ଭାଗଚାଷୀଙ୍କୁ ନେଇ ବିଧାନସଭା ଗରମ ! ପ୍ରଶ୍ନ ପଚାରିଲେ ନରସିଂହ, ଅସହାୟ ହୋଇପଡିଲେ ଦାମ ! କହିଲେ, ଭାଗଚାଷୀଙ୍କୁ ସ୍ୱୀକୃତି ଦେବାକୁ ଚିଠି ଲେଖିଛି କିନ୍ତୁ କାର୍ଯ୍ୟକାରୀ ହେଉନି

35

କନକ ବ୍ୟୁରୋ : ବିଧାନସଭା ଶୀତ ଅଧିବେସନ ଆରମ୍ଭ ହେବାର ୫ ଦିନ ପରେ ଗୃହରେ ଚାଷ ଓ ଚାଷୀ ପ୍ରସଙ୍ଗରେ ହେଲା ଆଲୋଚନା । ଚାଷୀଙ୍କୁ କ୍ଷତିପୂରଣ ସହ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ କୃଷିମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ । ସବୁଠାରୁ ରୋଚକ ଥିଲା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନ ଓ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ଉତର । ଗୃହରେ ଉତର ଆଳରେ ନିଜ ସରକାରଙ୍କୁ ବି କାଠଗଡାକୁ ଟାଣିଥିଲେ ଦାମ ରାଉତ ।

assembly 23ଚାଷୀଙ୍କ ପାଇଁ କାହାର ଦରଦ କେତେ? ଆଜି ବିଧାନସଭା ଆରମ୍ଭ ହେଉ ହେଉ ଗୃହରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଦୃଶ୍ୟ । ଚାଷୀଙ୍କୁ ନେଇ ଗୃହରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା ।ଚାଷୀ ଓ ଚାଷ ପ୍ରସଙ୍ଗରେ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ସମୟରେ କୃଷିମନ୍ତ୍ରୀ ଦାମୋଦର ରାଉତ ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ନରସିଂହଙ୍କ ଅଭିଯୋଗ ଥିଲା କୃଷିମନ୍ତ୍ରୀ ତାଙ୍କ ପ୍ରଶ୍ନର ଉତ୍ତର ନ ଦେଇ କଥା ବୁଲାଉଛନ୍ତି ।

୧-ନରସିଂହଙ୍କ ପ୍ରଶ୍ନ- ରାଜ୍ୟରେ ୯୦ ପ୍ରତିଶତ ଭାଗଚାଷୀ ବେଆଇନ ଭାବେ ଚାଷ କରୁଛନ୍ତି

-ଦାମଙ୍କ ଉତ୍ତର- ମୁଁ ଭାଗଚାଷୀଙ୍କୁ ସ୍ୱୀକୃତି ଦେବାକୁ ଲେଖିଛି କିନ୍ତୁ କାର୍ଯ୍ୟକାରୀ ହେଉନି ।

୨-ନରସିଂହଙ୍କ ପ୍ରଶ୍ନ- ଜମି ଅଧିକାର ଆଇନ ଅନୁସାରେ ଭାଗଚାଷୀ ଚାଷ କରେନି, ନିୟମ ଉଲ୍ଲଂଘନ କରି ସରକାର କ୍ଷତିପୂରଣ କେମିତି ଦେବେ?

-ଦାମଙ୍କ ଉତ୍ତର- ମରୁଡି, ଚକଡା ପୋକ ଆକ୍ରମଣ, ବର୍ଷା ଯୋଗୁ ଫସଲ ନଷ୍ଟ ପରେ ମଧ୍ୟ ଗତବର୍ଷଠାରୁ ଅଧିକ ଧାନ ହେବ

୩-ନରସିଂହଙ୍କ ପ୍ରଶ୍ନ- ସରକାର କହୁଛନ୍ତି ଧାନର କ୍ୱିଂଟାଲ ପିଛା ଉତ୍ପାଦନ ଖର୍ଚ୍ଚ ୨୩୪୪ ଟଙ୍କା, କ୍ଷତିପୂରଣ ମିଳୁଛି ଏକର ପିଛା ୨୦୦୦ ଟଙ୍କା । ଚାଷୀ ଆତ୍ମହତ୍ୟା କରିବନି କେମିତି?

-ଦାମଙ୍କ ଉତ୍ତର- ୨୦୦୩ରୁ ୨୦୧୩ ଭିତରେ ଚାଷୀର ଆୟ ଦ୍ୱିଗୁଣିତ ହୋଇଛି । ୭୭ ମସିହାରୁ ଏମିତି କେନ୍ଦ୍ର ସରକାର ଦେଖିନି । ଦୟାକରି ଚାଷୀଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାନ୍ତୁନି

୪-ନରସିଂହଙ୍କ ପ୍ରଶ୍ନ- ଜଳସେଚିତ ଓ ଅଣଜଳସେଚିତ ଜମିରେ ଉତ୍ପାଦନ ଖର୍ଚ୍ଚ ଅଲଗା କି?

-ଦାମଙ୍କ ଉତ୍ତର- ହାରାକୁଦକୁ ପାଣି ନଆସିବାରୁ ମରୁଡି ହେଲା । ୭୦ ଭାଗ ପାଣି ସମୁଦ୍ରକୁ ପଳାଉଛି ଦାୟୀ କିଏ? ପୋଲାଭରମ, ଛତିଶଗଡରେ ବ୍ୟାରେଜ କଂଗ୍ରେସ ସମୟରେ ଆରମ୍ଭ ହୋଇଥିଲା ।

ତେବେ ବିରୋଧୀ ଦଳ ନେତାଙ୍କ ଶାଣିତ ଆକ୍ରମଣ କୃଷିମନ୍ତ୍ରୀଙ୍କୁ ହରଡଘଣାରେ ପକାଇବା ଆଶଙ୍କାରେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି କିଛି ପ୍ରଶ୍ନର ଦେଇଥିଲେ । ତେବେ କୃଷି ମନ୍ତ୍ରୀଙ୍କ ଅବାନ୍ତର ଉତ୍ତର ଶୁଣି ଅସନ୍ତୁଷ୍ଟ ହୋଇ ଗୃହତ୍ୟାଗ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ । ତେବେ ଏତିକିରେ ସରିନଥିଲା ଦାମଙ୍କ ସୋ’ । ନରସିଂହ ଚାଷ ସମସ୍ୟା ବିଷୟରେ କିଛି ନ ଜାଣି ଅଯଥା ପ୍ରଶ୍ନ କରୁଛନ୍ତି ଏବଂ ସେ କଣ ଚାଷ ବିଷୟରେ ଜାଣିଛନ୍ତି ବୋଲି ଓଲଟା ପ୍ରଶ୍ନ କରିଥିଲେ ଦାମ । ତୁ ତୁ ମେଁ ମେଁ ଭିତରେ ଦାମ ଭାଗଚାଷୀ ଓ ମହାନଦୀକୁ ନେଇ ନିଜ ଦଳକୁ କାଠଗଡାକୁ ଟାଣିଥିଲେ । ମହାନଦୀର ୭୦ ଭାଗ ପାଣି ବ୍ୟବହାର ନ ହୋଇ ସମୁଦ୍ରକୁ ଯିବା ଓ ଭାଗଚାଷୀ ଚିହ୍ନଟ ନହେବାକୁ ନେଇ ଗୃହରେ ନିଜ ଅସନ୍ତୋଷ ଜାହିର କରିଥିଲେ ଦାମ ।