ନିର୍ବାଚନ ଫଳାଫଳ ଆସିବା ଜାତୀୟ ରାଜନୀତି ସରଗରମ : ପୁଣି ଥରେ ମମତାଙ୍କ ପାଇଁ ଏକାଠି ହେଲେ ବିରୋଧୀ, ବିଜେପି ପାଇଁ ବଢିପାରେ ଚିନ୍ତା

352

କନକ ବ୍ୟୁରୋ : ୨୦୧୯ ନିର୍ବାଚନର ଶେଷ ଲଢେଇ ପଶ୍ଚିମବଙ୍ଗରେ ଚାଲିଛି, ଆଉ ଏହା ଉପରେ ପୁରା ଦେଶର ନଜର ଅଟକି ରହିଛି । କାରଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପିର ଶୀର୍ଷ ନେତାଙ୍କ ଭିତରେ ଆରପାର ଲଢେଇ ଚାଲିିଛି । ସବୁ ଜୋର ଲଗାଇ ମମତା ବିଜେପିର ସାମ୍ନା କରୁଛନ୍ତି ତ ପୁରା ବିରୋଧୀ ମେଂଟ ତାଙ୍କ ପଛରେ ପୁଣିଥରେ ଛିଡା ହୋଇଛି । ମାୟାବତୀଙ୍କ ଠାରୁ ଆରମ୍ଭ କରି ରାହୁଲ ଗାନ୍ଧି ଓ ଅଖିଳେଶ ଯାଦବଙ୍କ ଯାଏଁ ନେତା ମମତା ବାନାର୍ଜୀଙ୍କୁ ସମର୍ଥନ କରିଛନ୍ତି । ତେଣୁ ନିର୍ବାଚନ ଶେଷ ହେଲାବେଳକୁ ପୁଣିଥରେ ସେହି ସ୍ଥିତି ତିଆରି ହୋଇଛି, ଯାହା ନିର୍ବାଚନ ପୂର୍ବରୁ ଥିଲା । ଅର୍ଥାତ ବିଜେପି ବିରୋଧୀ ଲଢେଇରେ ମମତା ସବୁଠାରୁ ଆଗରେ ଛିଡା ହୋଇଛନ୍ତି, ତାଙ୍କ ପଛରେ ରହିଛି ପୁରା ବିରୋଧୀ ମେଂଟ ଏବଂ ମମତା ଏହାର ନେତୃତ୍ୱ ନେଉଛନ୍ତି ।

ମମତା ପୁଣିଥରେ ବିଜେପି ବିରୋଧରେ ମୋର୍ଚ୍ଚା ଖୋଲିବା ପରେ ସମର୍ଥନରେ ବାହାରି ଆସିଛନ୍ତି ଅଖିଳେଶ ଯାଦବ, ତେଜଶ୍ୱୀ ଯାଦବ, କେସିଆର ଓ ଚନ୍ଦ୍ରବାବୁ ନାଇଡୁଙ୍କ ଭଳି ନେତା । ଟ୍ୱିଟ୍ କରି ମମତା ବାନାର୍ଜୀଙ୍କୁ ଏମାନେ ଖୋଲାଖୋଲି ସମର୍ଥନ ଜଣାଇଛନ୍ତି । ସେପଟେ କଂଗ୍ରେସ ଓ ମାୟାବତୀ ପ୍ରେସମିଟ୍ କରି ଏହି ପ୍ରସଙ୍ଗରେ ମମତା ବାନାର୍ଜୀଙ୍କ ସହ ରହିଥିବା କହିଛନ୍ତି । ଏକାଠି ହୋଇ ବିରୋଧୀ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲି ଦିନରେ ରହିଛି । ସେଥିପାଇଁ ନିର୍ବାଚନ କମିଶନ୍ ରାତିରେ ପ୍ରଚାର ବନ୍ଦ କରିଦେଇଛନ୍ତି । ବିଜେପି ଇସାରାରେ ନିର୍ବାଚନ କମିଶନ୍ କାମ କରୁଥିବାରୁ ଏହା ଅସାମ୍ବିଧାନିକ ବୋଲି କଂଗ୍ରେସ କହିଛି । ଗଣତନ୍ତ୍ର ପ୍ରତି ବଡ ବିପଦ ସୃଷ୍ଟି ହୋଇଥିବା ମାୟାବତୀ ଅଭିଯୋଗ କରିଛନ୍ତି ।

