ମୁମ୍ବାଇର ମ୍ୟାନହୋଲରେ ଫସିଥିବା ଶିଶୁ ଦିବ୍ୟାଂଶୁର ଏ ଯାଏଁ ମିଳୁନି ପତ୍ତା। ୪୦ଜଣିଆ ଉଦ୍ଧାରକାରୀ ଦଳର ତଲାସି ଜାରି

ପ୍ରଶାସନକୁ ଦାୟୀ କଲେ ପରିବାର ଲୋକେ

146

କନକ ବ୍ୟୁରୋ: ମୁମ୍ବାଇରେ ମ୍ୟାନହୋଲରେ ଖସିପଡିଥିବା ଶିଶୁର ଏଯାଏଁ ସୁରାକ୍ ମିଳିପାରିନାହିଁ । ଶିଶୁକୁ ଠାବ କରିବା ଲାଗି ୪୦ଜଣ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଥିଲେ ବି କୌଣସି ସୁଫଳ ମିଳିପାରିନାହିଁ । ମୁମ୍ବାଇ ଗୋରେଗାଓଁରେ ଘଟିଛି ଏହି ଅଭାବନୀୟ ଘଟଣା ।

ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଥିଲା ଏହି ଘଟଣା । ଘରୁ ବାହାରକୁ ଆସିଥିବା ସମୟରେ ଖୋଲା ନାଳରେ ଖସିପଡ଼ିଥିଲା ଶିଶୁପୁତ୍ର । ୨ବର୍ଷ ଶିଶୁର ନାଁ ହେଉଛି ଦିବ୍ୟାଂଶୁ । ପିଲାଟି ନାଳରେ ପଡ଼ିଯିବାର ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା । ଶିଶୁଟି ଖେଳୁଥିବା ସମୟରେ ଘର ବାହାର ରାସ୍ତାକୁ ଆସିଥିବା ଦେଖିବାକୁ ମିଳିଛି । ହେଲେ ସେଠାରୁ ଘରକୁ ଫେରିବା ସମୟରେ ଶିଶୁଟିର ପାଦ ଖସି ଯାଇଥିଲା । ପାଖରେ ଥିବା ଖୋଲା ନାଳରେ ୨ବର୍ଷର ଶିଶୁ ଖସି ପଡ଼ିଥିଲା ।

 ନାଳରେ ପାଣିର ସ୍ରୋତ ପ୍ରଖର ଥିବାରୁ ତତକ୍ଷଣାତ ଭାସି ଯାଇଥିଲା ଶିଶୁ । ଘଟଣା ସ୍ଥଳରେ କେହି ଉପସ୍ଥିତ ନଥିବାରୁ ଶିଶୁକୁ ସେହି ନାଳରୁ ଉଦ୍ଧାର କରାଯାଇପାରିନଥିଲା । ଏହି ଘଟଣା ପରେ ମୁମ୍ବାଇ ମହାନଗର ନିଗମ କର୍ତୃପକ୍ଷଙ୍କ ବେପରୁଆ ନୀତି ସାମ୍ନାକୁ ଆସିଛି । ପରିବାର ଲୋକେ ଏଥିପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ।