କନ୍ଧମାଳ ଗୁଳିକାଣ୍ଡ ମାମଲା : ଏସଆଇଟି ମୁଖିଆଙ୍କୁ ନେଇ ବିରୋଧୀଙ୍କ ପ୍ରଶ୍ନ

41

ବାଲିଗୁଡ଼ାରେ ପୋଲିସ୍ ଏନ୍କାଉଂଟର ଘଟଣାର ତଦନ୍ତ କରିବ ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ ବା ଏସ୍ଆଇଟି। ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଏସ୍ଆଇଟିର ନେତୃତ୍ୱ ନେବେ ମାନବାଧିକାର ସୁରକ୍ଷା ସେଲରେ ଅତିରିକ୍ତ ଡିଜି ତଥା ଆଇପିଏସ୍ ଅଫିସର ମହେନ୍ଦ୍ର ପ୍ରତାପ। ତେବେ ଏହି ଅଧିକାରୀଙ୍କ ପୂର୍ବ ରେକର୍ଡ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ୧୯୯୮ରେ ମହେନ୍ଦ୍ର ପ୍ରତାପ ଗଜପତିର ଏସପି ଥିବା ବେଳେ ଆର୍. ଉଦୟଗିରି ଜେଲ୍ ଭଙ୍ଗା ଘଟଣାରେ ସସପେଣ୍ଡ ହୋଇଥିଲେ। ଦାୟିତ୍ୱରେ ଅବହେଳା ପାଇଁ ବର୍ତମାନର ସରକାର ତାଙ୍କ ବିରୋଧରେ ଦୁଇଟି ପ୍ରୋସିଡିଙ୍ଗ୍ ଆଣିଛନ୍ତି । ଏକଥା କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ସେପଟେ କନ୍ଧମାଳରେ ତଦନ୍ତ ସାରି ପୁନିଆ କହିଲେ, ଆବଶ୍ୟକ ହେଲେ ରାଜ୍ୟ ପ୍ରଶାସକଙ୍କୁ ଡକା ଯିବ ଦିଲ୍ଲୀ।

ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଏସ୍ଆଇଟି ଉପରେ ବିରୋଧୀ ପ୍ରଶ୍ନ କରୁଥିବା ବେଳେ ଆଜି ଜାତୀୟ ମାନବାଧିକାର କମିଶନ ଏ ନେଇ ରାଜ୍ୟକୁ ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କହିବେ ବୋଲି କହିଛନ୍ତି କମିଶନଙ୍କ ମହାସଚିବ ଏସ୍. ଏନ୍. ମହାନ୍ତି । ସେପଟେ ଆଜି ବାଲିଗୁଡ଼ା ଗସ୍ତରେ ଆସିଛନ୍ତି ଜାତୀୟ ଅନୁସୂଚିତ ଜାତି କମିଶନର ଅଧ୍ୟକ୍ଷ ପି.ଏଲ୍. ପୁନିଆ।

ଗତ ବର୍ଷ ରାଜ୍ୟ ସରକାର ନୂଆପଡ଼ାରେ ୪ଜଣ ଅଭିଯୁକ୍ତ ଏସ୍ଓଜି ଯବାନଙ୍କୁ ଗିରଫ କରିଥିଲେ। ହେଲେ ଏବେ ସରକାର ପଦକ୍ଷେପ ନେବାରେ କାହିଁକି ବିଳମ୍ବ କରୁଛନ୍ତି ସେ ନେଇ ପ୍ରଶ୍ନ ଉଠୁଛି। ଅନ୍ୟପଟରେ ଏସ୍ଆଇଟି ତଦନ୍ତ ରିପୋର୍ଟ କେତେ ଦିନରେ ପଦାକୁ ଆସିବ ସେ ନେଇ ପ୍ରଶ୍ନ ଚିହ୍ନ ସୃଷ୍ଟି ହୋଇଛି।