ଗଣଶିକ୍ଷା ବିଭାଗର ବିଭ୍ରାନ୍ତକାରୀ ପାଠ ! ପଞ୍ଚମ ଶ୍ରେଣୀ ବହିରେ ସାପ କାମୁଡ଼ା ପ୍ରତିକାରର ଓଲଟା ବାଟ

186

କୋମଳମତି ଶିଶୁଙ୍କ କ୍ଷେତ୍ରରେ ସରକାରୀ କଳର କୋହଳ ମନୋଭାବର ଆଉ ଏକ ନମୁନା ଦେଖିବାକୁ ମିଳିଛି । ବହି ପାଠକୁ ବେଦର ଗାର ବୋଲି ମାନି ନେଉଥିବା ଶିଶୁମାନଙ୍କୁ ପାଠ ବହିରେ ବିଭ୍ରାନ୍ତିକର ପାଠ ପଢ଼ାଯାଉଛି । ସାପ କାମୁଡ଼ିଥିବା ଅଂଶର ତଳ ଓ ଉପର ଭାଗକୁ କପଡ଼ା ସୂତା ଅବା ଦଉଡ଼ିରେ ଶକ୍ତ କରି ବାନ୍ଧି ଦେବ ବୋଲି ବହିରେ ଲେଖାଯାଇଛି । ଖାଲି ସେତିକି ନୁହେଁ, ବାନ୍ଧି ଦେବା ପରେ ରକ୍ତ ଝରୁଥିବା ଅଂଶକୁ ଚିପି ବିଷାକ୍ତ ରକ୍ତ ବାହାର କରିଦେବା ଉଚିତ୍‌ ବୋଲି ବହିରେ ଉଲ୍ଲେଖ କରାଯାଇଛି ।

ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଏହି ପାଠ ପଢ଼ାଉଛନ୍ତି । ମାତ୍ର ବାସ୍ତବତା ହେଲା, ସାପ କାମୁଡ଼ିଥିବା ସ୍ଥାନକୁ ବାନ୍ଧିବା ଦ୍ୱାରା ଏହା ଅତି ବିପଜ୍ଜନକ ସାବ୍ୟସ୍ତ ହୋଇଥାଏ ବୋଲି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଇଣ୍ଡିଆନ୍‌ ନ୍ୟାସନାଲ୍‌ ସ୍ନେକବାଇଟ୍‌ ପ୍ରୋଟୋକଲ୍‌ କହୁଛି । ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇ ଆସୁଥିବା ୫ମ ଶ୍ରେଣୀ ‘ପରିବେଶ ବିଜ୍ଞାନ’ ବହିର ୧୪୦ ପୃଷ୍ଠାରେ ସାପ କାମୁଡ଼ା ପରେ ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ଏଭଳି ଓଲଟା ତଥ୍ୟ ପ୍ରକାଶିତ ହୋଇଛି ।

ବହିରେ ଉଲ୍ଲେଖ ଅଛି ଯେ ସାପର ବିଷ ରକ୍ତ ମାଧ୍ୟମରେ ଶରୀରର ଅନ୍ୟ ଅଂଶକୁ ବ୍ୟାପିଯାଏ । ଏ ନେଇ କ୍ୟାପିଟାଲ୍‌ ହସ୍ପିଟାଲର ଭେଷଜ ବିଶେଷଜ୍ଞ ଡ.ନିରଂଜନ ପାଢ଼ୀଙ୍କ କହନ୍ତି, ସାପ କାମୁଡ଼ିବା ପରେ ବିଷ ରକ୍ତ ଦ୍ୱାରା ଆଦୌ ବ୍ୟାପେ ନାହିଁ । ଏହା ଆମ ଶରୀରର ଚର୍ମ ତଳେ ଥିବା ଲସା ଗ୍ରନ୍ଥି ଦ୍ୱାରା ପ୍ରବାହିତ ହୋଇଥାଏ । ତେଣୁ ସାପ କାମୁଡ଼ାର ଦୁଇ ଅଂଶକୁ ଦଉଡ଼ିରେ ଶକ୍ତ କରି ବାନ୍ଧିବା ଦ୍ୱାରା ରକ୍ତ ସଂଚାଳନ ବନ୍ଦ ହୋଇାଯାଏ । ବନ୍ଧା ଯାଇଥିବା ପରର କୋଷଗୁଡ଼ିକ ମରିଯାଏ ।