ନିର୍ବାଚନ ଶେଷ ହେବା ଉପରେ, ଆଉ ମମତା ଦିଦି ପୁଣିଥରେ ବିରୋଧୀ ମେଂଟରେ ସବୁଠାରୁ ପ୍ରଭାବୀ ନେତା ଭାବେ ନଜର ଆସିଛନ୍ତି । ତେଣୁ ମୌକାରେ ଚୌକା ମାରି ତାଙ୍କୁ ସମର୍ଥନ ଜଣାଇଥିବା ଦଳଗୁଡିକୁ ଧନ୍ୟବାଦ ଜଣାଇଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ନିର୍ବାଚନ ଫଳାଫଳ ଆସିବା ଆଗରୁ ମମତାଙ୍କ ନେତୃତ୍ୱରେ ବିରୋଧୀ ଏକତା ବିଜେପିର ଚିନ୍ତା ବଢାଇ ଦେଇଛି । ସେପଟେ ମମତା ଦିଦିଙ୍କୁ ପୁଣିଥରେ ବିରୋଧୀ ମେଂଟରେ ନେତା ନମ୍ବର ୱାନ୍ ଭାରେ ରେସର ଆଗରେ ରଖିଛି । ବିରୋଧୀ ମେଂଟର ନେତା କିଏ ବୋଲି ବିଜେପି ବାରମ୍ବାର ପ୍ରଶ୍ନ କରୁଥିଲା । ଆଉ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିରୋଧୀ ନେତା ପରସ୍ପରକୁ ଭେଟୁଥିଲେ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ମଧ୍ୟ ବିଜେପି ବିରୋଧୀ ଦଳର ନେତାମାନଙ୍କୁ ଭେଟି ସମସ୍ତଙ୍କୁ ଏକଜୁଟ କରିବାକୁ ପ୍ରୟାସ ଚଳାଇଥିଲେ । ହେଲେ ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ପରିସ୍ଥିତି ପୁଣିଥରେ ମମତା ବାନାର୍ଜୀଙ୍କୁ ଚର୍ଚ୍ଚାର ଆଗରେ ରଖିଛି ଏବଂ ପୁରା ବିରୋଧୀ ଦଳ ତାଙ୍କ ପଛରେ ଛିଡା ହୋଇଥିବା ପରି ମନେ ହେଉଛି ।

କୁହାଯାଉଛି ଜାତୀୟ ରାଜନୀତିରେ ପଶ୍ଚିମବଙ୍ଗର ବଡ ଭୂମିକା ରହିିଛି । କାରଣ ଏଠାରେ ୪୨ଟି ଲୋକସଭା ଆସନରେ ମତଦାନ ହେଉଛି । ଆଗାମୀ ୧୯ ତାରିଖରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ଏକାକୀ ମମତା ଯେଭଳି ମୋଦି-ଶାହା ଯୋଡିଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି, ତାହା ତାଙ୍କ ଛବିକୁ ବିରୋଧୀ ଶିବିରରେ ବଢାଇ ଦେଇଛି । ବିଜେପିର ମନୋମୁଖୀ କାରବାରରେ ବ୍ରେକ୍ ଲଗାଇବାକୁ ମମତା ଓ ଟିଏମସି ହିଁ ସମର୍ଥ ବୋଲି ଧାରଣା ତିଆରି ହେଉଛି । ବ୍ୟୁରୋ ରିପୋର୍ଟ, କନକ ନ୍ୟୁଜ ।