ସପ୍ତମ ବେତନ କମିଶନ ନେଇ ଘୋଷଣା ପରେ ପ୍ରତିକ୍ରିୟା : ବିରୋଧୀ କହିଲେ, ଧୂଆଁବାଣ

73

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଘୋଷଣା ହେଲା ଲାଗୁହେବ ସପ୍ତମ ବେତନ କମିଶନ । ଏହାକୁ ନେଇ ଉତ୍ସାହିତ ରାଜ୍ୟ ସରକାରୀ କର୍ମଚାରୀ । ମୁଖ୍ୟମନ୍ତ୍ରୀ ଦୀପାବଳି ଭେଟି ଦେଇଥିବା କହି ଆଜି ନବୀନ ନିବାସରେ ଭିଡ ଲଗାଇଥିଲେ ବିଭିନ୍ନ ସରକାରୀ କର୍ମଚାରୀ ସଂଗଠନ । ଖୁବଶୀଘ୍ର ମୋଡାଲିଟି ସ୍ଥିର କରି ୨୦୧୬ ଜାନୁଆରୀରୁ ଏହାକୁ ପିଛିଲା ଭାବେ ଲାଗୁ କରିବା ପାଇଁ ନବୀନଙ୍କୁ ଅନୁରୋଧ କରିଛନ୍ତି ବିଭିନ୍ନ ସଂଘ ।

କିନ୍ତୁ କମିଶନଙ୍କ ସୁପାରିଶକୁ କେମିତି ଲାଗୁ କରିବେ ସରକାର । ଯଦି କେନ୍ଦ୍ର ସରକାରଙ୍କ ପରି ୨୩.୫ ପ୍ରତିଶତ ବେତନ ବୃଦ୍ଧି ହୁଏ ତେବେ ରାଜ୍ୟ ସରକାରଙ୍କ ଉପରେ ବାର୍ଷିକ ପ୍ରାୟ ୫ ହଜାର କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ବୋଝ ପଡିବା ଅନୁମାନ । ଏବେ ରାଜ୍ୟ ସରକାରୀ କର୍ମଚାରୀଙ୍କ ଦରମା ଓ ପେନସନ ବାବଦକୁ ୨୮ ହଜାର କୋଟି ଟଙ୍କା ବ୍ୟୟ କରୁଛନ୍ତି ସରକାର । ଆଉ ସପ୍ତମ ବେତନ କମିଶନଙ୍କ ସୁପାରିଶକୁ ଗ୍ରହଣ କଲେ ଏହି ବୋଝ ୩୩ ହଜାର କୋଟିରେ ପହଂଚିବ । ସେପଟେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ରାଜସ୍ୱ ଆଦାୟ ପ୍ରାୟ ୪ ପ୍ରତିଶତ କମିଛି । ତେଣୁ ଏହି ଅତିରିକ୍ତ ଖର୍ଚ୍ଚ ବୋଝ ତୁଲାଇବାକୁ କଣ ପୁଣି ଋଣ କରିବେ ରାଜ୍ୟ ସରକାର ।

ସପ୍ତମ ବେତନ କମିଶନଙ୍କ ସୁପାରିଶକୁ କେନ୍ଦ୍ର ସରକାରଙ୍କ ପରି ଲାଗୁ କଲେ ମୁଖ୍ୟ ଶାସନ ସଚିବ ପାହ୍ୟାର ଜଣେ ଅଧିକାରୀଙ୍କ ଦରମା ପ୍ରାୟ ଅଢେଇ ଲକ୍ଷ ଟଙ୍କା ଛୁଇଁବ । ସେହିପରି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା ହେବ । ଯାହା ଏକ ବଡ ଧରଣର ବିଭେଦ ଆଣିବାର ଆଶଙ୍କା ରହିଛି । କାରଣ, ବର୍ଷ ବର୍ଷ ଧରି ରାଜ୍ୟ ସରକାର ଅନେକ ବିଭାଗରେ ଠିକା ଓ କଂଟ୍ରାକଚୁଆଲ କର୍ମଚାରୀରେ କାମ ଚଳାଇଛନ୍ତି । ଏମାନଙ୍କୁ ଅତି ନିମ୍ନ ବେତନରେ କାମ କରାଯାଉଛି । ଏହି ତାରତମ୍ୟ ଆଗାମୀ ଦିନରେ କାର୍ଯ୍ୟକ୍ଷେତ୍ରରେ ବଡ ଧରଣର ପ୍ରଭାବ ପକାଇବାର ଆଶଙ୍କା ରହିଛି । କେବଳ ନିୟମିତ କର୍ମଚାରୀଙ୍କ ଲାଗି ସପ୍ତମ ବେତନ କମିଶନଙ୍କ ସୁପାରିଶ ଲାଗୁହେଲେ ବିଭିନ୍ନ ବର୍ଗର କର୍ମଚାରୀଙ୍କ ଦରମାରେ ଏକ ବିରାଟ ଅସଂଗତି ଦେଖାଦେବ ।

ସମାନ କାମକୁ ସମାନ ଦରମା ଲାଗି ସୁପ୍ରିମକୋର୍ଟଙ୍କ ସାନି ନିର୍ଦ୍ଦେଶନାମା ମଧ୍ୟ ଅଡୁଆ ସୃଷ୍ଟି କରିବା ସମ୍ଭାବନା । ସପ୍ତମ ବେତନ କମିଶନଙ୍କ ସୁପାରିଶକୁ ଲାଗୁ କରିବାବେଳେ ସରକାର ଏସବୁ ବିଷୟ ପ୍ରତି ଧ୍ୟାନ ନଦେଲେ ପ୍ରବଳ ଅସନ୍ତୋଷର ସମ୍ମୁଖୀନ ହୋଇପାରନ୍ତି ।

ଚର୍ଚ୍ଚା ହେଉଛି ରାଜ୍ୟ ସରକାର ପଂଚାୟତ ବୈତରଣୀ ପାର ହେବାକୁ ତରବରିଆ ଭାବେ ସପ୍ତମ ବେତନ କମିଶନ ଲାଗୁ ନେଇ ଘୋଷଣା କରିଛନ୍ତି । ଆଉ ଫିଟମେଂଟ କମିଟି ମୋଡାଲିଟି ସ୍ଥିର କଲାବେଳେ ଯଦି ସବୁ ବର୍ଗର କର୍ମଚାରୀଙ୍କ ହିତକୁ ଆଖି ଆଗରେ ନରଖନ୍ତି ତେବେ ସରକାରଙ୍କ ଏହି ଘୋଷଣା ବୁମେରାଂ ହୋଇପାରେ ।