ଏମିତିକି ସଂପୃକ୍ତ ବ୍ୟକ୍ତି ଜଣକ କୋମାକୁ ଚାଲିଯିବାର ଆଶଙ୍କା ଅଧିକ ଥାଏ । ଆବଶ୍ୟକ ପଡ଼ିଲେ ବନ୍ଧା ଯାଇଥିବା ଜାଗାଠାରୁ ଅଙ୍ଗକୁ କାଟିବାକୁ ପଡ଼େ । ତେବେ ସାପ କାମୁଡ଼ିଥିବା ବ୍ୟକ୍ତି ଜଣକ ହଠାତ୍‌ ଦୌଡ଼ାଦୌଡ଼ି କରିବା ଦ୍ୱାରା ଏହା ଶରୀରକୁ ଶୀଘ୍ର ବ୍ୟାପିଯାଏ ବୋଲି ଡ. ପାଢ଼ୀ କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରିସଂଖ୍ୟାନ ଅନୁଯାୟୀ ପ୍ରତି ବର୍ଷ ଭାରତରେ ୫୦ ହଜାର ଲୋକ ସାପ କାମୁଡ଼ାରେ ପ୍ରାଣ ହରାନ୍ତି । ଯାହା କି ବିଶ୍ୱରେ ସର୍ବାଧିକ । ସେହିଭଳି ୭୦ ପ୍ରତିଶତ ସାପ ବିଷାକ୍ତ ହୋଇନଥିବା ବେଳେ ବାକି ସାପ ବିଷାକ୍ତ।

ଏହାକୁ ଦୃଷ୍ଟିରେ ରଖି ୨୦୦୭ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରୋଟୋକଲ୍‌ ଜାରି ହୋଇଥିଲା । ୨୦୧୬ରେ ପୁଣି ଏକ ସଂଶୋଧିତ ଗାଇଡଲାଇନ୍‌ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଛି । ଏହାବାଦ୍‌ ୧୯୯୯ ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦକ୍ଷିଣ ପୂର୍ବ ଏସିଆ ପାଇଁ ନିଜସ୍ୱ ଗାଇଡଲାଇନ୍‌ ପ୍ରଚଳନ କରିଛି । ୨୦୧୦ ଓ ୨୦୧୬ରେ ଏହାକୁ ପୁନଃ ସଂଶୋଧନ ସହ ପ୍ରକାଶ କରାଯାଇଛି । ବହୁ ପରୀକ୍ଷାନିରୀକ୍ଷା ପରେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରୋଟୋକଲ୍‌ ଜାରି ହୋଇଥିଲେ ମଧ୍ୟ ତାହାର ପ୍ରଭାବ ରାଜ୍ୟ ଗଣଶିକ୍ଷା ବିଭାଗ ଉପରେ ପଡ଼ିନାହିଁ ।

କେତେବେଳେ ରାସ୍ତାରେ ଡାହାଣ ପଟେ ଚାଲିବା ପାଇଁ ପିଲାମାନଙ୍କୁ ପାଠ ବହିରେ ପରାମର୍ଶ ଦିଆଯାଉଛି ତ ଆଉ କେତେବେଳେ ସାପ କାମୁଡ଼ା ସମ୍ବନ୍ଧୀୟ ବିଭ୍ରାନ୍ତିକର ତଥ୍ୟ ଦେଇ ପିଲାଙ୍କୁ ବିଭ୍ରାନ୍ତ କରାଯାଉଛି । ପିଲାଙ୍କ କୋମଳ ମନସ୍ତତ୍ତ୍ୱକୁ ବିଚାର ପୂର୍ବକ ବିଭ୍ରାନ୍ତିକର ତଥ୍ୟକୁ ପିଲାଙ୍କ ମନରୁ ଦୂର କରିବା ପାଇଁ ସ୍କୁଲ୍‌ଗୁଡ଼ିକରେ ଲିଫଲେଟ୍‌ ଜରିଆରେ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ସ୍ନେକ୍‌ ହେଲ୍‌ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।

ପରିବେଶ ବିଜ୍ଞାନ ସମ୍ବନ୍ଧୀୟ ବହି ପ୍ରକାଶ ପାଇବା ପୂର୍ବରୁ ଏଥିରେ ସଂପୃକ୍ତ ବିଷୟର ବିଶେଷଜ୍ଞମାନଙ୍କୁ ସାମିଲ୍‌ କରାଯାଇ ବହିକୁ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରିବାର ଆବଶ୍ୟକତା ଥିଲେ ମଧ୍ୟ ତାହା ହେଉନାହିଁ । ଗଣଶିକ୍ଷା ବିଭାଗ ବହି ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ପିଲାଙ୍କୁ ବାଣ୍ଟୁଥିବା ବେଳେ ପିଲାଙ୍କୁ ଏଇବେଳୁ ବିଭ୍ରାନ୍ତି କରିବାର ଅଧିକାର ସରକାରଙ୍କର ନାହିଁ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି ।