଥିଲା ଗ୍ରାଉଣ୍ଡ ଜିରୋରେ । ଆଉ ସ୍ଥାନୀୟ ଲୋକଙ୍କଠାରୁ ଆମ ପ୍ରତିନିଧିଙ୍କୁ ମିଳିଥିବା ସୂଚନା ଅନୁସାରେ ।

– କଇଁପୁର ପଂଚାୟତରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ଜଣ ନିଖୋଜ ଅଛନ୍ତି

– ମୃତ ୪ ଜଣଙ୍କୁ ସ୍ଥାନୀୟ ଲୋକେ ପୋତି ଦେଇଥିବା ଆମ ପ୍ରତିନିଧିଙ୍କୁ କହିଛନ୍ତି

– ସେହିପରି ମାଡବାରେ ୨ଜଣଙ୍କ ମୃତ୍ୟୁ ହୋଇଛି ଓ ସେମାନଙ୍କୁ ପୋତି ଦେଇଛନ୍ତି

– ସରଗି ଲୁଙ୍ଗାଖାଇ ଏବଂ ଓଡାଲିଙ୍ଗିରେ ୨ଜଣ ଲେଖାଏଁ ପ୍ରାଣ ହରାଇଥିବା ସୂଚନା ରହିଛି

ତିତଲି ପ୍ରଭାବରେ ମହେନ୍ଦ୍ରଗିରି ପାହାଡରେ ଆଶ୍ରୟ ନେଇଥିବାବେଳେ ପଥର ଧସିବାରୁ ବାରଘର ଗାଁର ୧୫ଜଣଙ୍କ ମୃତ୍ୟୁ ହେବାସହ ୩ଜଣ ନିଖୋଜ ଥିବା ଏସଆରସି ମାନିଥିଲେ । ଅର୍ଥାତ ସରକାରୀ ହିସାବରେ ୧୮ ଜଣ ଓ ଆମେ ସଂଗ୍ରହ କରିଥିବା ତଥ୍ୟକୁ ମିଶାଇଲେ ୩୩ ଜଣ ମୃତ କିମ୍ବା ନିଖୋଜ ହୋଇଛନ୍ତି । ଏହିସବୁ ବାଦ ବିବାଦ ଭିତରେ ଆଜି ଗଜପତି ଯାଇ ପ୍ରଭାବିତ ଅଂଚଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ।