ଢେଙ୍କାନାଳରେ ଗଛ କଟା ବନ୍ଦ ମାମଲାରେ ସରକାରଙ୍କୁ ସମାଲୋଚନା: କଂଗ୍ରେସ କହିଲା, ରାଜସ୍ୱ ଆଦାୟ ନାଁରେ ଲୋକଙ୍କୁ କରାଯାଉଛି ଆକ୍ରମଣ

ବିଜେପି କହିଲା ମାମଲା ଓ ଲାଠିମାଡ ହେଲା ପରେ ଦିଆଯାଉଛି ବନ୍ଦ ନିର୍ଦ୍ଦେଶ

138

କନକ ବ୍ୟୁରୋ: ଢେଙ୍କାନାଳର ବଳରାମପୁରରେ ବିୟର ଫ୍ୟାକ୍ଟ୍ରି ପାଇଁ ଗଛ କଟାକୁ ତୁରନ୍ତ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ଘହ ଘଟଣାର ଆରଡିସି ସ୍ତରୀୟ ତଦନ୍ତ ବି ହେବ । ଗତକାଲି ଗଛକଟାକୁ ବିରୋଧ କରି ଢେଙ୍କାନାଳ ବଳାରାମପୁରରେ ପୁଲିସ-ଗ୍ରାମବାସୀ ମୁହାଁମୁହିଁ ହୋଇଥିଲୋ ଇଡକୋ ଦ୍ୱାରା ଗୃହୀତ ବିୟର କମ୍ପାନୀ ପାଇଁ ଗଛ କଟା ଯାଉଥିବାବେଳେ ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ମହିଳା । ସକାଳୁ ସକାଳୁ ପୁଲିସ ଉପସ୍ଥିତିରେ ଗଛ କଟା ଯାଉଥିବାବେଳେ ମହିଳାମାନେ ଠେଙ୍ଗାବାଡି ଧରି ଜଙ୍ଗଲରେ ପହଁଚି ଥିଲେ । ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ଏହାକୁ ନେଇ ଧସ୍ତାଧସ୍ତି ହୋଇଥିଲା । ପରେ ମହିଳାମାନେ ପୋଲିସକୁ ଠେଙ୍ଗା ଦେଖାଇ ଘଉଡାଇବାକୁ ଉଦ୍ୟମ କରିଥିଲେ । ମଦ କାରଖାନା ତିଆରି ପାଇଁ ଏହି ସ୍ଥାନରୁ ୯୫୮ଟି ଗଛ କଟାଯିବ ନିଷ୍ପତି ହୋଇଥିଲା, ଯାହାକୁ ବିରୋଧ କରୁଛନ୍ତି ଗ୍ରାମବାସୀ ।

ସେପଟେ ଗଛକଟା ମାମଲାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ଦଳ କହିଛି ପାଣ୍ଠି ସଂଗ୍ରହ ପାଇଁ କିଛି ମାଫିଆକୁ ସୁଯୋଗ ଦିଆଯାଇଛି । ରାଜସ୍ୱ ଆଦାୟ ନାଁରେ ଗାଁ ଲୋକଙ୍କୁ ଆକ୍ରମଣ ହୋଇଛିା କାର୍ଯ୍ୟାନୁଷ୍ଠାନ ନହେଲେ ଗାଁ ଲୋକଙ୍କ ସହ ମିଶି ଆନ୍ଦୋଳନ କରିବାକୁ ଧମକ ଦେଇଛି କଂଗ୍ରେସ ।

 

Narasingh-Mishra

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି କେନ୍ଦ୍ରର ବିନା ଅମୁମତିରେ ଜଙ୍ଗଲ ଜମିରୁ ଗଛ କାଟିବା ବେଆଇନ ଓ ଦଣ୍ଡନୀୟ । ଡେରିରେ ହେଲେବି ମୁଖ୍ୟମନ୍ତ୍ରୀ ଗଛକଟା ବନ୍ଦ କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଦେବି । ଚାପର ବଶବର୍ତୀ ହୋଇ ସେ ନିଜ ନିଷ୍ପତିର ପୁନଃବିଚାର କରିଛନ୍ତି ବୋଲି କହିଛନ୍ତି ନରସିଂହ ମିଶ୍ର ।

ଅନ୍ୟପଟେ ଗଛକଟା ବନ୍ଦ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି ବିଧାୟକ ଦଳ ନେତା ପ୍ରଦୀପ ପୁରୋହିତ କହିଛନ୍ତି ପୋଲିସ ଅତ୍ୟାଚାର କଲା ମହିଳାଙ୍କ ଉପରେ ଲାଠିଚାର୍ଜ ହେଲେ ଓ ସରକାର ନିନ୍ଦ୍ଖଚ୍ଛ ହେଲେ । ମୁଖ୍ୟମନ୍ତ୍ରୀଙ୍କ ନଜର ବାହାରେ ମନ୍ତ୍ରୀ ଓ ବ୍ୟୁରୋକ୍ରାଟ କିଛି କାର୍ଯ୍ୟ କରୁଛନ୍ତି, ପରବର୍ତୀ ସମୟରେ ଯେତେବେଳେ ଜନପ୍ରତିକ୍ରିୟା ହେଉଛି ଏଥିରୁ ବଂଚିବା ପାଇଁ ମୁଖ୍ୟମନ୍ତ୍ରୀ କାମ ବନ୍ଦର ନିର୍ଦ୍ଦେଶ ଦେଉଛନ୍ତି । ମାମଲା ଓ ଲାଠିମାଡ ହେଲା ପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଉଛନ୍ତି ବୋଲି କହିଛନ୍ତି ପ୍ରଦୀପ ।